ବାଲିଗୁଡା,୨୬/୦୪ : ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଞ୍ଚଳରେ ରବିବାର ଏକ ଅପ୍ରତ୍ୟାଶିତ ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ରାଜ୍ୟ ରାଜପଥ ନଂ୧ ର ପାଇବର ସାହି ନିକଟରେ ଏହି ଘଟଣା ଘଟିଛି।ସୂଚନା ଅନୁଯାୟୀ, ଫୁଲବାଣୀରୁ ମୋହନଗିରୀ ଅଭିମୁଖେ ଯାଉଥିବା “ମା’ ତାରିଣୀ” ନାମକ ଯାତ୍ରୀବାହୀ ବସଟି ସାଧାରଣ ଗତିରେ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର, “ଦୀପକ” ନାମକ ଅନ୍ୟ ଏକ

ବସକୁ ଓଭରଟେକ କରିଥିଲା। ଏହି ସମୟରେ ହଠାତ୍ ସାମ୍ନାସାମ୍ନି ପରିସ୍ଥିତି ସୃଷ୍ଟି ହେବାରୁ ବସ ଚାଳକ ତୁରନ୍ତ ବ୍ରେକ ଲଗାଇ ବଡ଼ ଦୁର୍ଘଟଣାକୁ ଟାଳିବାକୁ ଚେଷ୍ଟା କରିଥିଲେ।କିନ୍ତୁ ବସଟି ନିୟନ୍ତ୍ରଣ ହାରାଇ ରାସ୍ତା ପାଖରେ ଥିବା ଗାର୍ଡୱାଲକୁ ଧକ୍କା ଦେଇଥିଲା। ଭାଗ୍ୟବଶତଃ ବସରେ ଥିବା ୪୦ରୁ ଅଧିକ ଯାତ୍ରୀ ଓ କାର ଚାଳକ

କୌଣସି ଗୁରୁତର ଆହତ ହୋଇନଥିବା ଜଣାପଡିଛି।ଘଟଣା ସମ୍ପର୍କରେ ଖବର ପାଇ କ.ନୂଆଗାଁ ପୋଲିସ ତୁରନ୍ତ ସ୍ଥଳକୁ ପହଞ୍ଚି ପରିସ୍ଥିତି କବଜାରେ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ପରେ କିଛି ସମୟ ପାଇଁ ରାସ୍ତା ଯାତାୟାତରେ ବାଧା ସୃଷ୍ଟି ହୋଇଥିବା ଦେଖାଯାଇଥିଲା।