ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ରାଜ୍ୟ ସରକାର ବ୍ରହ୍ମପୁର ପୌରସଂସ୍ଥାକୁ ବ୍ରହ୍ମପୁର ପୌରପରିଷଦ ରୂପେ ୨୦୦୮ ମସିହାରେ ଘୋଷଣା କରିଛନ୍ତି । ଏହା ପରେ ଓଡ଼ିଶା ପୌରପରିଷଦ ଆଇନ ୨୦୦୩ ଲାଗୁ ହୋଇଛି l ଏବଂ ଓଡ଼ିଶା ପୌରସଂସ୍ଥା ଆଇନ୍ ୧୯୫୦ ଅଚଳ ହୋଇଯାଇଛି । କିନ୍ତୁ ଆଜି ଯାଏଁ ବ୍ରହ୍ମପୁର ପୌରପରିଷଦ ପୁରୁଣା ଅଚଳ ଆଇନ୍ (ଓଡ଼ିଶା ପୌରସଂସ୍ଥା ୧୯୫୦ ଆଇନ୍ ) ପ୍ରକାରେ ଘର ଟିକସ ଧାର୍ଯ୍ୟ ବେଆଇନ୍ ଭାବାରେ ଆଦାୟ କରୁଛି l ଘର ଟିକସ ବୃଦ୍ଧି କରିବା ପାଇଁ ଓଡ଼ିଶା ପୌରପରିଷଦ ଆଇନ୍ ୨୦୦୩ କୁ ବ୍ରହ୍ମପୁର ପୌରପରିଷଦ କାର୍ଯ୍ୟକାରୀ କରିନାହିଁ l ଏବଂ ବେଆଇନ୍ ଭାବେ ବର୍ଦ୍ଧିତ ଟିକସ ଆଦାୟ କରୁଛି l ବୁଧବାର ଦିନ ଗଞ୍ଜାମ ଓକିଲ ସଂଘର ବହୁ ଓକିଲ ବ୍ରହ୍ମପୁର ପୌର ପରିଷଦର କମିସନରଙ୍କୁ ସାକ୍ଷାତ କରି ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଓ ମାନ୍ୟବର ଉଚ୍ଚତମ ନ୍ୟାୟାଳୟର ଏହି ସମ୍ବନ୍ଧୀୟ ନିର୍ଦ୍ଦେଶନାମା ଗୁଡ଼ିକ ପ୍ରଦାନ କରିଥିଲେ l ବ୍ରହ୍ମପୁର ପୌରପରିଷଦ ବେଆଇନ୍ ରୂପେ ବର୍ଦ୍ଧିତ ଘର ଟିକସ ଆଦାୟ କରିବା ଓଡ଼ିଶା ପୌରପରିଷଦ ଆଇନ୍ ୨୦୦୩ ପ୍ରକାରେ ନିବୃତ ରହୁ ବୋଲି ଓକିଲ ମାନେ ଦାବି କରିଛନ୍ତି । ଏହି ବର୍ଦ୍ଧିତ ଟିକସକୁ ବିରୋଧ କରି ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ରିଟ ମାମଲା ଦାଖଲ କରିଛନ୍ତି । ମାନ୍ୟବର ଉଚ୍ଚ ନ୍ୟାୟାଳୟ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶରେ ତାଙ୍କ ଠାରୁ ବର୍ଦ୍ଧିତ ଘର ଟିକସ ଆଦାୟ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ନିକଟରେ ଦେଇଥିବା ନିର୍ଦ୍ଦେଶନାମାକୁ ଉଚ୍ଚ ନ୍ୟାୟାଳୟରେ ଦାଖଲ କରିଥିଲେ । ଭୁବନେଶ୍ଵର ପୌରପରିଷଦ ବନାମ କଲ୍ୟାଣୀ ମେଟେରିନିଟି ହସ୍ପିଟାଲ୍ ମାମଲାରେ ଉଚ୍ଚତମ ନ୍ୟାୟାଳୟ ଭୁବନେଶ୍ୱର ପୌରପରିଷଦ ଟିକସ ବୃଦ୍ଧିକୁ ବେଆଇନ୍ କହିଥିଲ। ଉଚ୍ଚତମ ନ୍ୟାୟାଳୟ ଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ବର୍ଦ୍ଧିତ ଘର ଟିକସ ଆଦାୟ ବେଆଇନ୍ ହୋଇଥିବାରୁ ଏବଂ ଆଇନଜୀବୀ ଶ୍ରୀ ପଣ୍ଡାଙ୍କ ମାମଲା ଏହି ସଂକ୍ରାନ୍ତରେ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ବିଚାରଧୀନ ରହିଛି l ଏହି ମାମଲା ସମାପ୍ତ ହେବା ପର୍ଯ୍ୟନ୍ତ ବର୍ଦ୍ଧିତ ଘର ଟିକସ ବ୍ରହ୍ମପୁର ଜନ ସଧାରଣଙ୍କ ଠାରୁ ଆଦାୟ ନ କରି ପୁରୁଣା ଦର ରେ ଆଦାୟ କରାଯାଉ ବୋଲି ଓକିଲ ମାନେ ପୌରପରିଷଦ କମିସନରଙ୍କ ଠାରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ବ୍ରହ୍ମପୁର ପୌରପରିଷଦ ଓଡ଼ିଶା ପୌରପରିଷଦ ଆଇନ୍ ୨୦୦୩ ପ୍ରକାରେ ନିୟମ ଓ ଉଚିତ୍ ପ୍ରକିୟାରେ ପୌରପରିଷଦ ଟିକସ ବୃଦ୍ଧି କରିବା ଉଚିତ୍ ବୋଲି ସେମାନେ କହିଛନ୍ତି l ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ଶ୍ରୀ ପଣ୍ଡା, ରଘୁନାଥ ପାଣିଗ୍ରାହୀ, ଶ୍ରୀକାନ୍ତ ପଟ୍ଟନାୟକ, ଅଶୋକ ଶୁକ୍ଳ, ଲାଲବାହାଦୁର ପଟ୍ଟନାୟକ, ସଞ୍ଜୟମିଶ୍ର ,ପ୍ରଫୁଲ୍ଲ ପାଣିଗ୍ରାହୀ, ବିରଞ୍ଚି ମହାପାତ୍ର, ମୁନା ସିଂ, ଚିନ୍ମୟ ହୋତା, ଲୋକନାଥ ପୂଜାରୀ, ଗୌରାଙ୍ଗ ଚୌଧୁରୀ, ଆଲୋକ ସାହୁ, ସନ୍ତୋଷ ପାତ୍ର, ବାବୁଲା ମାଝୀ,ସୁକାନ୍ତ ଗୌଡ, ଚନ୍ଦ୍ର ଶେଖର ଗୌଡ, ମନୋଜ ପାଣିଗ୍ରାହୀ, ବାଲାଜୀ ରେଡୀ, ଅସିତ ପାତ୍ର, ବିଶ୍ଵଜିତ ସେଠୀ, ସୁଦର୍ଶନ ସେଠୀ, ବିଜୟ ସାହୁ, ସୁଶାନ୍ତ ଗୌଡ,ସୁପ୍ରଭା କୁମାରୀ ଦାଶ, ସୁନନ୍ଦା ସେଠୀଙ୍କ ସମେତ ଅନ୍ୟମାନେ ଯୋଗଦେଇ ଥିଲେ l