ବାଲିଗୁଡା : ୨୨/୦୨ ସୁକାନ୍ତ କୁମାର ତ୍ରିପାଠୀ
ଚଳିତ ବର୍ଷର ମେଟ୍ରିକ ପରୀକ୍ଷାର ପ୍ରଥମ ଦିନରେ କନ୍ଧମାଳ ଜିଲ୍ଲାର କ.ନୂଆଗାଁ ବ୍ଲକରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ପ୍ରାୟ ତିରିଶିରୁ ଅଧିକ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଟ୍ରାକ୍ଟର ଡାଲାରେ ବସି ତିନି କିଲୋମିଟର ଦୂରରେ ଥିବା ପରୀକ୍ଷା କେନ୍ଦ୍ରକୁ ଯାଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।ସୂଚନା ଅନୁଯାୟୀ, କ.ନୂଆଗାଁ ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ପରୀକ୍ଷା କେନ୍ଦ୍ର କୁଡୁତୁଲି ଉଚ୍ଚ ବିଦ୍ୟାଳୟରେ ନିର୍ଦ୍ଧାରିତ ହୋଇଥିଲା। ପରୀକ୍ଷା କେନ୍ଦ୍ରକୁ ପହଞ୍ଚିବା ପାଇଁ କୌଣସି ସରକାରୀ ବା ବିଦ୍ୟାଳୟ ପକ୍ଷରୁ ବିଶେଷ ବ୍ୟବସ୍ଥା ନଥିବାରୁ କିଛି ଛାତ୍ର ଟ୍ରାକ୍ଟର ଡାଲାରେ ବସି ବିପଦସଂକୁଳ ଭାବେ ପରୀକ୍ଷା କେନ୍ଦ୍ରକୁ ଯାଇଥିବା ଦେଖାଯାଇଛି।ଏହି ଘଟଣାକୁ ନେଇ ସାଧାରଣ ଲୋକ ଓ ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପରୀକ୍ଷାର୍ଥୀଙ୍କ ସୁରକ୍ଷା ଓ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ଶିକ୍ଷା ବିଭାଗର ବ୍ୟବସ୍ଥାପନା ଓ ସରକାରଙ୍କ ଶିକ୍ଷା ନୀତି ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।ଏନେଇ କ.ନୂଆଗାଁ ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ରଥ କହିଛନ୍ତି ଯେ, ଟ୍ରାକ୍ଟର ଡାଲାରେ ବସି ଯାଉଥିବା ଛାତ୍ରମାନେ ତାଙ୍କ ବିଦ୍ୟାଳୟର ଡେସ୍ସ୍କଲାର୍ ଛାତ୍ର କି ନୁହେଁ, ସେଥିପାଇଁ ସ୍ପଷ୍ଟତା ନାହିଁ। ତେବେ ଯେଉଁ ବି ଛାତ୍ର ହୁଅନ୍ତୁ, ଏପରି ଭାବରେ ଟ୍ରାକ୍ଟର ଡାଲାରେ ବସି ପରୀକ୍ଷା କେନ୍ଦ୍ରକୁ ଯିବା ଅନୁଚିତ ବୋଲି ସେ କହିଛନ୍ତି। ଘଟଣା ସମ୍ପର୍କରେ ତଦନ୍ତ ଚାଲିଥିବା ସହ ଟ୍ରାକ୍ଟର ଚାଳକଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯିବ ବୋଲି ସୂଚନା ମିଳିଛି।ବିଭାଗ ପକ୍ଷରୁ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କୁ ନେବା ପାଇଁ କୌଣସି ବିଶେଷ ବ୍ୟବସ୍ଥା ନଥିବାରୁ ଅଭିଭାବକମାନେ ନିଜ ଦାୟିତ୍ୱରେ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ପଠାଇବା ଉଚିତ ବୋଲି ମତ ପ୍ରକାଶ ପାଇଛି।ତେବେ ଏହି ଘଟଣା ପରେ ପ୍ରଶ୍ନ ଉଠୁଛି, ବିପଦସଂକୁଳ ପରିସ୍ଥିତିରେ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଶେଷ ପର୍ଯ୍ୟନ୍ତ ଉତ୍ତରଦାୟୀ କିଏ? ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ କୌଣସି ପ୍ରକାର ଅବହେଳା ନହେଉ,ଏନେଇ ସମସ୍ତ ମହଳରେ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ ବୋଲି ଦାବି ହେଉଛି।