ବାଲିଗୁଡା: 07/02 ସୁକାନ୍ତ କୁମାର ତ୍ରିପାଠୀ
ମହିଳା ସ୍ୱାବଲମ୍ବନ ଓ ଉଦ୍ୟୋଗୀତାକୁ ଉତ୍ସାହିତ କରିବା ଲକ୍ଷ୍ୟରେ ବାଲିଗୁଡାରେ ‘ସୁଭଦ୍ରା ଶକ୍ତି ମେଳା’ ଅନୁଷ୍ଠିତ ହେବ। ଏହି ମେଳା ଆସନ୍ତା ୮ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ବାଲିଗୁଡା ଉପ-ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ପାଦିକ ସମ୍ମିଳନୀରେ ଉପ-ଜିଲ୍ଲାପାଳ ପ୍ରଣୀତା ଦାସ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ମେଳାରେ ଜିଲ୍ଲା ସହ ଜିଲ୍ଲା ବାହାରରୁ ଶତାଧିକ ସ୍ୱୟଂସହାୟିକା ଗୋଷ୍ଠୀ ଓ ମହିଳା ଉଦ୍ୟୋଗୀ ଅଂଶଗ୍ରହଣ କରିବେ।ମେଳାରେ ‘ଲକ୍ଷପତି ଦିଦି’ମାନେ ମଧ୍ୟ ଭାଗ ନେଇ ନିଜ ସଫଳତା କାହାଣୀ ମାଧ୍ୟମରେ ଅନ୍ୟ ମହିଳାମାନଙ୍କୁ ପ୍ରେରଣା ଦେବେ। ଦୀର୍ଘ ବର୍ଷ ଧରି ପାରମ୍ପରିକ ଉତ୍ପାଦ ତିଆରି କରି ରାଜ୍ୟ ଓ ରାଜ୍ୟ ବାହାରେ ବିକ୍ରୟ କରୁଥିବା ମହିଳା ଗୋଷ୍ଠୀମାନେ ମଧ୍ୟ ଏହି ମେଳାରେ ଅଂଶ

ଗ୍ରହଣ କରିବେ।ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମହିଳା କଲ୍ୟାଣ ଯୋଜନାଗୁଡିକର ସୁଫଳ କିପରି ମହିଳାମାନେ ପାଇପାରିବେ, ସେଥିପାଇଁ ମେଳାରେ ସୂଚନା ଓ ପରାମର୍ଶ ଦିଆଯିବ ବୋଲି ଉପ-ଜିଲ୍ଲାପାଳ କହିଛନ୍ତି।ଜିଲ୍ଲାର ସମସ୍ତ ବ୍ଲକ ଓ ଏନଏସି ଅଞ୍ଚଳରୁ ମହିଳାମାନେ ମେଳାରେ ଯୋଗଦେବେ। ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ରାଜ୍ୟର ଲୋକପ୍ରିୟ କଣ୍ଠଶିଳ୍ପୀ ଓ ଜିଲ୍ଲାର ବଛାବଛା ମହିଳା କଳାକାରମାନେ ନିଜ କଳା ପ୍ରଦର୍ଶନ କରିବେ।କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ମିଶନ ଶକ୍ତି ବିଭାଗର ମିଳିତ ଉଦ୍ୟମରେ ଏହି ମେଳା ଆୟୋଜିତ ହେଉଛି। କାର୍ଯ୍ୟକ୍ରମ ସଫଳ କରିବା ପାଇଁ ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, ଅତିରିକ୍ତ ଉପ-ଜିଲ୍ଲାପାଳ, ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଅକ୍ଷୟ ମଲ୍ଲିକ, ତହସିଲଦାର ଦୀପ୍ତି ପ୍ରସାଦ ବେହେରା ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଓ ସମସ୍ତ ସାମ୍ପାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।
