ସିନି ପକ୍ଷରୁ ‘ଲକ୍ଷପତି ଦିଦି’ କୃଷକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡା : ୨୮/୦୨ ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲାର କୋଟଗଡ ବ୍ଲକ ଅନ୍ତର୍ଗତ ଜାମଝୋର ଖେଳପଡିଆରେ ସି.ନି ସଂସ୍ଥା ପକ୍ଷରୁ ‘ଲକ୍ଷପତି ଦିଦି’ କୃଷକ ସଚେତନତା କାର୍ଯ୍ୟକ୍ରମ ଭବ୍ୟ ଭାବେ ଅନୁଷ୍ଠିତ ହୋଇଛି। କୋଟଗଡ ବ୍ଲକର ସୁବର୍ଣ୍ଣଗିରି, ଯୁବାଗୁଡା, ମାଦାଗୁଡା, ଜୁଡାବାଲି, କୋଟଗଡ, ଦୁର୍ଗାପଙ୍ଗା ଓ ଧାରାକୋଟ ପଞ୍ଚାୟତର ଶତାଧିକ ପିଜି ଗ୍ରୁପର ଦିଦିମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ କୃଷି ଅଧିକାରୀ ଦେବାଶିଷ ମଲିକ ଯୋଗଦେଇ ଶୁଭାରମ୍ଭ କରିଥିଲେ। ସମ୍ମାନୀୟ ଅତିଥି ଭାବେ ଏସ୍.ବି.ଆଇ ବ୍ୟାଙ୍କ ଶାଖା ପରିଚାଳକ ରାଜେନ୍ଦ୍ର ସାହୁ, ଓ.ଜି.ବି ବ୍ୟାଙ୍କ ଶାଖା ପରିଚାଳକ ଲକ୍ଷ୍ମୀକାନ୍ତ ଦିଗନ, କୋଟଗଡ ବନବିଭାଗୀୟ ଅଧିକାରୀ ଓ ନିଗମ ଫାଉଣ୍ଡେସନ ସେକ୍ରେଟାରୀ ଜେନା ବାବୁ ଉପସ୍ଥିତ ରହି କୃଷି ଓ ଆର୍ଥିକ ସ୍ୱାବଲମ୍ବନା ବିଷୟରେ ମତ ପ୍ରକାଶ କରିଥିଲେ।ସଂସ୍ଥା ପକ୍ଷରୁ ଅଙ୍କିତା ପ୍ରିୟଦର୍ଶନୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବ୍ଲକ ସମନ୍ୱୟକାରୀ ସୌରଭ କୁଣ୍ଡୁ ସି.ନି ସଂସ୍ଥାର କାର୍ଯ୍ୟକଳାପ ବିଷୟରେ ଆଲୋଚନା କରିଥିଲେ। ଆଞ୍ଚଳିକ ପରିଚାଳକ ଚନ୍ଦ୍ରମଣି ସାହୁ ସଭା ପରିଚାଳନା କରିଥିଲେ।କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବ୍ୟାଖ୍ୟା କରି ନବୀନ କୁମାର ମାଝୀ କହିଥିଲେ ଯେ, କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ଅଧିବାସୀତ ଅଞ୍ଚଳ ହେବା ସହ ଏଠାରେ ଭୌଗୋଳିକ ଓ ଅର୍ଥନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜୈବିକ ପ୍ରଣାଳୀରେ ପନିପରିବା ଚାଷ, ଛେଳି ଓ କୁକୁଡ଼ା ପାଳନ ମାଧ୍ୟମରେ ପ୍ରତ୍ୟେକ ପିଜି ଗ୍ରୁପର ଦିଦିମାନେ ବର୍ଷକୁ ଲକ୍ଷ ଟଙ୍କାରୁ ଅଧିକ ଆୟ କରିପାରିବେ। ପ୍ରତ୍ୟେକ ଗ୍ରାମ୍ୟ ସ୍ତରରେ କ୍ଷୁଦ୍ର ଚାଷୀ ଦିଦିମାନଙ୍କୁ ଉତ୍ପାଦକ ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରି ସି.ନି ସଂସ୍ଥା ପକ୍ଷରୁ ପ୍ରାଧାନ୍ୟ ଦିଆଯିବ ବୋଲି ଚନ୍ଦ୍ରମଣି ସାହୁ ଉଲ୍ଲେଖ କରିଥିଲେ।ଏହି ଅବସରରେ ସି.ନି ସଂସ୍ଥାର ସହଯୋଗରେ ବିଭିନ୍ନ ପନିପରିବା ଚାଷ ଓ ପଶୁପାଳନ କରି ବର୍ଷକୁ ଲକ୍ଷାଧିକ ଟଙ୍କା ଆୟ କରୁଥିବା ଚାଷୀ ଦିଦିମାନଙ୍କୁ ମାନପତ୍ର ଓ କୃଷି ସାମଗ୍ରୀ ପ୍ରଦାନ କରାଯାଇଥିଲା। ସେଥିସହ ପାରମ୍ପରିକ କନ୍ଧ-କୁଇ ଗୀତ ଓ ମନୋରଞ୍ଜନାତ୍ମକ ନୃତ୍ୟ ପରିବେଷଣ କରାଯାଇ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରାଯାଇଥିଲା।କାର୍ଯ୍ୟକ୍ରମରେ ସି.ନି ସଂସ୍ଥା ପକ୍ଷରୁ ଜ୍ଞାନେନ୍ଦ୍ର, ଶ୍ରଦ୍ଧାଞ୍ଜଳି ମହାରଣା, ନବୀନ କୁମାର ମାଝୀ, ସାନ ଟାକ୍ରୀ, ସୁବ୍ରତ ମହାକୁଡ଼, ସ୍ମୃତି ସ୍ମରଣୀକା, ଉର୍ମିକାନ୍ତ ସହ ବିଭିନ୍ନ ପଞ୍ଚାୟତର ପ୍ରମୁଖ ଚାଷୀମାନେ ଉପସ୍ଥିତ ଥିଲେ। ଶେଷରେ ସମସ୍ତଙ୍କୁ ସ୍ମୃତିଚିହ୍ନ ପ୍ରଦାନ କରାଯାଇ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।

Smart Computer Ad
You might also like
error: Content is protected !!