ବାଲିଗୁଡା, ତା. ୨୪/୦୬ : ବାଲିଗୁଡା ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ୩ଟା ୩୦ ମିନିଟ୍ ସମୟରୁ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ସହ ଆକାଶରେ ମେଘ ଗର୍ଜନ, ଘଡଘଡି ଓ ବିଜୁଳି ଚମକ ଦେଖିବାକୁ ମିଳିଥିଲା। ପ୍ରାୟ ୪୫ ମିନିଟ୍ ଧରି ଲାଗିରହିଥିବା ଏହି ବର୍ଷା ଯୋଗୁଁ ଅଞ୍ଚଳବାସୀଙ୍କୁ ତୀବ୍ର ଗ୍ରୀଷ୍ମ ପ୍ରକୋପରୁ ବହୁତ ଆଶ୍ୱସ୍ତି ମିଳିଛି।ଗତ କିଛି ଦିନ ଧରି ଅସହ୍ୟ ଗରମ ଓ ଗୁଳୁଗୁଳି ପାଗ ଯୋଗୁଁ ଲୋକେ ଅସୁବିଧାରେ ପଡ଼ିଥିବା ବେଳେ ଏହି ବର୍ଷା ପରିବେଶକୁ ଶୀତଳ କରିଛି। ବିଶେଷକରି ଚାଷୀମାନଙ୍କ ପାଇଁ ଏହି ବର୍ଷା ଉପକାରୀ ସାବ୍ୟସ୍ତ ହୋଇଛି। ଚାଷ କାମ ଆରମ୍ଭ କରିବା ଓ ଜମିରେ ଆବଶ୍ୟକ ଆର୍ଦ୍ରତା ସୃଷ୍ଟି କରିବାରେ ଏହି ବର୍ଷା ସହାୟକ ହେବ ବୋଲି ଚାଷୀମାନେ ଆଶା ପ୍ରକାଶ କରିଛନ୍ତି।ବର୍ଷା ପରେ ତାପମାତ୍ରାରେ ହ୍ରାସ ଘଟିଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଖୁସିର ପରିବେଶ ଦେଖାଯାଇଛି।
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ