ପୋଲିସ ପାଟ୍ରୋଲିଂରେ ବଡ଼ ସଫଳତା: ୪୦୫୬ କେଜି ବେଆଇନ ଗଞ୍ଜେଇ ଜବତ

ବାଲିଗୁଡା,୨୫/୦୩: ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲାର ବାଲିଗୁଡା ପୋଲିସ ଦୁଇ ଦିନ ମଧ୍ୟରେ ବଡ଼ ସଫଳତା ହାସଲ କରି ୪୦୫୬ କେଜି ବେଆଇନ ଗଞ୍ଜେଇ ଜବତ କରିଛି। ଜିଲ୍ଲା ଏସପି ହରିଶ ବିଶିଙ୍କ ନିର୍ଦ୍ଦେଶରେ ଗଞ୍ଜେଇ ମୁକ୍ତ ଅଭିଯାନ ଜୋରଦାର ହୋଇଥିବା ବେଳେ, ବିଭିନ୍ନ ଥାନା ପକ୍ଷରୁ ଚଢ଼ଉ ଓ ପାଟ୍ରୋଲିଂ କାର୍ଯ୍ୟକ୍ରମ ଜାରି ରହିଛି।ପ୍ରଥମ ଘଟଣାରେ, ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଫାଣ୍ଡି ଅଞ୍ଚଳର ଡାକା ଜଙ୍ଗଲରେ ପୋଲିସର ସ୍ବତନ୍ତ୍ର ଟିମ୍ ପାଟ୍ରୋଲିଂ କରୁଥିବା ସମୟରେ ୨୦୧୫ କେଜି ଗଞ୍ଜେଇ ଗଚ୍ଛିତ ଅବସ୍ଥାରେ ମିଳିଥିଲା। ଏହାକୁ ଜବତ କରି କେସ୍ ନଂ. ୭୫/୨୬ ଅନୁସାରେ ମାମଲା ରୁଜୁ କରାଯାଇଛି।ଦ୍ବିତୀୟ ଘଟଣାରେ, ପରବର୍ତ୍ତୀ ଦିନ ଲଣ୍ଡାଗାଁ ପଞ୍ଚାୟତ ଅନ୍ତର୍ଗତ ଜଙ୍ଗଲ ଅଞ୍ଚଳରୁ ପୁଣି ୨୦୪୧ କେଜି ବେଆଇନ ଗଞ୍ଜେଇ ଜବତ କରାଯାଇଥିଲା। ଏହି ଘଟଣାରେ କେସ୍ ନଂ. ୭୬/୨୬ ଅନୁସାରେ ଆଉ ଏକ ମାମଲା ରୁଜୁ କରାଯାଇଛି।ପୋଲିସ ଅନୁସାରେ, ଏହି ବିପୁଳ ପରିମାଣର ଗଞ୍ଜେଇକୁ କୌଣସି ମାଫିଆ ଚକ୍ର ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଜଙ୍ଗଲ ଅଞ୍ଚଳରେ ଗଚ୍ଛିତ ରଖିଥିବା ସନ୍ଦେହ କରାଯାଉଛି। ଥାନା ଅଧିକାରୀ ଶିବରଞ୍ଜନ ସିଂହ ଏହି ସମ୍ପର୍କରେ ସୂଚନା ଦେଇଥିବା ବେଳେ, ଘଟଣାର ଅଧିକ ତଦନ୍ତ ଜାରି ରହିଛି।

You might also like
error: Content is protected !!