ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଜଟଣୀ ସମସ୍ତ ସ୍ଥାନରେ ଧୂମଧାମରେ ପାଳିତ ହୋଇଛି ବଳିଦାନର ପର୍ବ ଇଦ-ଉଲ-ଜୁହା । ଇସଲାମଧର୍ମାମ୍ବଲମ୍ବୀ ମୁସଲମାନଭାଇମାନଙ୍କର ଇଦ-ଉଲ- ଫିତର ପରେ ଏହା ଦ୍ୱିତୀୟ ବଡ ପର୍ବ ଅଟେ । ଏହି ପର୍ବରେ ବଳିଦେବାର ପ୍ରଥା ରହିଥିବା ବେଳେ ବଳିଦାନର କିମ୍ବଦନ୍ତୀ ଉପରେ ମୌଲବୀମାନଙ୍କ ଦ୍ୱାରା ତକରୀର(ପ୍ରବଚନ) ମାଧ୍ୟମରେ ଆଲୋଚନା କରାଯାଇଥିଲା । ଏହାକୁ ଧୂମଧାମରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଗୁରୁବାର ପୁର୍ବାହ୍ନ ୮ ଟା ଠାରୁ ସାଢେ ଆଠଟା ସମୟରେ ସମସ୍ତ ମସଜିଦଗୁଡିକରେ ଏହି ଇଦ-ଉଲ-ଜୁହା ନମାଜପାଠ କରାଯାଇଥିବା ବେଳେ ଜଟଣୀ ରଥିପୁର, ବେଣାପଞ୍ଜରୀ, ଗଡ଼ ତରାବୋଇ ଗ୍ରାମରେ ଥିବା ଇଦଗାହ ପଡିଆରେ ନମାଜପାଠ କରାଯାଇଥିଲା । ଏହି କ୍ରମରେ ଜଟଣୀ ସହରରେଥିବା ୬ଟି ମସଜିଦ ସହିତ ଜଟଣୀ ଅଂଚଳ ଗଡରଥୀପୁରରେ ଥିବା ୨ଟି, ବେଣାପଜଂରୀରେ ଥିବା ୨ଟି ଓ ଗଡତରାବୋଇରେଥିବା ୨ଟି ମସଜିଦ ଓ ଇଦଗାହା ରେ ସମୁହ ନମାଜପାଠ କରାଯାଇଥିଲା । ଅନ୍ୟପଟେ ଏହି ପର୍ବ ଅବସରରେ ସମସ୍ତ ମୁସଲମାନ ସମ୍ପ୍ରଦାୟଙ୍କ ଘରେ ସୁସ୍ୱାଦୁ ଖାଦ୍ୟ ପସ୍ତୁତ କରାଯାଇଥିବା ବେଳେ ନୂତନବସ୍ତ୍ର ପରିଧାନ କରିଥିବା ଦେଖିବାକୁ ମିଳିଥିଲା ।