“କଳା ରୁଦ୍ର ମଣିକି ଭଜ ହୋ” ସ୍ୱରରେ କମ୍ପିଲା ଅଞ୍ଚଳ : ୩୭ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ

ବାଲିଗୁଡା,୦୬/୦୪ : ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲା ବାଲିଗୁଡାରେ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ରବିବାର ଦିନ ଭବ୍ୟ ଓ ଶାନ୍ତିଶୃଙ୍ଖଳାର ସହ ଉଦଯାପିତ ହୋଇଯାଇଛି। “କଳା ରୁଦ୍ର ମଣିକି ଭଜ ହୋ” ଧ୍ୱନିରେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଥିଲା।ଏହି ମହାମିଳନକୁ ଦେଖିବା ପାଇଁ ବାଲିଗୁଡା ସହ ଆସପାସ ଅଞ୍ଚଳରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ବାଲିଗୁଡା, ଦଣ୍ଡପଦର, ବାଟାଗୁଡା, ବାରଖମା, କତେରୀଭଟ୍ଟା, ସିଟୁପଡ଼ି, ଡାକା, ରୁତୁଙ୍ଗିଆ, ବାଲିଗାଡ଼ା, ବେନାରବାହାଲ, ମଳିକଗାଁ, ଘୋଡ଼ାପଥର ଓ ଗ୍ରୀନବାଡ଼ି ଆଦି ଅଞ୍ଚଳରୁ ଆସିଥିବା ଦଣ୍ଡଥଳମାନେ ନିଜ ନିଜର ପାରମ୍ପରିକ ନୃତ୍ୟ ପରିବେଷଣ କରି ଉତ୍ସବକୁ ରଙ୍ଗିନ କରିଥିଲେ।ସକାଳେ ମା’ ପାଟ୍ଟଖଣ୍ଡା ମନ୍ଦିରରେ ୧୩ ଦଣ୍ଡଥଳଙ୍କୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ମଧ୍ୟାହ୍ନରେ ଧୂଳିଦଣ୍ଡ କାର୍ଯ୍ୟକ୍ରମରେ ଦଣ୍ଡୁଆମାନେ କାଠୁରିଆ ନୃତ୍ୟ ସହ ଜଙ୍ଗଲ ଓ ଜନ୍ତୁ ସୁରକ୍ଷା ବାର୍ତ୍ତା ନେଇ ବାଘନାଟ, ବୀଣାକାର ଓ ବିଲରେ ଧାନରୁଆ ଇତ୍ୟାଦି ନାଟ୍ୟ ଅଭିନୟ ପ୍ରଦର୍ଶନ କରିଥିଲେ, ଯାହା ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା।ଅପରାହ୍ନରେ ପୁଷ୍କରିଣୀରେ ପାଣିଦଣ୍ଡ ପରେ ସନ୍ଧ୍ୟାରେ ବଜାର ଛକ ନିକଟରେ ୧୩ ଦଣ୍ଡର ଆକର୍ଷଣୀୟ ମହାମିଳନ ଅନୁଷ୍ଠିତ ହୋଇଥିଲା। ଏଥିରେ ଢୋଲିଆ, ପାଟଭୁକ୍ତା ଓ ମହୁରିଆମାନଙ୍କ ମିଳନ ଦୃଶ୍ୟ ଦେଖି ଭକ୍ତମାନେ ମନୋମୁଗ୍ଧ ହୋଇଯାଇଥିଲେ।ଏହି ଅବସରରେ ଉପଜିଲ୍ଲାପାଳ ପ୍ରଣୀତା ଦାସ ଓ ଏସଡିପିଓ ଶୁଭମ ଭୋସଲେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପରିଚାଳନା ସମିତିର ମୁଖ୍ୟ ପରିଚାଳକ ରାଜକିଶୋର ଦାଶ, ସଭାପତି କିଶୋର ଚନ୍ଦ୍ର ପାଳ, ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ବଂଶୀଧର ପଣ୍ଡା ଓ ଶିବରାମ ପ୍ରଧାନୀଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ।ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଝୁଣାଦଣ୍ଡର ମହା ପଟୁଆର ମଧ୍ୟ ଆୟୋଜନ ହୋଇଥିଲା। ବିଭିନ୍ନ ସଂଗଠନ ଓ ସ୍ୱେଚ୍ଛାସେବୀ ଦଳମାନଙ୍କ ତରଫରୁ ଷ୍ଟଲ ଖୋଲି ଭକ୍ତମାନଙ୍କୁ କନିକା ଭୋଗ, ଅର୍ଣ୍ଣ ଭୋଗ, ଦହି ପଣା ଓ ପାନୀୟ ଜଳ ବଣ୍ଟନ କରାଯାଇଥିଲା।ଉତ୍ସବକୁ ନଜରରେ ରଖି ଏସଡିପିଓ ଶୁଭମ ଭୋସଲେଙ୍କ ନିର୍ଦେଶରେ ଥାନା ଅଧିକାରୀ ଶିବ ଶଙ୍କର ସିଂଙ୍କ ନେତୃତ୍ୱରେ ସହରର ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ ହୋଇ ଆଇନ-ଶୃଙ୍ଖଳା ରକ୍ଷା କରାଯାଇଥିଲା।ସମିତିର ଶତାଧିକ ସଦସ୍ୟଙ୍କ ସହଯୋଗ ଓ ସୁଚାରୁ ପରିଚାଳନା ଫଳରେ ସମାରୋହ ଶାନ୍ତିଶୃଙ୍ଖଳାର ସହ ସଫଳ ଭାବେ ସମାପ୍ତ ହୋଇଥିଲା।

Smart Computer Ad
You might also like
error: Content is protected !!