ବାଲିଗୁଡ଼ା, ୨୬/୦୪ : ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳରେ “ବିପଦର ବନ୍ଧୁ” ନାମକ ସ୍ଵେଛାସେବୀ ଅନୁଷ୍ଠାନ ପକ୍ଷରୁ ଦେୟମୁକ୍ତ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ନିରନ୍ତର ଭାବେ ଜାରି ରହିଛି। ସମାଜସେବାର ଉଦ୍ଦେଶ୍ୟକୁ ମୁହଁରେ ରଖି ଏହି ସଂଗଠନ ଦ୍ୱାରା ଗ୍ରହଣ କରାଯାଇଥିବା ଏହି ପଦକ୍ଷେପ ଏବେ ସ୍ଥାନୀୟ ଅଞ୍ଚଳରେ ଏକ ଉଦାହରଣ ସୃଷ୍ଟି କରିଛି।ବିଶେଷକରି ପ୍ରତିମାସର ଶେଷ ରବିବାର ଦିନ ବାଲିଗୁଡ଼ାରେ ଦୋକାନ ଓ ବଜାର ବନ୍ଦ ରହୁଥିବାରୁ ଅନେକ ଯାତ୍ରୀ, ଦିନମଜୁରୀଆ ଶ୍ରମିକ, ଓ ଅସହାୟ ଲୋକମାନେ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଛନ୍ତି। ଏହି

ପରି ସମସ୍ୟାକୁ ଗଭୀରତାର ସହ ଅନୁଭବ କରି “ବିପଦର ବନ୍ଧୁ” ସଂଗଠନ ପକ୍ଷରୁ ଏହି ମାଗଣା ଖାଦ୍ୟ ବଣ୍ଟନ ଅଭିଯାନ ଆରମ୍ଭ କରାଯାଇଥିଲା ଏହି କାର୍ଯ୍ୟରେ ଯୁବପିଢ଼ୀଙ୍କ ସକ୍ରିୟ ଭାଗିଦାରି ଦେଖିବାକୁ ମିଳୁଥିବାରୁ ସମାଜରେ ସେବାଭାବ ଓ ସହଯୋଗର ମନୋଭାବ ଆହୁରି ମଜବୁତ ହେଉଛି।ଏହି ମାଗଣା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ପ୍ରତିଥରେ ଶତାଧିକ ଲୋକ ଲାଭାନ୍ବିତ ହେଉଥିବା ଜଣାପଡ଼ିଛି। ଅନେକ ଦୁର୍ବଳ ଓ ନିରାଶ୍ରୟ ଲୋକମାନଙ୍କ ପାଇଁ ଏହା ଏକ ବଡ଼ ସହାୟତା ରୂପେ ପ୍ରମାଣିତ ହେଉଛି। ଯାତ୍ରୀମାନେ ମଧ୍ୟ ଏହି ପଦକ୍ଷେପରୁ

ବହୁତ ଉପକୃତ ହେଉଥିବା ବେଳେ, ସେମାନେ ସଂଗଠନ ପ୍ରତି କୃତଜ୍ଞତା ଜଣାଇଛନ୍ତି।ସ୍ଥାନୀୟ ଲୋକମାନେ “ବିପଦର ବନ୍ଧୁ” ଦ୍ୱାରା ନିଆଯାଇଥିବା ଏହି ମାନବିକ ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ସେମାନଙ୍କ ମତରେ, ଏପରି ସେବାମୂଳକ କାର୍ଯ୍ୟ ସମାଜରେ ଏକ ସକାରାତ୍ମକ ସନ୍ଦେଶ ପ୍ରସାର କରିଥାଏ ଓ ଅନ୍ୟମାନଙ୍କୁ ମଧ୍ୟ ସମାଜସେବା ପାଇଁ ପ୍ରେରିତ କରେ।