ITDA ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ଘର ସହ ୯ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ବାଲିଗୁଡ଼ା : ୦୬/୦୬: ସୁକାନ୍ତ କୁମାର ତ୍ରିପାଠୀ

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଟିଡିଏ (ITDA)ର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ବିଭିନ୍ନ ସମ୍ପର୍କିତ ସ୍ଥାନରେ ଶନିବାର ସକାଳୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଆରମ୍ଭ କରାଯାଇଛି। ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ, ଭୁବନେଶ୍ୱରଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସର ଏକ ବହୁସ୍ତରୀୟ ଟିମ୍ ୯ଟି ସ୍ଥାନରେ ସମକାଳୀନ ଭାବେ ତଲାସି ଚଳାଇଛି।ସୂଚନା ଅନୁଯାୟୀ, ଭୁବନେଶ୍ୱରର ନୀଳାଦ୍ରି ବିହାରରେ ଥିବା ଚାରି ମହଲା ବିଶିଷ୍ଟ ଘର, ଶୈଳଶ୍ରୀ ବିହାରରେ ତିନି ମହଲା ଘର, ପଟିଆ କାନନ ବିହାର ଫେଜ୍-୧ରେ ଦୁଇ ମହଲା ଘର ଏବଂ ଚନ୍ଦ୍ରଶେଖରପୁରରେ ଥିବା ଆଉ ଏକ ଦୁଇ ମହଲା ଘରରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି। ସେହିପରି ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ପାଣ୍ଡୁଆ ଗ୍ରାମରେ ପୈତୃକ ଜମି ଉପରେ ନିର୍ମିତ ଏକ ଦୁଇ ମହଲା ଘର ମଧ୍ୟ ଠାବ କରାଯାଇଛି।ଏହା ସହ ବାରିପଦା ସହରର ଦେଉଳ ସାହି ଅଞ୍ଚଳରେ ଥିବା ଜଣେ ସମ୍ପର୍କୀୟଙ୍କ ଘର, ଧର୍ମଶାଳାର ପାଣ୍ଡୁଆ ଗ୍ରାମରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ବାସଭବନ, ବାଲିଗୁଡ଼ାସ୍ଥିତ ITDA କାର୍ଯ୍ୟାଳୟରେ ଥିବା ଶ୍ରୀ ବେହେରାଙ୍କ କାର୍ଯ୍ୟାଳୟ ଏବଂ ITDA କାର୍ଯ୍ୟାଳୟ ନିକଟରେ ଥିବା ତାଙ୍କ ସରକାରୀ ବାସଭବନରେ ମଧ୍ୟ ତଲାସି ଚାଲିଛି।ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ, ଚଢ଼ାଉ ସମୟରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ବ୍ୟାଙ୍କ ଜମା, ବିଭିନ୍ନ ନିବେଶ ଏବଂ ଆର୍ଥିକ ଦଲିଲପତ୍ରର ଯାଞ୍ଚ କରାଯାଉଛି।ଏହି ବ୍ୟାପକ ଚଢ଼ାଉରେ ୨ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇଛନ୍ତି। ତେବେ ତଦନ୍ତ ଜାରି ଥିବାରୁ ଏପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି ସେ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ପ୍ରକାଶ କରାଯାଇନାହିଁ। ତଦନ୍ତ ଶେଷ ହେବା ପରେ ସମ୍ପୂର୍ଣ୍ଣ ବିବରଣୀ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।

You might also like
error: Content is protected !!