ବାଲିଗୁଡ଼ା, ୧୬/୦୬ : ସୁକାନ୍ତ କୁମାର ତ୍ରିପାଠୀ
ବାଲିଗୁଡ଼ା ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଚଳିତ ବର୍ଷର ପ୍ରଥମ ମୌସୁମୀ ବର୍ଷା ହୋଇଛି। ଦୀର୍ଘ ଦିନ ଧରି ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରଚଣ୍ଡ ଗରମରେ ଅତିଷ୍ଠ ହୋଇପଡ଼ିଥିବା ଲୋକମାନେ ଏହି ବର୍ଷାରେ ବେଶ ଆଶ୍ୱସ୍ତି ଅନୁଭବ କରିଛନ୍ତି।ଅପରାହ୍ନରେ ହଠାତ୍ ଆକାଶ କଳା ମେଘରେ ଛାଇଯାଇଥିଲା ଏବଂ ପ୍ରବଳ ଘଡଘଡି ସହ ବିଜୁଳି ଚମକିବା ଆରମ୍ଭ ହୋଇଥିଲା। କିଛି ସମୟ ପରେ ମୁଷଳଧାରା ବର୍ଷା ହେବାରୁ ସହରର ବିଭିନ୍ନ ରାସ୍ତାଘାଟ ଓ ନିମ୍ନାଞ୍ଚଳ ଜଳମଗ୍ନ ହୋଇଯାଇଥିଲା। ଫଳରେ କିଛି ସମୟ ପାଇଁ ଯାତାୟାତ ମଧ୍ୟ ପ୍ରଭାବିତ

ହୋଇଥିଲା।ଅଚାନକ ମୌସୁମୀର ଆଗମନରେ ତାପମାତ୍ରା ହ୍ରାସ ପାଇଥିବା ବେଳେ ଲୋକମାନେ ଗରମରୁ ମୁକ୍ତି ପାଇଛନ୍ତି। ବିଶେଷ କରି ଯୁବପିଢ଼ି ଓ ଶିଶୁମାନେ ବର୍ଷାରେ ଭିଜି ଆନନ୍ଦ ଉପଭୋଗ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଅନେକେ ବର୍ଷାର ସୁନ୍ଦର ମୁହୂର୍ତ୍ତକୁ ମୋବାଇଲରେ କଏଦ କରିଥିଲେ।ତେବେ ବର୍ଷା ସହ ଘଡଘଡି ଓ ବିଜୁଳି ପ୍ରକୋପ ମଧ୍ୟ ପ୍ରଖର ଥିବାରୁ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ମୌସୁମୀର ଏହି ପ୍ରଥମ ବର୍ଷା ଚାଷୀମାନଙ୍କ ମଧ୍ୟରେ ମଧ୍ୟ ଆଶାର ସଞ୍ଚାର କରିଛି।