ବ୍ରହ୍ମପୁର, ବିଚିତ୍ର ସାହୁ- ମନୁଷ୍ୟ ସଂସାରର ସର୍ବ ଶ୍ରେଷ୍ଠ ପ୍ରାଣୀ । ଧର୍ମାଚରଣ ଦ୍ବାରା ହିଁ ମଣିଷ ଆତ୍ମୋନ୍ନତି ପଥରେ ଅଗ୍ରସର ହୁଏ । ଧର୍ମର ପ୍ରକୃଷ୍ଟ ଜ୍ଞାନ ନିମନ୍ତେ ବେଦ ହିଁ ସର୍ବୋତ୍ତମ ପ୍ରମାଣ । ଏହି ପରିପ୍ରେକ୍ଷୀରେ ଆମ ଜୀବନ ପଥରେ ଆସୁଥିବା ସକଳ ସମସ୍ୟାକୁ ସମାଧାନ କରିବାର ସରଳ ସୂତ୍ର ତଥା ଆମର ବ୍ୟବହାରିକ ଓ ଆଧ୍ୟାତ୍ମିକ ଜୀବନକୁ ରୁଦ୍ଧିମନ୍ତ କରିବାର ସମସ୍ତ ମାର୍ଗ ବେଦରେ ହିଁ ବର୍ଣ୍ଣିତ ଅଛି । ତେଣୁ ଆମେ ପୁଣି ଥରେ ବେଦର ମାର୍ଗକୁ ଅପନେଇଲୁଲେ ହିଁ ସକଳ ଜଗତର କଲ୍ୟାଣ ହେବ । ବେଦର ଶିକ୍ଷ୍ୟା ସାର୍ବଭୌମ, ସାର୍ବକାଳିକ, ସାର୍ବଜନୀନ, ମାନବତାବାଦୀ ତଥା ବର୍ଗ – ଜାତି – ରଙ୍ଗ – ଲିଙ୍ଗଗତ ଭେଦ ଭାବ, ରାଗ ଦ୍ୱେଷ, ପକ୍ଷପାତ ଆଦିରୁ ରହିତ। ଘରେ ଘରେ ବେଦର ଶିକ୍ଷ୍ୟା ଦିଆଗଲେ ଆମର ପାରିବାରିକ ତଥା ସାମାଜିକ ଶାନ୍ତି ପ୍ରତିଷ୍ଠା ହେବ । ବ୍ରହ୍ମପୁର ବେଦ ପ୍ରଚାର ସମିତି ପକ୍ଷରୁ ସ୍ଥାନୀୟ ଗିରି ରୋଡ ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ପାଢ଼ୀ ସେଲିବ୍ରେସନ୍ ହଲ୍ ଠାରେ ଚଳିତ ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଚତୁର୍ଦିବସୀୟ ବେଦ ପ୍ରବଚନ କାର୍ଯ୍ୟକ୍ରମର ଉଦ୍ଘାଟନ କରି ଶ୍ରୁତିନ୍ୟାସର ଅଧ୍ୟକ୍ଷ ପୂଜ୍ୟ ସ୍ବାମୀ ସୁଧାନନ୍ଦ ସରସ୍ଵତୀ ମହାରାଜ ଉପରୋକ୍ତ ବିଚାର ବ୍ୟକ୍ତ କରିଛନ୍ତି । ନିକଟ ଅତୀତରେ ଗୁଜୁରାଟର ଅହମଦାବାଦ୍ ଠାରେ ଘଟିଥିବା ଭୟାବହ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆମର ଭାଇ ଭଉଣୀ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଥମେ ଦୁଇ ମିନିଟ ଶାନ୍ତି ପ୍ରାର୍ଥନା କରାଯାଇଥିଲା । ପରେପରେ ବମ୍ବେ ଉଚ୍ଚ ନ୍ୟାୟାଳୟର ସରକାରୀ ଓକିଲ ତଥା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ବ୍ରହ୍ମପୁର ଶାଖାର ସକ୍ରିୟ ସଦସ୍ୟ ଶ୍ରୀଯୁକ୍ତ ଶ୍ରୀକାନ୍ତ ପାଢ଼ୀ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ଆଜିର ସମୟରେ ଆମ ସଂସ୍କୃତିର ମୂଳ ଧର୍ମଗ୍ରନ୍ଥ ବେଦ ସମ୍ବନ୍ଧରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆମର ମୂଳ ଲକ୍ଷ୍ୟ ହେବା ଉଚିତ୍ । ବେଦ ପ୍ରଚାର ସମିତି ବ୍ରହ୍ମପୁର ଶାଖାର ଦୟା ସାଗର ସାହୁ, ବିଷ୍ଣୁ ପ୍ରସାଦ ମୁନି, ଆର୍ ମୋହନ ରେଡ୍ଡୀ, ଅଶୋକ ସୁବୁଦ୍ଧି, ଯୋଗେଶ୍ୱର ପଣ୍ଡା, ବସନ୍ତ କୁମାର ଚୌଧୁରୀ, ସଞ୍ଜୟ ଜେନା, ରାଜେଶ୍ୱର ସୁବୁଦ୍ଧି, ଟି. ଭେଙ୍କେଟ ରାଓ, ଭବାନୀ ଶଙ୍କର ମହାପାତ୍ର, ବାବୁଲା ଶୁକ୍ଳା, ଦୀପ୍ତିରାଣୀ ମହାନ୍ତି ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏଥିରେ ୪୦୦ ରୁ ଉର୍ଦ୍ଧ୍ବ ବେଦ ପ୍ରେମୀ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଏହା ଆଗାମୀ ୧୬ ତାରିଖ ଯାଏଁ ଚାଲିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି ।