ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଆଜି ଅଣସର ତ୍ରୟୋଦଶୀ ଅଣସର ଘରେ ଗୋପନ ନୀତି ପରେ ଅସୁସ୍ଥ ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ଏ ସମ୍ପର୍କରେ ଗଜପତି ମହାରାଜାଙ୍କୁ ବି ସୂଚନା ଦେଇ ସାରିଛନ୍ତି ସେବକ ବୃନ୍ଦ। ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ବି ନିବେଦନ କରିଛନ୍ତି।
ଆଜି ଶ୍ରୀମନ୍ଦିରରେ ଘଣାଲାଗି ନୀତି ଅନୁଷ୍ଠିତ ହେଉଅଛି । ଘଣାଲାଗି ନୀତି ଅନୁଯାୟୀ, ମହାପ୍ରଭୁଙ୍କ ଠାରେ ଲାଗି ହୋଇଥିବା ପୁରୁଣା ବାସୁଙ୍ଗା ପାଟକୁ ଖୋଲା ଯାଇ ମା’ ଲକ୍ଷ୍ମୀଙ୍କ ମନ୍ଦିରରେ ପାଟରା ସେବାୟତଙ୍କ ଦ୍ୱାରା ନିର୍ମାଣ ହୋଇଥିବା ନୂଆ ବାସୁଙ୍ଗା ପାଟକୁ ଲାଗି କରାଯିବାର ପରମ୍ପରା ରହିଛି । ଏହା ପରେ ଶ୍ରୀଅଙ୍ଗରେ ଶ୍ରୀମୁଖ ହୋତା ଲାଗି ହେବ।କାଲି ବିଳମ୍ବିତ ରାତିରୁ ଦଇତାପତି ସେବକମାନେ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ଚାଲିବ। ଅନ୍ୟ ପଟେ ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ବଜ୍ର କରିବା ପାଇଁ ଶୁଦ୍ଧ ସୁଆର ସେବକଙ୍କ ଘରୁ ଦିବ୍ୟ ପ୍ରଲେପ ‘ଖଳି ପ୍ରସାଦ’ ବିଜେ କରିବ। ଏଥି ସହ ଖଡ଼ି ପ୍ରସାଦ ଲାଗି ନୀତି ବି ଅନୁଷ୍ଠିତ ହେବ। ଏହା ପରେ ଅସୁସ୍ଥ ମହାପ୍ରଭୁ ନବଯୌବନ ପ୍ରାପ୍ତି ହେବେ।
ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ମହାପ୍ରଭୁଙ୍କ ଠାରେ ଫୁଲୁରି ତେଲ, ଓଷ ଲାଗି, ଦଶମୂଳ ଲାଗି, ସର୍ବାଙ୍ଗ ଚନ୍ଦନ, ରାଜପ୍ରସାଦ ବିଜେ ପରେ ଖଳିପ୍ରସାଦ ବିଜେ ନୀତି ସମ୍ପନ୍ନ ହେବାର ବିଧି ରହିଛି ଶୁଦ୍ଧ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ (ଖଳି) ରୁପା ପିଂଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି । ଖଳି ଲାଗି ପୂର୍ବରୁ ପ୍ରଭୁଙ୍କ ଘଣା ଲାଗି ଗୋପନ ନୀତି ସଂପନ୍ନ ହୋଇଥାଏ । ଏଥି ପୂର୍ବରୁ ନୂତନ ବିଗ୍ରହଙ୍କୁ ଗୋପନ ସେବାରେ ରକ୍ତ ବସ୍ତ୍ର ଆବରଣ ଦିଆଯାଇଥାଏ । ଗୋପନୀତା ରକ୍ଷା କରି ଦଇତାପତି, ପତି ମହାପାତ୍ର ସେବକମାନେ ଏକ ସ୍ୱତନ୍ତ୍ର ଶୈଳି ଅବଲମ୍ବନରେ ଶ୍ରୀଜିଉଙ୍କୁ ରକ୍ତ ବସ୍ତ୍ର ଆବରଣ ଦେଇ ଥାଆନ୍ତି । ଏହା ପରେ ନବଯୌବନ ପୂର୍ବରୁ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ଶେଷ ଦଫାରେ ଖଳି ଲାଗି (ଦିବ୍ୟ ପ୍ରଲେପ) ଦିଆ ଯାଏ । ଏହି ଖଳିକୁ ଶୁଦ୍ଧ ସୁଆରମାନେ ନିଜ ନିଜ ବାସଭବନରେ ଶୁଦ୍ଧ ସହକାରେ ପ୍ରସ୍ତୁତ କରିଥାନ୍ତି । ପୂର୍ବ ରାତ୍ରର ସଂଧ୍ୟା ଧୂପ ସରିବା ପରେ ଏହି ଖଳିକୁ ପ୍ରସ୍ତୁତ କରାଯାଇ ଶୁଦ୍ଧ ସୁଆର ଙ୍କ ବାସଭବନରେ ଅଧିବାସ କରି ରଖାଯାଇଥାଏ । ଏହି ଖଳି ବିଜେ ପାଇଁ ଶ୍ରୀମନ୍ଦିରରୁ ଘଣ୍ଟ,ଛତା ସହ ଡକାରା ଯାଇଥାଏ ଶୁଦ୍ଧ ସୁଆର ସେବକଙ୍କ ବାସଭବନକୁ । ତିନି ଠାକୁର ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ଖଳି ବିଜେରେ ତିନି ଜଣ ସେବାୟତ ଶ୍ରୀମନ୍ଦିର ଯାଇ ଥାଆନ୍ତି । ବିଜେ କାହାଳି, ବଜୟନ୍ତ୍ରୀ, ଘଣ୍ଟ, ଛତା ସହ ଶୋଭାଯାତ୍ରାରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ନିମନ୍ତେ ତିନି ଶୁଦ୍ଧ ସୁଆର ଅଧିବାସିତ ଖଳି ପ୍ରସାଦକୁ (ଦିବ୍ୟ ପ୍ରଲେପ) ଶ୍ରୀମନ୍ଦିର ବିଜେ କରିଥାନ୍ତି । ଏହା ପୂର୍ବରୁ ଏହି ଖଳିକୁ ଶୁଦ୍ଧ ସୁଆରଙ୍କ ବାସ ଭବନରେ ଖଳି ହାଣ୍ଡିକୁ ମହିଳାମାନେ ବନ୍ଦାପନା କରିଥାଆନ୍ତି । ବିଜେ କାହାଳି ବାଜିବା ପରେ ବରକନ୍ଦାଜଙ୍କ ସୁରକ୍ଷା ବଳୟ ଭିତରେ ପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଳି ବିଜେ କରିଥାଆନ୍ତି । ଦଇତାପତିଙ୍କୁ ହସ୍ତାନ୍ତର କରିବା ପରେ ରାତିରେ ଏହି ଖଳିକୁ ଶ୍ରୀବିଗ୍ରହଙ୍କୁ ଲାଗି ହେବା ପରେ ଗୋପନ ସେବା ସଂପନ୍ନ ହୋଇଥାଏ । ଶ୍ରୀମୁଖ ଶୃଙ୍ଗାର ସେବକ ଦତ୍ତ ମହାପାତ୍ରଙ୍କ ଘରୁ ଖଡ଼ି ପ୍ରସାଦ ମଧ୍ୟ ଆଜି ବିଜେ ହେବ। ଅଣସର ଘରେ ପହଞ୍ଚିବା ପରେ ଶ୍ରୀମୁଖ ହୋତା ଉପରେ ଏହି ଖଡି ପ୍ରସାଦ ଲାଗି ହେବାର ବିଧି ରହିଛି