ବାଲିଗୁଡା, ୨୪/୦୩ : ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ଚୈତ୍ର ମାସର ତୃତୀୟ ମଙ୍ଗଳବାର ଯାତ୍ରା ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଅବସରରେ ମା’ ପାଟଖଣ୍ଡା ଫଳ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ।ପ୍ରତ୍ୟୁଷରୁ ମା’ଙ୍କର ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସମ୍ପନ୍ନ ହେବା ପରେ ଏହି ଦୁର୍ଲଭ ଫଳ ବେଶ ଦର୍ଶନ ପାଇଁ ଭକ୍ତମାନଙ୍କ ଭିଡ଼ ଲାଗି ରହିଥିଲା। କନ୍ଧମାଳ ଜିଲ୍ଲା ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଭକ୍ତମାନେ ଶୃଙ୍ଖଳିତ ଭାବରେ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ।ଯାତ୍ରା ସମୟରେ କିଛି ଭକ୍ତ ନିଜ ଶିଶୁମାନଙ୍କର ଚୁଟି ମଣ୍ଡନ କରାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ସହ ମନ୍ଦିର ପରିଚାଳନା କମିଟି ଓ କେତେକ ଭକ୍ତମାନଙ୍କ ପକ୍ଷରୁ ପ୍ରସାଦ ଓ ପଣା ବଣ୍ଟନ କରାଯାଇଥିଲା।ଯାତ୍ରାର ସୁଚାରୁ ପରିଚାଳନା ପାଇଁ କମିଟିର ସମସ୍ତ ସଦସ୍ୟ ଓ ପୂଜକମାନେ ସକ୍ରିୟ ଭାବେ ଯୋଗଦେଇ ସହଯୋଗ କରିଥିଲେ।