ଛତ୍ରପୁର, 21-08, ବିଚିତ୍ର ସାହୁ: ଅଗଷ୍ଟ 21କୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ରୂପେ ସର୍ବତ୍ର ପାଳନ କରାଯାଉଥିବା ଅବସରରେ ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳାନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଏହି ଦିବସ ପାଳନ କରାଯାଇଛି।ମଞ୍ଚର ଆଇନ ପରାମର୍ଶ ଦାତା ତଥା ଛତ୍ରପୁରର ବରିଷ୍ଠ ଆଇନଜୀବି ବିଜୟ କୃଷ୍ଣ ପଟ୍ଟନାୟକ ମୁଖ୍ଯ ଅତିଥି ରୂପେ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ବିଭିନ୍ନm ସମସ୍ଯା ଉପରେ ଆଲୋଚନା କରି ସେମାନଙ୍କୁ ସବୁ ସ୍ତରରେ ସହଯୋଗ କରାଯିବା ଉପରେ ମତ ପ୍ରଦାନ କରିଥିଲେ।ସଭାପତି ନରହରି ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ବରିଷ୍ଠ ସାହିତ୍ୟିକ ତଥା କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ମୁଖ୍ଯ ବକ୍ତା ରୂପେ ଯୋଗଦେଇ ବିଭିନ୍ନ ପୌରାଣିକ ଆଖ୍ୟାନ ସହ ବରିଷ୍ଠ ମାନେ ସବୁ ସମୟରେ ଅଗ୍ରପୂଜ୍ୟ ଏବଂ କୌଣସି ପରିସ୍ଥିତିରେ ସେମାନଙ୍କୁ ଅବହେଳା କରାଯିବା ଠିକ୍ ନୁହେ ବୋଲି ମତବ୍ୟକ୍ତ କରିଥିଲେ।ଅଞ୍ଚଳର ବରିଷ୍ଠ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲକ୍ଷ୍ମୀନାରାୟଣ ଶତପଥି ସମ୍ମାନୀତ ଅତିଥି ରୂପେ ବରିଷ୍ଠ ମାନଙ୍କ ସମାଜ ପ୍ରତି ଅବଦାନ ସମ୍ପର୍କରେ ବକ୍ତବ୍ଯ ରଖି ପୁତ୍ର କନ୍ଯାମାନେ ସେମାନଙ୍କ ଉପଯୁକ୍ତ ଯତ୍ନ ନେବା ଉପରେ ଗୁରୁତ୍ବ ଆରୋପ କରିଥିଲେ।ଅନ୍ଯତମ ଅତିଥି ରୂପେ ଶିକ୍ଷକ ମହାସଂଘର ରାଜ୍ଯ କାର୍ଯ୍ଯକାରୀ ସଭାପତି ଅଶୋକକୁମାର ଦଳାଇ ଯୋଗଦେଇ ବକ୍ତବ୍ଯ ରଖିଥିଲେ।ଗ୍ରମରଯୁବ ସମାଜସେବୀ ବିକ୍ରମ କୁମାର ପାଣିଗ୍ରାହୀ ବରିଷ୍ଠମାନଙ୍କ ସେବାରେ ଯୁବବର୍ଗର ଦାୟୀତ୍ବ ଓ କର୍ତ୍ତବ୍ଯ ଉପରେ ମତ ଉପସ୍ଥାପନକରି ଯୁବ ସମାଜ ବରିଷ୍ଠମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା ପାଇଁ ଯୁବ ବର୍ଗଙ୍କୁ ଆହ୍ବାନ ଦେଇଥିଲେ।ମଞ୍ଚର ସଂଯୋଜକ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାମରାଜୁ ମହାରଣା ଏହି ଦିବସ ପାଳନର ଉଦ୍ଦେଶ୍ଯ ବର୍ଣ୍ଣନା କରି ଅତିଥି ପରିଚୟ ପ୍ରଦାନ କରିଥିଲେ।ଏଇ ଅବସରରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ନିମନ୍ତ୍ରିତ ବରିଷ୍ଠ ନାଗରିକ ଶୁକୁରୁ ପ୍ରଧାନ,କୈବଲ୍ଯ ପ୍ରଧାନ,ଗୋଦାବରୀ ପଣ୍ଡା ଓ ଗାଣ୍ଡୁ ଗୌଡଙ୍କୁ ମଞ୍ଚ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।କୋଷାଧ୍ଯକ୍ଷ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ମଞ୍ଚ ସଂଯୋଜନା କରିଥିବା ବେଳେ ସଂପାଦକ ଗଗନ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ଯକାରୀ ସଭାପତି ଅଭିମନ୍ଯୁ ସାହୁ, ଈଶ୍ବର ପ୍ରଧାନ, ସୋମନାଥ ବେହେରା, ବାବୁଲା ପ୍ରଧାନ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।