ଗ୍ରାମୀଣ ନାଟକର ଅଶ୍ଳୀଳତା ପ୍ରତି ପ୍ରଶାସନିକ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ

ବ୍ରହ୍ମପୁର,(ବିଚିତ୍ର ସାହୁ)

ବରିଷ୍ଠ କଳାକାର ମହାସଂଘ ବ୍ରହ୍ମପୁର, ତା. ୧୭/୧୧ : ସାମ୍ପ୍ରତି ଗ୍ରାମୀଣ ନାଟକ କ୍ଷେତ୍ରରେ ଦେଖା ଯାଉଥିବା ଅଶ୍ଳୀଳତା ଚରମ ସୀମାରେ ପହଞ୍ଚିସାରିଛି। ଏଥିରେ କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ପକ୍ଷରୁ ଉଦବେଗ ଓ କ୍ଷୋଭ ପ୍ରକାଶ ସହ ଘୋର ନିନ୍ଦା କରାଯାଇଛି। ମହାସଂଘ ତରଫରୁ ସୋରଳ, ସୁରେଶ ହସ୍ପିଟାଲ୍ ସଭାକକ୍ଷଠାରେ ଏକ ଆହୁତ ବୈଠକରେ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଅଧ୍ୟକ୍ଷତା କରିଥିବା ବେଳେ ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, କାର୍ଯ୍ୟକାରୀ ସଭାପତି ଡଃ. ବିଜୟ ଚନ୍ଦ୍ର ମହାରଣା, ବରିଷ୍ଠ କଳାକାର ପ୍ରମୋଦ କୁମାର ସାମନ୍ତ, ଅଭିନେତା ୟୁଶୁଫ ସରିଫ, କଣ୍ଠଶିଳ୍ପୀ ପ୍ରିୟଦର୍ଶୀ ପାଳ ପ୍ରମୁଖ ମଞ୍ଚାସୀନ ଥିଲେ। ମହାସଚିବ ସୁବାସ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେବା ପରେ ବୈଠକରେ ଦଣ୍ଡନାଚ ପ୍ରତି ଜିଲ୍ଲା ପ୍ରସାଶନର ଅଙ୍କୁଶ “ଅପସଂସ୍କୃତି ନୁହଁ, କେବଳ ଲୋକକଳା” ପ୍ରତି ସ୍ୱାଗତ ଓ ଜିଲ୍ଲା ପ୍ରସାଶନକୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ସମ୍ପ୍ରତି ଗ୍ରାମୀଣ ନାଟକ ରାମାୟଣ, ମହାଭାରତ ଭଳି ପୌରାଣିକ ନାଟକରେ ପରମ୍ପରା, ଆଧ୍ୟାତ୍ମିକ ବିଶ୍ୱାସ ଓ ସଂସ୍କୃତିକୁ କୁଠାରାଘାତ କରି ଅଶ୍ଳୀଳତା, ଆଇଟମ୍ ଡାନ୍ସ, ବିପଦଜ୍ଜନକ ଷ୍ଟଣ୍ଟ୍ ପ୍ରବଳ ଭାବରେ ପ୍ରଦର୍ଶିତ ହେଉଛି। ଆମ ପବିତ୍ର ପୁରାଣଶାସ୍ତ୍ରର ସୀତା ଓ ବେଦମତୀ ଭଳି ଦେବୀ ଚରିତ୍ରକୁ ରାବଣ ଅପହରଣ କରି ସେମାନଙ୍କୁ ମଞ୍ଚ ଉପରେ ବିବସନା ଭଳି ବିବତ୍ସ ଦୃଶ୍ୟ ପ୍ରଦର୍ଶନ ହେଉଛି। ସେହିଭଳି ଲୋକ ନାଟକ ‘ଭାରତ ଲୀଳା’ରେ ଅବାଂଛିତ ବାୟା ଚରିତ୍ର ସୃଷ୍ଟି ଓ ଉକ୍ତ ଚରିତ୍ର ମାଧ୍ୟମରେ ଦ୍ବି-ଅର୍ଥକ ସଂଳାପ ଏବଂ ଲଷ୍ମୀ ପୁରାଣ, ରଜା ନାଟ ଆଦିରେ ଅପସଂସ୍କୃତି ପ୍ରୟୋଗ ଆଦି ବିଷୟରେ ଆଲୋଚନା ହୋଇ ଉଦବେଗ ପ୍ରକାଶ ପାଇଥିଲା। ଆମ ଆଧ୍ୟାତ୍ମିକ ବିଶ୍ୱାସକୁ ବିବତ୍ସ ଭାବେ ହତ୍ୟା କରିବା ଦିଗରେ କତିପୟ ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟ କମିଟି ସଦସ୍ୟ ଓ ଅଭିନେତାମାନେ ଆଦୌ ଭ୍ରୁକ୍ଷେପ କରୁନାହାନ୍ତି। ଅର୍ଥଲିପ୍ସୁ ନିର୍ଦ୍ଦେଶକ, ଆଇ. ପି. ଏଲ. ନାଟ୍ୟଧାରା ଓ ଅପରିଣାମଦର୍ଶୀ କଳାକାର ଓ ନାଟ୍ୟ ଦଳ ମୁଖିଆ ମୁଖ୍ୟତଃ ଏଥିପାଇଁ ଦାୟୀ। ଏମାନଙ୍କ ପ୍ରତି ଜିଲ୍ଲା ପ୍ରସାଶନ ପକ୍ଷରୁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯିବା ନିତାନ୍ତ ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ପରିଶେଷରେ ଉପ-ମହାସଚିବ ପ୍ରଦୀପ କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

You might also like
error: Content is protected !!