ବାଲିଗୁଡ଼ା,୩୧/୦୫: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜିଠାରୁ ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି। ବାଲିଗୁଡ଼ା ଉପଜିଲ୍ଲାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧିକାରୀ ଶ୍ରୀମତୀ ପ୍ରଣୀତା ଏହି ଅଭିଯାନର ଶୁଭାରମ୍ଭ କରିବା ସହ ସହରର ବିଭିନ୍ନ ଅଞ୍ଚଳକୁ ଯାଇ ନିଜେ ପରିଗଣନା ଫର୍ମ ବଣ୍ଟନ କରିଥିଲେ। ଏଥିସହ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ) ଓ ସାଧାରଣ ଜନତାଙ୍କୁ ଏହି ପ୍ରକ୍ରିୟାରେ ସକ୍ରିୟ ସହଯୋଗ ପାଇଁ ଉତ୍ସାହିତ କରିଥିଲେ।ଉପଜିଲ୍ଲାପାଳ କହିଛନ୍ତି ଯେ, ଜିଲ୍ଲାର ସମସ୍ତ ଅଞ୍ଚଳରେ ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟ ଆସନ୍ତା ଜୁନ୍ ୨୮

ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ବିଏଲ୍ଓମାନେ ଘରେ ଘରେ ପହଞ୍ଚି ଭୋଟରମାନଙ୍କୁ ଫର୍ମ ବଣ୍ଟନ କରିବେ ଏବଂ ସଠିକ୍ ତଥ୍ୟ ପ୍ରଦାନ ପାଇଁ ସଚେତନ କରିବେ।ପରିଗଣନା ଫର୍ମରେ ଭୋଟରଙ୍କ ପୂର୍ବରୁ ଥିବା ତଥ୍ୟ ସହ ଏକ ନୂତନ ଫଟୋଗ୍ରାଫ୍ ସଂଯୋଗ କରିବାର ବ୍ୟବସ୍ଥା ରହିଛି। ଭୋଟରମାନେ ନିଜ ଏବଂ ପରିବାର ସଦସ୍ୟଙ୍କ ଜନ୍ମତାରିଖ, ଆଧାର ନମ୍ବର, ମୋବାଇଲ୍ ନମ୍ବର ଓ ଭୋଟର କ୍ରମିକ ସଂଖ୍ୟା ଭଳି ତଥ୍ୟ ସଠିକ୍ ଭାବେ ପୂରଣ କରିବେ। କୌଣସି ସନ୍ଦେହ ଥିଲେ ଫର୍ମରେ ଉଲ୍ଲେଖ ଥିବା ବିଏଲ୍ଓଙ୍କ ମୋବାଇଲ୍ ନମ୍ବରରେ ସିଧାସଳଖ ଯୋଗାଯୋଗ କରିପାରିବେ।ଫର୍ମ ବଣ୍ଟନ ପରେ ବିଏଲ୍ଓମାନେ ପୁନର୍ବାର ଘରକୁ ଯାଇ ପୂରଣ ହୋଇଥିବା ଫର୍ମ ସଂଗ୍ରହ କରିବେ। ଏଥିରୁ ଗୋଟିଏ କପି ସେମାନେ ନେଇଯିବେ ଏବଂ ଅନ୍ୟ କପିଟିକୁ ଦସ୍ତଖତ କରି ପ୍ରମାଣ ସ୍ୱରୂପ ସମ୍ପୃକ୍ତ ନାଗରିକଙ୍କୁ ପ୍ରଦାନ କରିବେ।ଭୋଟର ତାଲିକାରେ ବାଦ୍ ପଡ଼ିଥିବା ଯୋଗ୍ୟ

ମତଦାତାଙ୍କୁ ସାମିଲ କରିବା ଓ ଅଯୋଗ୍ୟ ଭୋଟରଙ୍କ ନାମ ବିଲୋପ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଯେଉଁମାନେ ବାହାରେ ରହୁଛନ୍ତି କିମ୍ବା ଅଫଲାଇନ୍ରେ ଫର୍ମ ପୂରଣ କରିବାରେ ଅସୁବିଧା ଅନୁଭବ କରୁଛନ୍ତି, ସେମାନେ ଅନଲାଇନ୍ ମାଧ୍ୟମରେ ମଧ୍ୟ ଆବେଦନ ଦାଖଲ କରିପାରିବେ।ଏହି ଗୁରୁତ୍ୱପୂର୍ଣ୍ଣ ଭୋଟର ସଂଶୋଧନ ପ୍ରକ୍ରିୟାକୁ ସଫଳ କରିବା ପାଇଁ ବାଲିଗୁଡ଼ାବାସୀଙ୍କୁ ବିଏଲ୍ଓ ଓ ନିର୍ବାଚନ ବିଭାଗର ଅଧିକାରୀମାନଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ଉପଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଏସ୍ଆଇଆର୍ କାର୍ଯ୍ୟକ୍ରମକୁ ନେଇ ବାଲିଗୁଡ଼ା ଅଞ୍ଚଳରେ ଜନସାଧାରଣଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହେଉଛି।