ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଚଳିତ ଶିକ୍ଷାବର୍ଷ ଅଧା ପୂରିବାକୁ ବସିଥିବାବେଳେ ପ୍ରାଥମିକ ଶିକ୍ଷକଙ୍କ ବଦଳି ପ୍ରକ୍ରିୟା ସରୁନାହିଁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତାରିଖ ପରେ ତାରିଖ ଦିଆଯାଉଛି, ହେଲେ ବଦଳି ପ୍ରକ୍ରିୟା କରାଯାଉ ନାହିଁ। ଆବେଦନ ସରିବାକୁ ତିନିମାସ ବିତିଥିଲେ ମଧ୍ୟ ଆଶାୟୀଙ୍କ ଆଶା ପୂରଣ ହୋଇପାରୁନି। ଅନେକ ଶିକ୍ଷକ/ଶିକ୍ଷୟିତ୍ରୀ ମାନସିକ ଚାପଗ୍ରସ୍ତ ହେଉଛନ୍ତି। ଅପରପକ୍ଷରେ ରାଜ୍ୟରେ ଏସ୍ଆଇଆର୍ ଲାଗୁ ପାଇଁ ବଦଳି ପ୍ରକ୍ରିୟାରେ ରୋକ୍ ଲାଗିଥିବାରୁ ବଦଳି ଆଶା ଆଶଙ୍କାରେ ପରିଣତ ହୋଇଛି।ବଦଳି ପ୍ରକ୍ରିୟା ପାଇଁ ପ୍ରଥମେ ମେ ୧୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତହିଁରେ ୩୦ ତାରିଖ ପର୍ଯ୍ୟନ୍ତ ଆବେଦନ ଅବଧି ଦିଆଯାଇଥିଲା। ଜୁନ୍ ୩ ତାରିଖରେ ବଦଳି ପାଇଁ ରାଜ୍ୟ ସ୍ତରୀୟ କମିଟି (ଏସ୍ଏଲ୍ସି) ଚୁଡ଼ାନ୍ତ ନିଷ୍ପତ୍ତି ନେବାପରେ ୧୦ ତାରିଖରେ ତାଲିକା ପ୍ରକାଶ ପାଇବ। ଜୁନ୍ ୧୩ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗଦେବାକୁ ଧାର୍ଯ୍ୟ କରାଯାଇଥିଲା। ଏହାପରେ ମେ ୨୮ ତାରିଖରେ ପୂର୍ବ ବିଜ୍ଞପ୍ତିକୁ ପରିବର୍ତ୍ତନ କରି ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ଆବେଦନ ଅବଧିକୁ ବୃଦ୍ଧି କରାଗଲା। ପରିବର୍ତ୍ତିତ ବିଜ୍ଞପ୍ତି ଅନୁଯାୟୀ ସମସ୍ତ ବଦଳି ପ୍ରକ୍ରିୟା ସାରି ଜୁଲାଇ ୨୫ ତାରିଖ ସୁଦ୍ଧା ନୂତନ ବିଦ୍ୟାଳୟରେ ଯୋଗଦେବାକୁ ଧାର୍ଯ୍ୟ କରାଗଲା। ହେଲେ ନିଜର ଟାଇମ୍ଲାଇନ୍କୁ ନିଜେ ପାଳନ କରିପାରିଲାନି ଗଣଶିକ୍ଷା ବିଭାଗ।ସବୁଠାରୁ ରୋଚକ କଥା ହେଲା, ପ୍ରଥମ କରି ବିଧାୟକ ଓ ସାଂସଦଙ୍କ ସୁପାରିଶ ଆଧାରରେ ୧୫ ଜଣ ଶିକ୍ଷକଙ୍କୁ ବଦଳି କରବା ପାଇଁ ଗଣଶିକ୍ଷା ବିଭାଗ ନିୟମ କରିଥିଲା। ଏହି ନିଷ୍ପତ୍ତି ଶୈକ୍ଷିକ ବାତାବରଣକୁ ପ୍ରଭାବିତ କରିବ ବୋଲି ବହୁ ବିଧାୟକ ଅଭିଯୋଗ କରିବା ପରେ ବିଭାଗ ହରଡଘଣାରେ ପଡ଼ିଥିଲା। ପୁଣି ଏହି ନିଷ୍ପତ୍ତି ଉପରେ ଉଚ୍ଚ ନ୍ୟାୟାଳୟ ରୋକ୍ ଲଗାଇବା, ବିଭାଗକୁ ଅଠାକାଠିରେ ପକାଇଛି। ଫଳରେ ସମ୍ପୁର୍ଣ୍ଣ ବଦଳି ପ୍ରକ୍ରିୟା ସେହିଠାରେ ହିଁ ଅଟକି ରହିଛି।ଅପରପକ୍ଷରେ ରାଜ୍ୟରେ ଭୋଟର ତାଲିକା ସଂଶୋଧନ ପାଇଁ ସ୍ପେସିଆଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (ଏସ୍ଆଇଆର୍) ଲାଗୁ ହେଉଥିବାରୁ ଶିକ୍ଷକଙ୍କ ବଦଳି ଉପରେ ରୋକ୍ ଲଗାଯାଇଛି। କାରଣ ବୁଥ୍ ଲେଭେଲ୍ ଅଫିସର୍ (ବିଏଲ୍ଓ) ଦାୟିତ୍ୱରେ ଥିବା ଶିକ୍ଷକମାନଙ୍କ ବଦଳି ହେଲେ ବା ସେହି ସ୍ଥାନ ଖାଲି ରହିଲେ ଏସ୍ଆଇଆର୍ ପ୍ରକ୍ରିୟା ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଣୁ ଏସ୍ଆଇଆର୍ ସହିତ ଜଡ଼ିତ କୌଣସି ଅଧିକାରୀଙ୍କୁ ବଦଳି ନ କରିବାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏନେଇ ମୁଖ୍ୟ ସଚିବ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ନିର୍ଦ୍ଦେଶନାମା ଜାରି ହୋଇଥିବାରୁ ଶିକ୍ଷକଙ୍କ ବଦଳି ପ୍ରକ୍ରିୟା ଏକ ପ୍ରକାର ଠପ୍ ହୋଇଯାଇଛି। କେବେ ବଦଳି ପ୍ରକ୍ରିୟା ସରିବ ସେନେଇ କାହା ପାଖରେ ସ୍ପଷ୍ଟ ଉତ୍ତର ନ ଥିବାବେଳେ ବିଏଲ୍ଓଙ୍କୁ ବାଦ୍ ଦେଇ ବଦଳି ପ୍ରକ୍ରିୟା ସାରିବାକୁ ବିଭିନ୍ନ ଶିକ୍ଷକ ସଂଗଠନ ଦାବି କରିଛନ୍ତି।