ବାଲିଗୁଡ଼ା, ୧୦/୦୬: ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ଦାବୁଡ଼ାକା ଘାଟି ନିକଟରେ ଘଟିଥିବା ଏକ ରାହାଜାନି ଘଟଣାରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଲୁଟ୍ ହୋଇଥିବା ସମସ୍ତ ସାମଗ୍ରୀ ଉଦ୍ଧାର କରିଛି। ଏନେଇ ବାଲିଗୁଡ଼ା ଥାନାରେ କେସ ନମ୍ବର ୧୪୪, ତାରିଖ ୦୮.୦୬.୨୦୨୬ ଅନୁଯାୟୀ ମାମଲା ରୁଜୁ ହୋଇଛି।ପୋଲିସ ସୂଚନା ଅନୁସାରେ, ବିହାର ରାଜ୍ୟର ଅଜୟ କୁମାର ଯାଦବ (୩୫), ଯିଏ ବର୍ତ୍ତମାନ ବାରଖମା ଅଞ୍ଚଳରେ ରହୁଛନ୍ତି, ଗତ ୮ ତାରିଖ ସକାଳ ପ୍ରାୟ ୧୦ଟା ସମୟରେ ତାଙ୍କ ମ୍ୟାନେଜର ମିଥୁନ ଗୁପ୍ତାଙ୍କୁ ଦେବା ପାଇଁ ୨୦ ହଜାର ଟଙ୍କା ନେଇ ନିଜ ହିରୋ ଏଚଏଫ୍ ଡିଲକ୍ସ ମୋଟରସାଇକେଲ (OD-30E-6422) ଯୋଗେ ବଲାଙ୍ଗିର ଯାଉଥିଲେ।ସକାଳ ପ୍ରାୟ ୧୦ଟା ୨୦ ମିନିଟ୍ ସମୟରେ ଦାବୁଡ଼ାକା ଘାଟି ନିକଟରେ ଦୁଇଟି ମୋଟରସାଇକେଲରେ ଆସିଥିବା ୫ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ମାଡ଼ ମାରିଥିଲେ। ପରେ ତାଙ୍କଠାରୁ ୨୦ ହଜାର ଟଙ୍କା ନଗଦ, ଏକ

ଭିଭୋ Y200 ମୋବାଇଲ ଫୋନ ଓ ହିରୋ ଏଚଏଫ୍ ଡିଲକ୍ସ ମୋଟରସାଇକେଲ ଲୁଟି ମୋହଙ୍ଗିରି ଆଡ଼କୁ ଫେରାର ହୋଇଯାଇଥିଲେ।ଅଭିଯୋଗ ପାଇବା ପରେ ବାଲିଗୁଡ଼ା ଥାନାର ତଦନ୍ତକାରୀ ଅଧିକାରୀ ଏସ୍ଆଇ ଅମରେନ୍ଦ୍ର ସୁବୁଦ୍ଧି ଓ ପୋଲିସ ଟିମ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲେ।ଗିରଫ ଅଭିଯୁକ୍ତମାନେ ହେଲେ ଅଜିତ ସାହୁ (୨୭), ରାଜନାଥ ଅମାତ (୨୨), ଆଶିଷ ପୁଟେଲ (୨୧), ଋତିକ ଖମାରୀ (୨୨) ଓ ଶିବ ପଟେଲ (୧୮)।ପୋଲିସ ସେମାନଙ୍କ ନିକଟରୁ ଲୁଟ୍ ହୋଇଥିବା ହିରୋ ଏଚଏଫ୍ ଡିଲକ୍ସ ମୋଟରସାଇକେଲ, ୨୦ ହଜାର ଟଙ୍କା ନଗଦ, ଭିଭୋ Y200 ମୋବାଇଲ ଫୋନ ସହ ଏକ କେଟିଏମ୍ ଓ ଏକ ପଲସର ମୋଟରସାଇକେଲ, ଓନପ୍ଲସ ଓ ରିଅଲମି ମୋବାଇଲ ଫୋନ ଜବତ କରିଛି।ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ସମ୍ପୃକ୍ତି ଅନ୍ୟ କୌଣସି ଅପରାଧିକ ମାମଲାରେ ରହିଛି କି ନାହିଁ ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।