ବାଲିଗୁଡା : ୨୮/୦୨ : ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପାଠଚକ୍ର କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି ପାଠଚକ୍ରର ମୁଖ୍ୟ ବିଷୟ ଥିଲା “ପରବର୍ତ୍ତୀ ବିଶ୍ୱ ରାଜନୀତି ଓ ଏହାର ପ୍ରଭାବ ଭାରତର ବୈଦେଶିକ ନୀତି ଉପରେ”। ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ଼. ସୁଶାନ୍ତ କୁମାର ଦାସଙ୍କ ତତ୍ତ୍ୱାବଧାନରେ ତୃତୀୟ ବର୍ଷର ଛାତ୍ର ତରୁଣ କୁମାର ମଲ୍ଲିକ ଓ ବିକ୍ରମ ମଲ୍ଲିକ ଏହି ସନ୍ଦର୍ଭରେ ଗଭୀର ଆଲୋଚନା ସହିତ ପାଠ ପ୍ରସ୍ତୁତ କରିଥିଲେ।କାର୍ଯ୍ୟକ୍ରମର ଆରମ୍ଭରେ ବିଭାଗୀୟ ଅଧ୍ୟାପିକା ଆଲିପାମା ସାହୁ ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥି

ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଶୈକ୍ଷିକ ଅଧିକାରୀ ତେଜେଶ୍ୱର ନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଆଧୁନିକ ବିଶ୍ୱ ରାଜନୀତିର ପରିବର୍ତ୍ତନଶୀଳ ପରିପ୍ରେକ୍ଷିତରେ ଗଭୀର ଅଧ୍ୟୟନ କରିବାକୁ ଉତ୍ସାହିତ କରିଥିଲେ।ଶେଷରେ ଜଗନ୍ନାଥ ଡାକୁଆ ଧନ୍ୟବାଦ ଜ୍ଞାପନ କରିଥିଲେ। ବିଭାଗର ଶତାଧିକ ଛାତ୍ରଛାତ୍ରୀ ଏହି ପାଠଚକ୍ରରେ ଅଂଶଗ୍ରହଣ କରି ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ। କାର୍ଯ୍ୟକ୍ରମଟି ଜ୍ଞାନବୃଦ୍ଧି ସହ ଚିନ୍ତନଶୀଳ ଆଲୋଚନାର ଏକ ସଫଳ ମଞ୍ଚ ରୂପେ ପରିଣତ ହୋଇଥିଲା।
