କୋଟଗଡ, ୩୧/୦୩ : ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାର କୋଟଗଡ ବ୍ଲକ୍ ଅନ୍ତର୍ଗତ ସାଲକି ଓ ଓରା ଗ୍ରାମରେ ମୁଖ୍ୟମନ୍ତ୍ରୀ ମକା ମିଶନ ସମ୍ପର୍କିତ ସଚେତନତା ବ୍ୟାପକ କରିବା ପାଇଁ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଶାନ୍ତି ମୈତ୍ରୀ” ପକ୍ଷରୁ ଏହି କାର୍ୟକ୍ରମ ଆୟୋଜିତ ହୋଇଥିଲା।କୋଟଗଡ ବ୍ଲକ୍ ମହାଶକ୍ତି କୃଷକ ଉତ୍ପାଦନ କମ୍ପାନୀର ସିନିୟର୍ ମ୍ୟାନେଜର ବାଳକୃଷ୍ଣ ରଥଙ୍କ ନେତୃତ୍ୱରେ ଏମ୍ଡି ରଞ୍ଜିତ

କୁମାର ବେରୁକ, ସିଇଓ ମିଥୁନ ଚନ୍ଦ୍ର ଚୌଧୁରୀ, ଶ୍ୟାଳିନୀ ଦେହୁରୀ, ଦୀପକ ଗାଉଁଟିଆ ଓ ସୁଧିର ପ୍ରଧାନଙ୍କ ଉପସ୍ଥିତିରେ ଏହି ନାଟକ ପ୍ରଦର୍ଶିତ ହୋଇଥିଲା।ପଥପ୍ରାନ୍ତ ନାଟକ ମାଧ୍ୟମରେ କୃଷକମାନଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ମକା ଚାଷ, ଉଚିତ୍ ଦରରେ ବିକ୍ରୟ ସୁବିଧା ଓ ବୀମା ସୁବିଧା ସମ୍ପର୍କରେ ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଥିଲା। କଳାକାରମାନେ ନିଖୁଣ ଅଭିନୟ ମାଧ୍ୟମରେ ଏହି ସମସ୍ତ ସନ୍ଦେଶକୁ ସରଳ ଭାଷାରେ

ଲୋକମାନଙ୍କ ନିକଟକୁ ପହଞ୍ଚାଇଥିଲେ।ପ୍ରମୋଦ ଦଣ୍ଡସେନାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ନାଟକରେ କଳାକାରମାନେ ଦକ୍ଷତାର ସହିତ ଅଭିନୟ କରିଥିବାରୁ ଉପସ୍ଥିତ ଲୋକମାନେ ମନୋନ୍ନତି ସହ କାର୍ୟକ୍ରମକୁ ଉପଭୋଗ କରିଥିଲେ। ଏହି ପ୍ରୟାସ ଦ୍ୱାରା ଅଞ୍ଚଳର କୃଷକମାନେ ମକା ଚାଷ ସମ୍ପର୍କରେ ନୂତନ ତଥ୍ୟ ଅଧିଗମନ କରିଥିବା ବୋଲି ମତ ପ୍ରକାଶ ପାଇଛି।