ବାଲିଗୁଡ଼ା, ୨୧/୦୬/ : ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ
ବାଲିଗୁଡ଼ା ସହରର କଟାରି ସାହି ନିକଟସ୍ଥ କନ୍ଧମାଳ ମହିଳା ମଣ୍ଡଳ ଦ୍ୱାରା ପରିଚାଳିତ ଖଲି ଗୋଦାମରେ ରବିବାର ଭୋର ପ୍ରାୟ ୩ଟା ସମୟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇଯାଇଛି।ସୂଚନା ଅନୁଯାୟୀ, ଗୋଦାମରୁ ଧୂଆଁ ଓ ନିଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ବାଲିଗୁଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଉଦ୍ୟମ କରି ନିଆଁକୁ ଆୟତ୍ତ କରିଥିଲେ।ତେବେ ନିଆଁ ଲିଭିବା ବେଳକୁ ଗୋଦାମରେ ମହଜୁଦ

ଥିବା ଶିଆଳି ଖଲି, କଞ୍ଚା ହଳଦୀ ଏବଂ ୟୁରିଆ ସାର ସମ୍ପୂର୍ଣ୍ଣ ଭାବେ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ପ୍ରାଥମିକ ଆକଳନ ଅନୁସାରେ ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଅଧିକ କ୍ଷତି ଘଟିଥିବା ଜଣାପଡ଼ିଛି।ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ବାଲିଗୁଡ଼ା ଅଗ୍ନିଶମ ବିଭାଗ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
