କନ୍ଧମାଳ : ୦୭/୦୩ : ସୁକାନ୍ତ କୁମାର ତ୍ରିପାଠୀ
କେନ୍ଦ୍ର ପର୍ଯ୍ୟଟନ ବିଭାଗର କମିଶନର ବଲଵନ୍ତ ସିଂ ଶନିବାର କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ ଅଙ୍ଗନବାଡ଼ି କେନ୍ଦ୍ର, ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ସହିତ ବିଭିନ୍ନ ସଂସ୍ଥା ଓ ପ୍ରକଳ୍ପ ବୁଲି ଦେଖି ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।କମିଶନର ବଲଵନ୍ତ ସିଂ ପ୍ରଥମେ ଫିରିଙ୍ଗିଆରେ ପହଞ୍ଚିବା ପରେ ସ୍ଥାନୀୟ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରେ ସେ ଫିରିଙ୍ଗିଆରେ ଚାଲୁଥିବା କାଠ ତିଆରି ଶିଳ୍ପ ତାଲିମ କେନ୍ଦ୍ରକୁ ଯାଇ ସେଠାର କାର୍ଯ୍ୟପ୍ରଣାଳୀ ଅବଲୋକନ କରିଥିଲେ।ତାପରେ କମିଶନର ମାସରୀପଡ଼ା ଗ୍ରାମରେ ଥିବା ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ରକୁ ପରିଦର୍ଶନ କରି ଅଙ୍ଗନବାଡ଼ି କର୍ମୀ ଓ ଛୋଟ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ସେଠାରେ ଶିଶୁମାନଙ୍କ ପାଇଁ ଚାଲୁଥିବା ସୁବିଧା ସମ୍ପର୍କରେ ଜାଣିବା ସହିତ ସେ ମାସରୀପଡ଼ା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରକୁ ମଧ୍ୟ ବୁଲି ଦେଖିଥିଲେ ଏବଂ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସମ୍ପର୍କରେ ଖୋଜଖବର ନେଇଥିଲେ।ଏହି ଗସ୍ତ ସମୟରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା, ମହିଳା ଓ ଶିଶୁ ବିକାଶ ଅଧିକାରୀ ନିବେଦିତା ପ୍ରଧାନ, ଫିରିଙ୍ଗିଆ ଭାରପ୍ରାପ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ଗଣେଶ ପ୍ରଧାନ, ବିପିଏମ ହରଗୋବିନ୍ଦ ଜାନି, ବିଡ଼ିଏମ ପ୍ରତ୍ୟୁଷ କାନ୍ତି, ସିଏଚଓ ବିଶ୍ୱଜିତ ପାଢ଼ୀ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ଝିଲି ନାଏକ ପ୍ରମୁଖ ଉପସ୍ଥିତ ଥିଲେ।ଏହି ସୁଯୋଗରେ କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟନର ଅଧିକ ଉନ୍ନତି ସମ୍ଭାବନା ନେଇ କମିଶନର ଉପସ୍ଥିତ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।
