ବୁଲା ବିକାଳୀ ଛଦ୍ମବେଶରେ ଚୋରି: ତିନି ଭାଇଙ୍କ ସିନ୍ଧି ଗ୍ୟାଙ୍ଗ ଗିରଫ

ବାଲିଗୁଡା,୦୬/୦୪ ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲାରେ ବୁଲା ବିକାଳୀ ନାଁରେ ଛଦ୍ମବେଶ ଧାରଣ କରି ଚୋରି କରୁଥିବା ଏକ ସିନ୍ଧି ଚୋର ଗ୍ୟାଙ୍ଗକୁ କୋଟଗଡ଼ ପୋଲିସ ଗିରଫ କରିଛି। ଏହି ଗ୍ୟାଙ୍ଗରେ ଗୋଟିଏ ପରିବାରର ତିନି ଭାଇ ଜଡିତ ଥିବା ପ୍ରକାଶ ପାଇଛି।ପୋଲିସ ସୂଚନା ଅନୁଯାୟୀ, ତିନି ଭାଇ ବୁଲା ବିକାଳୀ ଭାବେ ଦୁର୍ଗମ ଅଂଚଳରେ ଗାଁରୁ ଗାଁ ଘୁରି ଫେନସି ସାମଗ୍ରୀ ବିକ୍ରି କରୁଥିଲେ। ଏହା ସହିତ ଘର ଘର ଯାଇ ଲୋକମାନଙ୍କ ଘରକୁ ନଜରରେ ରଖି ଚୋରି ପାଇଁ ଟାର୍ଗେଟ କରୁଥିଲେ। ଗୋଟିଏ ଅଂଚଳରେ ଚୋରି କରିବା ପରେ ଆଉ ଗୋଟିଏ ଜିଲ୍ଲାକୁ ସ୍ଥାନାନ୍ତର କରି ନୂଆ ଯୋଜନା କରୁଥିବା ଜଣାପଡ଼ିଛି।ଗତ ୨୨ ମାର୍ଚ୍ଚ ୨୦୨୬ ରେ କୋଟଗଡ଼ ଥାନା ଅନ୍ତର୍ଗତ ରେଟାବାଲି ଗାଁର ପବିତ୍ର ନାୟକଙ୍କ ଘରୁ ଏହି ଗ୍ୟାଙ୍ଗ ଚୋରି କରିଥିଲା। ଘରେ କେହି ନଥିବା ସୁଯୋଗକୁ ନେଇ କବାଟ ଭାଙ୍ଗି ସୁନା, ରୂପା ସହିତ ପ୍ରାୟ ୧ ଲକ୍ଷ ଟଙ୍କା ନେଇ ଫରାର ହୋଇଯାଇଥିଲେ।ଏହି ଘଟଣାରେ ୨୩ ମାର୍ଚ୍ଚରେ ଅଭିଯୋଗ ହେବା ପରେ ବାଲିଗୁଡା ଏସଡ଼ିପିଓ ଶୁଭମ ଭୋସଲେଙ୍କ ନିର୍ଦ୍ଦେଶରେ କୋଟଗଡ଼ ଥାନା ଅଧିକାରୀ ସମ୍ବିତ ସ୍ୱାଇଁଙ୍କ ନେତୃତ୍ୱରେ ବିଶେଷ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ କାଳୀନେ ରାୟଗଡା ଜିଲ୍ଲାର ମୁନିଗୁଡା ଅଂଚଳରୁ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।ଗିରଫ ଅଭିଯୁକ୍ତମାନେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ଜାନି ସାହିର ପ୍ରତାପ ଜାନି, ଚୈତୁ ଜାନି ଓ ମିଲୁ ଜାନି ବୋଲି ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଠାରୁ ୪ଟି ମଙ୍ଗଳସୂତ୍ର, ସୁନା ଫୁଲ, କାନ ଫୁଲ, ୯ଟି ରୂପା ମୁଦି, ୨ଟି ରୂପା ଚେନ, ଗୋଟିଏ ରୂପା ବ୍ରେସଲେଟ, ଦୁଇଟି ମୋଟରସାଇକେଲ, ୨୫,୭୨୦ ଟଙ୍କା ନଗଦ ଓ ୩ଟି ମୋବାଇଲ ଫୋନ ଜବତ ହୋଇଛି।ପୋଲିସ କହିଛି, ଏହି ତିନି ଭାଇଙ୍କ ବିରୋଧରେ ବିଭିନ୍ନ ଥାନାରେ ୫ରୁ ଅଧିକ ମାମଲା ରହିଛି। ଏହି ଗ୍ୟାଙ୍ଗ ପଛରେ ଆଉ କାହାରି ହାତ ରହିଛି କି ନାହିଁ ସେନେଇ ତଦନ୍ତ ଜାରୀ ରହିଛି। ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Smart Computer Ad
You might also like
error: Content is protected !!