ବୁଲା କୁକୁର ବନ୍ଧ୍ୟାକରଣ ଓ ଗୋଶାଳା ଦାୟିତ୍ୱ ନେଲେ ବେଙ୍ଗାଳୁରୁ ଓ ଜଗତସିଂପୁର ସଂସ୍ଥା

ବ୍ରହ୍ମପୁର,(ବିଚିତ୍ର ସାହୁ):-

ବ୍ରହ୍ମପୁର ମହାନଗର ନିଗମ ତରଫରୁ ସହର ଅଞ୍ଚଳରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଓ ଗୃହ ପାଳିତ ଗାଈମାନଙ୍କୁ ଗୋଶାଳାରେ ରଖିବା ପାଇଁ ଏକ ଟେଣ୍ଡର ଆହ୍ବାନ କରାଯାଇଥିଲା । ଉକ୍ତ ଆହ୍ବାନ ପ୍ରକାରେ ବେଙ୍ଗାଳୁରୁ ସ୍ଥିତ ଏନିମାଲ ୱେଲଫେୟାର ଅର୍ଗାନାଇଜେସନ୍ ଓ ଜଗତସିଂପୁର ସ୍ଥିତ ପିପୁଲ ଫର୍ ଆନିମଲ୍ସ ଦୁଇଟି ସଂସ୍ଥା ଟେଣ୍ଡର ଦାଖଲ କରିଥିଲେ। ଏହି ଦୁଇ ସଂସ୍ଥାଙ୍କ ଉପସ୍ଥିତିରେ ଆଜି ମହାନଗର ନିଗମ ସମ୍ମିଳନୀ କକ୍ଷରେ ଡେପୁଟି କମିଶନର ଏବଂ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଆଶୀର୍ବାଦ ପରିଡ଼ାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବେଙ୍ଗାଳୁରୁ ସ୍ଥିତ ଏନିମାଲ ୱେଲଫେୟାର ଅର୍ଗାନାଇଜେସନ୍ ସଂସ୍ଥାକୁ ବୁଲା କୁକୁର ବନ୍ଧ୍ୟାକରଣ ଦାୟିତ୍ୱ ଦିଆଯାଇଥିବା ବେଳେ ଜଗତସିଂପୁର ସ୍ଥିତ ପିପୁଲ ଫର୍ ଆନିମଲ୍ସ ସଂସ୍ଥାକୁ ଗୋଶାଳା ପରିଚାଳନା ଦାୟିତ୍ୱ ଦିଆଯାଇଛି। ଉଭୟ ସଂସ୍ଥା ଶୀଘ୍ର ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟ ଆରମ୍ଭ କରିବାକୁ ସମ୍ମତି ଜଣାଇଛନ୍ତି। ଏହି ପଦକ୍ଷେପରେ ସହରରେ ବୁଲା କୁକୁର ଉତ୍ପାତ ନିୟନ୍ତ୍ରଣ ସହିତ ମାଲିକମାନେ ଦୁଧ ଆଦାୟ ପରେ ଛାଡ଼ି ଦେଉଥିବା ଗାଈମାନଙ୍କ ଅସୁବିଧାରୁ ମୁକ୍ତି ମିଳିବ ବୋଲି ସହରବାସୀ ଆଶା ପ୍ରକାଶ କରିଛନ୍ତି। ଆଜିର ବୈଠକରେ ମହାନଗର ନିଗମ ମୁଖ୍ୟ ବିତ୍ତ ଅଧିକାରୀ ଦେବ କୁମାର ସାହୁ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ଡୁଙ୍ଗୁଡୁଙ୍ଗୁ, ଡେପୁଟି ମେୟର ଇ. ବିଭେକ୍ ରେଡ୍ଡି, କର୍ପୋରେଟର ଟି.y କିଶୋର କୁମାର ପାତ୍ର, ମୁଖ୍ୟ ଜିଲ୍ଲା ପ୍ରାଣୀସମ୍ପଦ ଚିକିତ୍ସାଧିକାରୀ ଅଞ୍ଜନ ଦାସ, ଉପଖଣ୍ଡ ପ୍ରାଣୀସମ୍ପଦ ଚିକିତ୍ସାଧିକାରୀ ଡ଼. ଅରବିନ୍ଦ ବେହେରା, ଏ.ଡି.ଭି.ଓ ଜଗଦୀଶ ମହାନ୍ତି, ସିଟି ପ୍ରାଣୀସମ୍ପଦ ଚିକିତ୍ସାଧିକାରୀ ଡ଼. ସତ୍ୟନାରାୟଣ କର, ଜିଲ୍ଲା ଏସ୍‌ପିସିଏ ସଦସ୍ୟ ଲଲାଟେନ୍ଦୁ ଚୌଧୁରୀ, ସମାଜସେବୀ ଓ ପଶୁପ୍ରେମୀ ଅନିଲ କୁମାର ଚୌଧୁରୀ, ଡାଟା ଏଣ୍ଟ୍ରି ଅପରେଟର ରାଜେଶ କୁମାର ବେହେରା, ପିପୁଲ ଫର୍ ଆନିମଲ୍ସ ଶିଲୁ ପ୍ରଭା ରଥଙ୍କ ସମେତ ନିଗମର କର୍ମଚାରୀ ଓ ପଶୁପ୍ରେମୀମାନେ ଉପସ୍ଥିତ ଥିଲେ।

Smart Computer Ad
You might also like
error: Content is protected !!