ତୁମୁଡିବନ୍ଧ, ୦୫/୦୫: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଥାନା ଅଧୀନ ଅଞ୍ଚଳରେ ପୋଲିସଙ୍କୁ ଏକ ବଡ଼ ସଫଳତା ମିଳିଛି। ଗୁପ୍ତ ସୂଚନା ଆଧାରରେ ପୋଲିସ ଦଳ ଲବନ୍ୟା ନଗର ଗାଁରେ ଚଢ଼ାଉ କରି ଏକ ଅବୈଧ ଦେଶୀ ବନ୍ଧୁକ ତିଆରି ଓ ମରାମତି କାରଖାନାକୁ ଧ୍ୱଂସ କରିଛି।ଏହି ଚଢ଼ାଉ ସମୟରେ ଗାଁର ଦୈତାରୀ ବିନ୍ଧାଣୀ (୪୦), ପିତା- ସୁରେ ବିନ୍ଧାଣୀଙ୍କୁ ପୋଲିସ ଗିରଫ କରିଛି। ଏହା ସମ୍ବନ୍ଧରେ ତୁମୁଡିବନ୍ଧ ଥାନା କେସ ନମ୍ବର ୬୨, ତା. ୦୫.୦୫.୨୦୨୬ ରେ ଆର୍ମସ୍ ଆକ୍ଟ ୧୯୫୯ର ଧାରା ୨୫(୧)(ଏ) ଓ ୨୫(୧-ବି)(ଇ) ଅନୁସାରେ ମାମଲା ରୁଜୁ କରାଯାଇଛି।ଚଢ଼ାଉ ସମୟରେ ପୋଲିସ ୩ଟି ଦେଶୀ ବନ୍ଧୁକ, ୨ଟି କାଠର ବଟ୍, ୨ଟି

ଲୋହା ବ୍ୟାରେଲ, ୪ଟି ଟ୍ରିଗର ସେଟ୍ ଓ ଗାର୍ଡ ସହ ଏକାଧିକ ଯନ୍ତ୍ରପାତି ଜବତ କରିଛି। ଏହା ସହିତ ଇଲେକ୍ଟ୍ରିକ ଡ୍ରିଲ୍ ମେସିନ, କଟର ମେସିନ, ବ୍ଲୋଅର ମେସିନ ଓ ହାମାର, ଛିଜେଲ୍, ଫାଇଲ୍, ପ୍ଲାଏର୍ସ, ରେଞ୍ଚ ସହ ବିଭିନ୍ନ ଲୋହା କାମର ସାମଗ୍ରୀ ମଧ୍ୟ ଜବତ ହୋଇଛି।ଏହି ସମସ୍ତ ସାମଗ୍ରୀ ଅବୈଧ ଭାବେ ଦେଶୀ ବନ୍ଧୁକ ତିଆରି ଓ ମରାମତି କାର୍ଯ୍ୟରେ ବ୍ୟବହୃତ ହେଉଥିବା ବୋଲି ପୋଲିସ କହିଛି। ଘଟଣାର ଅଧିକ ତଦନ୍ତ ଚାଲିଛି।