ସମନ୍ୱିତ ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ କଲା ଡିଆରଡିଓ

ଭୁବନେଶ୍ୱର,(ପିଆଇବି):-

ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ସମନ୍ୱିତ ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀ (ଆଇଏଡିଡବ୍ଲୁଏସ)ର ପ୍ରଥମ ସଫଳ ପରୀକ୍ଷଣ ସମ୍ପନ୍ନ କରିଛି। ୨୩ ଅଗଷ୍ଟ ୨୦୨୫ରେ ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଓଡ଼ିଶା ଉପକୂଳରୁ ଏହି ପରୀକ୍ଷଣ କରାଯାଇଥିଲା। ଆଇଏଡିଡବ୍ଲୁଏସ ଏକ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯେଉଁଥିରେ ସମସ୍ତ ସ୍ୱଦେଶୀ ତ୍ୱରିତ ମୁକାବିଲା କ୍ଷମତା ସମ୍ପନ୍ନ ଭୂପୃଷ୍ଠରୁ ଆକାଶମାର୍ଗକୁ ଲକ୍ଷ୍ୟ ଭେଦ କରିପାରୁଥିବା କ୍ଷେପଣାସ୍ତ୍ର ସଂଯୋଗ କରାଯାଇଛି। ଏହାଛଡ଼ା ଏଥିରେ ଉନ୍ନତ ଅତି ସ୍ୱଳ୍ପ ଦୂରଗାମୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ର ଏବଂ ଉଚ୍ଚ କ୍ଷମତାସମ୍ପନ୍ନ ଲେଜର ଆଧାରିତ ଲକ୍ଷ୍ୟଭେଦକାରୀ ଶକ୍ତିଶାଳୀ ଯୁଦ୍ଧାସ୍ତ୍ର (ଡିଇଡବ୍ଲୁ) ମଧ୍ୟ ଖଞ୍ଜା ହୋଇଛି ।

ଏହି କାର୍ଯ୍ୟକ୍ରମର ଅଗ୍ରଣୀ ପ୍ରୟୋଗଶାଳା ରୂପେ ମାନ୍ୟତା ଲାଭ କରିଥିବା ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରୟୋଗଶାଳା ଦ୍ୱାରା ବିକଶିତ ଏକ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର ଦ୍ୱାରା ଅସ୍ତ୍ର ପ୍ରଣାଳୀର ସବୁ ଉପକରଣକୁ ସମନ୍ୱିତ ପରିଚାଳନା ଓ ନିୟନ୍ତ୍ରିତ କରାଯାଇଥାଏ। ଭିଏସଏଚଓଆରଏଡିଏସକୁ ରିସର୍ଚ୍ଚ ସେଣ୍ଟର ଇମାରତ ଦ୍ୱାରା ବିକଶିତ କରାଯାଇଥିବା ବେଳେ ଡିଇଡବ୍ଲୁକୁ ସେଣ୍ଟର ଫର୍‌ ହାଇ ଏନର୍ଜି ସିଷ୍ଟମ୍ସ ଆଣ୍ଡ ସାଇନ୍ସେସ୍‌ ଦ୍ୱାର ବିକଶିତ କରାଯାଇଛି ।

ଆଜିର ଆକାଶମାର୍ଗ ପରୀକ୍ଷଣ ସମୟରେ ଦୁଇଟି ଉଚ୍ଚ ଗତିଶୀଳ ଫିକ୍ସଡ୍‌ ୱିଙ୍ଗ ମାନବବିହୀନ ଆକାଶମାର୍ଗର ଲକ୍ଷ୍ୟ ଏବଂ ଗୋଟିଏ ମଲ୍ଟି କ୍ୟାପ୍ଟର ଡ୍ରୋନ୍‌ ସମେତ ତିନୋଟି ଭିନ୍ନ ଭିନ୍ନ ଲକ୍ଷ୍ୟକୁ ଏକ ସଙ୍ଗେ ଟାର୍ଗେଟ୍‌ କରାଯାଇଥିଲା। କ୍ୟୁଆରଏସଏଏମ, ଭିଏସଏଚଓଆରଏଡିଏସ ଏବଂ ଉଚ୍ଚ କ୍ଷମତାସମ୍ପନ୍ନ ଲେଜର ଅସ୍ତ୍ର ପ୍ରଣାଳୀ ଦ୍ୱାରା ଭିନ୍ନ ଭିନ୍ନ ଦୂରତା ଏବଂ ଉଚ୍ଚତାରେ ଏକ ସମୟରେ ଏଗୁଡ଼ିକୁ ଟାର୍ଗେଟ୍‌ କରାଯାଇ ଧ୍ୱଂସ କରି ଦିଆଯାଇଥିଲା।  କ୍ଷେପଣାସ୍ତ୍ର ପ୍ରଣାଳୀ ଏବଂ ଡ୍ରୋନ ଚିହ୍ନଟ ଓ ଧ୍ୱଂସ ପ୍ରଣାଳୀ, ଅସ୍ତ୍ର ପ୍ରଣାଳୀର କମାଣ୍ଡ ଏବଂ ନିୟନ୍ତ୍ରଣ ସମେତ ଯୋଗାଯୋଗ ଓ ରାଡାର ଆଦିକୁ ନେଇ ସମ୍ପୂର୍ଣ୍ଣ ଅସ୍ତ୍ର ପ୍ରଣାଳୀ ଉପକରଣ ତ୍ରୁଟିଶୂନ୍ୟ ପ୍ରଦର୍ଶନ କରିଥିଲା। ଫ୍ଲାଇଟ୍‌ ତଥ୍ୟ ନିରୀକ୍ଷଣ ଲାଗି ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟି ଦ୍ୱାରା ନିୟୋଜିତ କରାଯାଇଥିବା ରେଞ୍ଜ ଉପକରଣଗୁଡ଼ିକ ଅସ୍ତ୍ର ପ୍ରଣାଳୀର ସଠିକ୍‌ ପ୍ରଦର୍ଶନକୁ ପ୍ରମାଣିତ କରିଥିଲା। ଡିଆରଡିଓର ବରିଷ୍ଠ ବୈଜ୍ଞାନିକ ଏବଂ ସେନାବାହିନୀର ପ୍ରତିନିଧିମାନେ ଏହି ପରୀକ୍ଷଣ ସମୟରେ ଉପସ୍ଥିତ ରହିଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଆଇଏଡିଡବ୍ଲୁଏସର ସଫଳ ବିକାଶ ପାଇଁ ଡିଆରଡିଓ, ସେନାବାହିନୀ ଏବଂ ଶିଳ୍ପ ଅଂଶୀଦାରମାନଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏହି ଅଭିନବ ଉଡ଼ାଣ-ପରୀକ୍ଷଣ ଦେଶର ବହୁସ୍ତରୀୟ ବାୟୁ-ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିଛି । ଏହା ଆକାଶମାର୍ଗରୁ ଆସୁଥିବା ଶତ୍ରୁ ପକ୍ଷର ଆକ୍ରମଣକୁ ନିରସ୍ତ୍ର କରିବାରେ ଦେଶର ପ୍ରତିରକ୍ଷା କ୍ଷମତାକୁ ମଜବୁତ କରିବ।

ପ୍ରତିରକ୍ଷା ବିଭାଗ ଗବେଷଣା ଏବଂ ବିକାଶ ସଚିବ ଏବଂ ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ସମୀର ଭି କାମତ ସଫଳ ଉଡ଼ାଣ-ପରୀକ୍ଷଣରେ ସାମିଲ ସମସ୍ତ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

You might also like
error: Content is protected !!