ବାଲିଗୁଡା, ୨୬/୦୨ : ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳକୁ ଡ୍ରଗ ଇନ୍ସପେକ୍ଟର ପ୍ରିୟଙ୍କା ଚକ୍ରବର୍ତ୍ତୀ ମାଡାମ ଗୁରୁବାର ଦିନ ପରିଦର୍ଶନ କରିଥିଲେ। ଔଷଧ ବିକ୍ରୟ କେନ୍ଦ୍ରଗୁଡ଼ିକରେ ସରକାରୀ ନିୟମାବଳୀ କାର୍ଯ୍ୟକାରୀ ଓ ଆବଶ୍ୟକ କାଗଜପତ୍ର ସଠିକ ଭାବେ ସଂରକ୍ଷିତ ଅଛି କି ନାହିଁ ତାହାର ଯାଞ୍ଚ କରିବା ଉଦ୍ଦେଶ୍ୟରେ ଏହି ପରିଦର୍ଶନ କରାଯାଇଥିଲା।ପରିଦର୍ଶନ ସମୟରେ ସେ ବାଲିଗୁଡାର ସତ୍ୟସାଇ ଔଷଧ ଦୋକାନକୁ ଯାଇ ବିଭିନ୍ନ ରେଜିଷ୍ଟର, ଲାଇସେନ୍ସ ଓ ଷ୍ଟକ୍ ରେକର୍ଡ ଯାଞ୍ଚ କରିଥିଲେ। ଔଷଧ ବିକ୍ରୟ ସମ୍ବନ୍ଧୀୟ ବିଲ ପତ୍ର, ବ୍ୟାଚ ନମ୍ବର, ତାରିଖ ଓ କ୍ରୟ ରସିଦକୁ ସୂକ୍ଷ୍ମ ଭାବରେ ଯାଞ୍ଚ କରି ଥିଲେ। ବିଶେଷକରି ଯେଉଁ ଔଷଧଗୁଡ଼ିକ ନିୟନ୍ତ୍ରିତ ଶ୍ରେଣୀରେ ପଡ଼େ, ସେଗୁଡ଼ିକର ରେକର୍ଡ ସଠିକ ଭାବେ ରଖାଯାଇଛି କି ନାହିଁ ସେଥିପାଇଁ ଗଭୀର ଧ୍ୟାନ ଦିଆଯାଇଥିଲା।ଏହି ପରିଦର୍ଶନ ସମୟରେ ଭାଗୀରଥୀ ଦୀପ କିରାଣୀ ମଧ୍ୟ ଉପସ୍ଥିତ ଥିଲେ ଓ ଯାଞ୍ଚ ପ୍ରକ୍ରିୟାରେ ସହଯୋଗ କରିଥିଲେ। ପରିଦର୍ଶନ ପରେ ଡ୍ରଗ ଇନ୍ସପେକ୍ଟର ଅଞ୍ଚଳର ଅନ୍ୟାନ୍ୟ ଔଷଧ ବ୍ୟବସାୟୀଙ୍କୁ ମଧ୍ୟ ନିୟମାନୁସାରେ ବ୍ୟବସାୟ କରିବା ପାଇଁ ସଚେତନ କରିଥିବା ସୂଚନା ମିଳିଛି।ସ୍ଥାନୀୟ ଲୋକମାନଙ୍କ ମତାମତ ଅନୁସାରେ, ଏପରି ଅଚାନକ ଯାଞ୍ଚ ଫଳରେ ଔଷଧ ଦୋକାନମାନେ ଅଧିକ ସଚେତନ ହେବେ। ସରକାରୀ ନିୟମାବଳୀ କଡ଼ାକଡ଼ିରେ ପାଳନ ହେଲେ ରୋଗୀମାନେ ସୁରକ୍ଷିତ ଓ ଭଲ ଔଷଧ ପାଇପାରିବେ ବୋଲି ଜନ ସାଧାରଣ ଆଶା ବ୍ୟକ୍ତ କରିଛନ୍ତି।ଡ୍ରଗ ଇନ୍ସପେକ୍ଟରଙ୍କ ଏହି ପରିଦର୍ଶନ ଫଳରେ ବାଲିଗୁଡା ଅଞ୍ଚଳରେ ଔଷଧ ବିକ୍ରୟ ବ୍ୟବସ୍ଥା ପ୍ରତି ଅଧିକ ନିୟନ୍ତ୍ରଣ ଓ ପାରଦର୍ଶିତା ଆସିବ ବୋଲି ଅନୁମାନ କରାଯାଉଛି।