ଗୋରୁଗାଈଙ୍କ ରାସ୍ତା ଅବରୋଧ ହଟାଇବା ଓ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଉପରେ ଗୁରୁତ୍ବ : ନିଗମ କମିଶନର ରାଜେଶିର୍କେ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ବୁଲା ଗୋରୁଗାଈଙ୍କ ରାସ୍ତା ଅବରୋଧ ଓ କୁକୁରଙ୍କ ପ୍ରାଦୁର୍ଭାବରେ ସହରବାସୀଙ୍କ ଜନଜିବନ ପ୍ରଭାବିତକୁ ଦୃଷ୍ଟିରେ ରଖି ବୁଧବାର ଦିନ ମହାନଗର ନିଗମ ତରଫରୁ ଏକ ବୈଠକ ଡେପୁଟି କମିଶନର ତଥା ବରିଷ୍ଟ ଓଡ଼ିଶା ପ୍ରଶାସନିକ ସେବା ଅଧିକରୀ ଆଶୀର୍ବାଦ ପରିଡ଼ାଙ୍କ ସଭାପତିତ୍ବରେ ମହାନଗର ନିଗମ ସମ୍ବିଳିନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମହାନଗର ନିଗମ କମିଶନର ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଯୋଗଦେଇ ନିଗମ ଅଞ୍ଚଳରେ ୨୪ ଘଣ୍ଟିଆ ପଶୁ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ପାଇଁ ଗୁରୁତ୍ଵ ଦେବା ସହ ବୁଲା ଗୋରୁଗାଈଙ୍କ ରାସ୍ତାରେ ନ ଛାଡ଼ିବା ପାଇଁ ଗାଈ ମାଲିକଙ୍କୁ ତାଗିଦ୍ କରିଛି ବି.ଇ.ଏମ୍.ସି। ଏହାକୁ ଅମାନ୍ଯ କଲେ ଗାଈକୁ ଉଠାଯାଇ ଆଶ୍ରୟସ୍ଥଳୀ ଠାରେ ସାମୟିକ ଭାବେ ରଖାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା। ୧୫ ଦିନ ମଧ୍ୟରେ ଗାଈ ମାଲିକ ତାଙ୍କ ଗାଈକୁ ନେବା ପାଇଁ ଆସିଲେ ଦୁଇ ହଜାର ଟଙ୍କା ଜରିମାନା ଦେବେ ଅନ୍ୟଥା ଉକ୍ତ ଗାଈକୁ ସେଠାରେ ଥିବା ଗୋଶାଳାକୁ ଚିର ଦିନ ପାଇଁ ହସ୍ତାନ୍ତର କରାଯିବ ବୋଲି ଚେତାବନୀ ଦିଆଯାଇଛି । ସେହିପରି ବୁଲା କୁକୁରଙ୍କ ପ୍ରାଦୁର୍ଭାବ ରୋକିବା ପାଇଁ ମହାନଗର ନିଗମ ତରଫରୁ କୁକୁର ଧରିବା ଗାଡ଼ିରେ ନେଇ ପଶୁ ଚିକିତ୍ସାଳୟରେ ଥିବା କୁକୁର କୋଠରୀ ଘରରେ ରଖିବା ସହ ସେମାନଙ୍କୁ ବନ୍ଧ୍ୟାକରଣ କରି ପୁଣି ଛାଡ଼ିଦେବାର ବ୍ୟବସ୍ଥା କରାଯିବ। ଏହି ବନ୍ଧ୍ୟାକରଣ କାର୍ଯ୍ୟ ସପ୍ତାହକୁ ଚାରି ଦିନ ଜାରି ରଖିବା ପାଇଁ କମିଶନର ଶ୍ରୀ ରାଜେଶିର୍କେ ନିର୍ଦ୍ଦେଶ ଦେଇଛନ୍ତି। ଏହି କାମରେ ଯେ କୌଣସି ବ୍ୟକ୍ତି ଖିଲାପ କଲେ ତାହା ବିରୋଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମେୟର ସଂଘମିତ୍ରା ଦଳେଇ, ସହାୟକ ଆୟୁକ୍ତ ବିଭୁ ପ୍ରସାଦ ମହାପାତ୍ର, ନିଗମ କର୍ପୋରେଟର ଟି. କୋଷର କୁମାର ପାତ୍ର, ସଞ୍ଜୀତ ପାଣିଗ୍ରାହୀ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ଡୁଙ୍ଗୁଡୁଙ୍ଗୁ, କନିଷ୍ଠ ଯନ୍ତ୍ରୀ ସୃତିକା ପାତ୍ର, ସାବିତ୍ରୀ ପାଢ଼ୀ, ସହାୟକ କିରାଣୀ ସଞ୍ଜୁକ୍ତା ଜେନା, ବ୍ରହ୍ମପୁର ପ୍ରାଣୀ ସମ୍ପଦ ଚିକିତ୍ସାଧିକାରୀ ଡ. ସତ୍ୟ ନାରାୟଣ କର, ଅତିରିକ୍ତ ଜିଲ୍ଲା ପ୍ରାଣୀ ସମ୍ପଦ ଚିକିତ୍ସା ଅଧିକାରୀ ଡ. ବିଶ୍ୱଜିତ ରାଉତ, ଉପଖଣ୍ଡ ପ୍ରାଣୀ ସମ୍ପଦ ଚିକିତ୍ସା ଅଧିକାରୀ ଡ. ଅରବିନ୍ଦ ବେହେରା, ଏସପିସିଏ ତଥା ମହାନଗର ନିଗମ ଏବିସି କମିଟି ସଦସ୍ୟା ଲଲାଟେନ୍ଦୁ ଚୌଧୁରୀ, ଶ୍ରୀକୃଷ୍ଣ ଗୋଶାଳା ସମ୍ପାଦକ ସୁଶାନ୍ତ ବେହେରା, ପଶୁ ସହାୟିକା ସିଲୁ ପ୍ରଭା ରଥ, ସମାଜସେବୀ ତଥା ପଶୁପ୍ରେମୀ ଅନିଲ କୁମାର ଚୌଧୁରୀ, ଡାଟା ଏଣ୍ଟ୍ରି ଅପରେଟର ରାଜେଶ କୁମାର ବେହେରାଙ୍କ ସମେତ ମହାନଗର ନିଗମର ବହୁ କର୍ମଚାରୀ ଉପସ୍ଥିତ ଥିଲେ।

Smart Computer Ad
You might also like
error: Content is protected !!