ବ୍ରହ୍ମପୁର,(ବିଚିତ୍ର ସାହୁ):-
କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ବେଲଗୁଣ୍ଠା ବ୍ଲକ ଶାଖା ତରଫରୁ ଏକ କଳାକାର ଶୋଭାଯାତ୍ରା ସ୍ଥାନୀୟ ଗାନ୍ଧି ଛକ ଠାରୁ ବାହାରି ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲା। ସେଠାରେ ବ୍ଲକ ଶାଖା ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ସହ ଏକ ପ୍ରତିନିଧି ଦଳ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ସାକ୍ଷାତ କରି ଉଭୟ କଳା ଓ କଳାକାରଙ୍କ ହିତାର୍ଥେ ଦଶ ଦଫା ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ଲୁପ୍ତ ଲୋକ କଳାର ପୁନରୁଦ୍ଧାର, ବ୍ଲକ ସ୍ତରରେ ପ୍ରେକ୍ଷାଳୟ ସ୍ଥାପନ ସହ ସ୍ଥାନୀୟ କଳାକାରଙ୍କୁ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରିବା, ଉଭୟ କେନ୍ଦ୍ର ଓ ରାଜ୍ୟ କଳାକାର ଭତ୍ତା ବୃଦ୍ଧି, କଳାକାରଙ୍କୁ ପରିଚୟ ପତ୍ର ପ୍ରଦାନ, ସରକାରଙ୍କ ଜେଡ଼କେଏସ ଏବଂ ବିକେଏସର ଉପସଭାପତି ପରିବର୍ତ୍ତନ ସହ ପୂର୍ଣ୍ଣ ପରିଚାଳନା କମିଟି ଗଠନ ଇତ୍ୟାଦି ସଂଘ ପକ୍ଷରୁ ଦାବି କରାଯାଇଛି। କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ନେଟଙ୍ଗା, ଗୁପ୍ତେଶ୍ଵର ମନ୍ଦିର ପରିସରରେ ବ୍ଲକ ଶାଖା ସଂଯୋଜକ ଈଶ୍ବର ଗୌଡ଼ଙ୍କ ଅଧ୍ୟକ୍ଷତାରେ ଏକ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିଲା। ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ଉପଦେଷ୍ଟା ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ଜିଲ୍ଲା ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ, ମହାସଂଘ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ କଳାକାର କର୍ମ ଏକ ମହାର୍ହ ବୃତ୍ତି ହେତୁ ସେମାନେ କାହାରି ଅବଜ୍ଞାର ପାତ୍ର ନୁହନ୍ତି, ବରଂ ସମାଜରେ ସର୍ବୋଚ୍ଚ ସମ୍ମାନର ଅଧିକାରୀ ବୋଲି ମତବ୍ୟକ୍ତ କରିଥିଲେ। ବ୍ଲକ ଶାଖା ସମ୍ପାଦକ ରଞ୍ଜିତ କୁମାର ପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ଜୁରେଶ୍ଵର ଲେଙ୍କା, ବିପିନ ବିହାରୀ ରାଉତ, ପ୍ରକାଶ ଚନ୍ଦ୍ର ଭୂୟାଁ, କାଳୁ ମହାରଣା, ବସନ୍ତ କୁମାର ଖଟେଇ, ଶ୍ରୀନିବାସ ସିୟ, ପ୍ରଶାନ୍ତ କୁମାର ମହାନ୍ତି, ବିଧାନ ସେଠୀ, କୁମର ଗୁରୁ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ବାଲ୍ମୀକି ମହାନ୍ତି ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।