ବାଲିଗୁଡ଼ା,୩୧/୦୫ : (ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳରେ “ବିପଦର ବନ୍ଧୁ” ନାମକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଦେୟମୁକ୍ତ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ନିରନ୍ତର ଭାବେ ଜାରି ରହିଛି। ସମାଜସେବା ଓ ମାନବିକତାକୁ ଆଧାର କରି ଆରମ୍ଭ ହୋଇଥିବା ଏହି ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ

ଏକ ଉଦାହରଣ ସୃଷ୍ଟି କରିଛି।ବିଶେଷକରି ପ୍ରତିମାସର ଶେଷ ରବିବାର ଦିନ ବାଲିଗୁଡ଼ାରେ ଦୋକାନ ବଜାର ବନ୍ଦ ରହୁଥିବାରୁ ଅନେକ ଯାତ୍ରୀ, ଦିନମଜୁରିଆ ଶ୍ରମିକ ଓ ଅସହାୟ ଲୋକ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାକୁ ଅନୁଭବ କରି “ବିପଦର ବନ୍ଧୁ” ସଂଗଠନ ପକ୍ଷରୁ ମାଗଣା ଖାଦ୍ୟ ବଣ୍ଟନ ଅଭିଯାନ

ଆରମ୍ଭ କରାଯାଇଥିଲା।ଏହି ସେବାମୂଳକ କାର୍ଯ୍ୟରେ ଯୁବପିଢ଼ୀଙ୍କ ସକ୍ରିୟ ଭାଗିଦାରି ଦେଖିବାକୁ ମିଳୁଥିବାରୁ ସମାଜରେ ସେବାଭାବ ଓ ସହଯୋଗର ମନୋଭାବ ଆହୁରି ଦୃଢ଼ ହେଉଛି। ପ୍ରତ୍ୟେକ କାର୍ଯ୍ୟକ୍ରମରେ ଶତାଧିକ ଲୋକ ଉପକୃତ ହେଉଥିବା ବେଳେ ଅନେକ ଦୁର୍ବଳ ଓ ନିରାଶ୍ରୟ ବ୍ୟକ୍ତିଙ୍କ ପାଇଁ ଏହା ଏକ ବଡ଼ ସହାୟତା

ସାବ୍ୟସ୍ତ ହୋଇଛି।ଯାତ୍ରୀମାନେ ମଧ୍ୟ ଏହି ଉଦ୍ୟମରୁ ଲାଭାନ୍ବିତ ହେଉଥିବା ବେଳେ ସଂଗଠନ ପ୍ରତି କୃତଜ୍ଞତା ଜଣାଇଛନ୍ତି। ସ୍ଥାନୀୟ ଲୋକମାନେ “ବିପଦର ବନ୍ଧୁ” ପକ୍ଷରୁ ନିଆଯାଇଥିବା ଏହି ମାନବିକ ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ ଏପରି ସେବାମୂଳକ କାର୍ଯ୍ୟ ସମାଜରେ ସକାରାତ୍ମକ ବାର୍ତ୍ତା ପହଞ୍ଚାଇବା ସହ ଅନ୍ୟମାନଙ୍କୁ

ମଧ୍ୟ ସମାଜସେବା ପାଇଁ ପ୍ରେରିତ କରୁଥିବା ମତ ପ୍ରକାଶ କରିଛନ୍ତି। ସଂଗଠନର ଏହି ଉଦ୍ୟମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସଦସ୍ୟମାନେ ସୂଚନା ଦେଇଛନ୍ତି ।