ବାଲିଗୁଡା, ୧୫/୦୨ (ସୁକାନ୍ତ କୁମାର ତ୍ରିପାଠୀ):ପବିତ୍ର ମହାଶିବରାତ୍ରୀ ଓ ‘ଜାଗର’ ଉତ୍ସବ ଅବସରରେ ବାଲିଗୁଡା ଓ ଏହାର ଆସପାସ ଅଞ୍ଚଳର ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି। ଭୋରୁ ହିଁ ଛୋଟ ପିଲାଠାରୁ ବୟସ୍କ ଓ ଶ୍ରଦ୍ଧାଳୁମାନଙ୍କ ଭିଡ଼ ବିଭିନ୍ନ ଶିବମନ୍ଦିରରେ ଲାଗିଥିଲା।ଅଞ୍ଚଳର ପ୍ରମୁଖ ଶିବମନ୍ଦିର ଯଥା ବିରୁପାକ୍ଷ ମନ୍ଦିର, ରାମେଶ୍ୱର ମନ୍ଦିର, ଦଣ୍ଡପଦର ଧବଳେଶ୍ୱର ମନ୍ଦିର ଓ ଜଳେଶପଟ୍ଟା ଜଳେଶ୍ୱର ମନ୍ଦିରରେ ସମସ୍ତ ପ୍ରକାର ନୀତିକାନ୍ତି ସହ ଦିନଭର ପୂଜାର୍ଚ୍ଚନା ଓ ଅଭିଷେକ କାର୍ଯ୍ୟ ହୋଇଥିଲା। ଶ୍ରଦ୍ଧାଳୁମାନେ ମହାଦେବଙ୍କୁ ଜଳାଭିଷେକ କରି ଦର୍ଶନ କରିଥିଲେ।ଏହି ପବିତ୍ର ଅବସରରେ କନ୍ଧମାଳ ଜିଲ୍ଲାକୁ ଆସିଥିବା କିଛି


ବିଦେଶୀ ଭକ୍ତମାନେ ମଧ୍ୟ ଶ୍ରଦ୍ଧାର ସହ ଶିବାରାଧନା କରୁଥିବା ଦେଖାଯାଇଥିଲା। ଆସ୍ଥା ଓ ବିଶ୍ୱାସ ଅନୁସାରେ ମହାଶିବରାତ୍ରୀରେ ଉପବାସ ରଖି ଜାଗର କରି ଦୀପ ପ୍ରଜ୍ଜ୍ୱଳନ କଲେ ମନୋକାମନା ପୂରଣ ହୁଏ ବୋଲି ଭକ୍ତମାନଙ୍କ ବିଶ୍ୱାସ ରହିଛି।ରାତ୍ରିରେ ମହାଦୀପ ପ୍ରଜ୍ଜ୍ୱଳନ ସହ ଜାଗର ଦୀପ ଜାଳିବା ପାଇଁ ପୂଜା କମିଟି ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଥିଲା। ସନ୍ଧ୍ୟା ସମୟରେ ଭଜନ-କୀର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଶ ଭକ୍ତିମୟ ହୋଇଉଠିଥିଲା।ଭକ୍ତମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପରିଚାଳନା କମିଟି ଓ ପୁଲିସ ବିଭାଗ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।