ମହୁମାଛି ଆକ୍ରମଣରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ, ବାଲିଗୁଡାରେ ଶୋକର ଛାୟା

ବାଲିଗୁଡା,୨୭/୦୫ : ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ଘଟିଛି ଗତକାଲି ଏକ ଅଭାବନୀୟ ଘଟଣା। ମହୁମାଛି ଆକ୍ରମଣରେ ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ବେଳେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତକ ଜଣକ ହେଲେ ବାଲିଗୁଡା ସହର ଖଜୁରୀନାଳ ସାହିର ବାସିନ୍ଦା ତଥା ମା’ ପାଟଖଣ୍ଡା ମାର୍କେଟରେ ଥିବା “ମା’ ପାଟଖଣ୍ଡା ଲେଡିସ କର୍ପୂର” ଦୋକାନର ମାଲିକ ବି. ମହେଶ୍ୱର ଦୋରା (ପିଣ୍ଡୁ)।ସୂଚନା ଅନୁଯାୟୀ, ପ୍ରତିଦିନ ଭଳି ମଙ୍ଗଳବାର ସକାଳେ ପିଣ୍ଡୁ ବ୍ୟାଡମିଣ୍ଟନ ଖେଳିବାକୁ ଯାଇଥିଲେ। ଖେଳ ସାରି ଘରକୁ ଫେରିବା ପରେ ନିଜ ଘର ସାମ୍ନାରେ ହଠାତ୍ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣରେ ସେ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପିଣ୍ଡୁ ବାଲିଗୁଡା ବଣିକ ସଂଘ, “ବିପଦର ବନ୍ଧୁ” ସଂଗଠନ ଓ ମା’ ପାଟଖଣ୍ଡା ମାର୍କେଟ ସଂଘର ଜଣେ ସକ୍ରିୟ ସଦସ୍ୟ ଥିଲେ। ସେ ଜଣେ ମେଳାପୀ, ପରୋପକାରୀ ଓ ଉତ୍ତମ ସ୍ୱଭାବର ଯୁବକ ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ। ତାଙ୍କ ଅକାଳ ବିୟୋଗରେ ସମଗ୍ର ବାଲିଗୁଡା ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି।ତାଙ୍କର ଅମର ଆତ୍ମାର ସଦଗତି କାମନା କରି ସ୍ଥାନୀୟ ବଣିକ ସଂଘ ଓ ମା’ ପାଟଖଣ୍ଡା ମାର୍କେଟ ସଂଘ ପକ୍ଷରୁ ସମସ୍ତ ଦୋକାନ ବଜାର ବନ୍ଦ ରଖି ସମ୍ମାନ ଜଣାଯାଇଥିଲା।

You might also like
error: Content is protected !!