ଲିଙ୍ଗରାଜ ମହାପ୍ରଭୁଙ୍କ ବିବାହ କାହା ସଙ୍ଗେ ହୁଏ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ଏକାମ୍ର ଓ ଗୋପାଳୁଣୀ ସ୍ଵରୂପା ମା ପାର୍ବତୀଙ୍କୁ ନେଇ ଏକାମ୍ର । ଉମା ମହେଶ୍ଵର ଅନାଦି କାଳରୁ ଏଠାରେ ବିରାଜିତ ହୋଇ ଏଠାରେ ଲୀଳାଖେଳା କରିଛନ୍ତି । ସେଥି ମଧ୍ୟରୁ ଏକାମ୍ର ରାହାସ ଅନ୍ୟତମ । ଯେଉଁ ଲୀଳାରେ ଗୋପାଳକ ସ୍ଵରୂପ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଠାରୁ ଅଷ୍ଟରୁଦ୍ର ଉତ୍ପନ ହୁଅନ୍ତି ଆଉ ଗୋପାଳୁଣୀ ସ୍ଵରୂପା ମା ପାର୍ବତୀଙ୍କ ଠାରୁ ଅଷ୍ଟ ଶକ୍ତି ଉତ୍ପନ ହୁଅନ୍ତି । ସେହି ଅଷ୍ଟ ଶକ୍ତି ମାନେ ହେଉଛନ୍ତି ରମାୟଣୀ, କପାଳୀ, ମୋହିନୀ, ବିନ୍ଧ୍ୟବାସିନୀ, ଅମ୍ବିକା, ଉତ୍ତରାୟଣୀ, ଦ୍ଵାରବାସିନୀ ଓ ଚନ୍ଦ୍ରହାସିନୀ । ରାସ ଉତ୍ସବର ଘଟଣା କ୍ରମରେ ଉମା ମହେଶ୍ଵର ରାସ ମଣ୍ଡଳରୁ ଅନ୍ତର୍ଦ୍ଧାନ ହେବା ପରେ ଏହି ରୁଦ୍ର ଶକ୍ତି ମାନେ ଉମା ମହେଶ୍ଵରଙ୍କୁ ଖୋଜି ବସନ୍ତି । ସଖୀ ଚନ୍ଦ୍ରହାସିନୀ ଦେବୀ ପାର୍ବତୀଙ୍କୁ ଖୋଜି ଖୋଜି ସିଦ୍ଧ ବନରେ ପହଞ୍ଚନ୍ତି । ହେଲେ ସଖୀଙ୍କୁ ନ ପାଇ ବିକଳ ଭାବେ ଗୌରୀ… ଗୌରୀ… ଗୌରୀ .. ଡାକ ପକାନ୍ତି । ଦେବୀ ପାର୍ବତୀ ଚନ୍ଦ୍ରହାସିନୀଙ୍କ ଆର୍ତ୍ତ ଡାକରେ ତାଙ୍କୁ ଦର୍ଶନ ଦିଅନ୍ତି । ଆଉ ତାଙ୍କୁ ପ୍ରବୋଧନା ଦେଇ ତାଙ୍କୁ ଶାନ୍ତ କରାନ୍ତି । ଆଉ ତାଙ୍କୁ ବରଦାନ ଦିଅନ୍ତି ଯେହେତୁ ତୁମେ ମୋତେ ମୋର ଗୌରୀ ନାମରେ ଡାକିଲ ତେଣୁ ଆଜିଠୁ ମୋର ଏହି ‘ଗୌରୀ’ ନାମରେ ତୁମେ ପ୍ରସିଦ୍ଧି ଲାଭ କରିବ । ଦେବୀ ଗୋପାଳୁଣୀଙ୍କ କଥନରେ ଦେବୀ ଚନ୍ଦ୍ରହାସିନୀ ଗୌରୀ ଏକ କୁଣ୍ଡ ଖନନ କରି ତାହାକୁ ଧ୍ୟାନସ୍ଥ ହୋଇ ସିଦ୍ଧ ବନରେ ନିବାସ କଲେ । ସେହି କୁଣ୍ଡ ଗୌରୀଙ୍କ ନାମରେ ଗୌରୀ କୁଣ୍ଡ ନାମରେ ପ୍ରସିଦ୍ଧ ହୋଇଅଛି । ଏହି ବର୍ଣ୍ଣନା ଶିବପୁରାଣ ଉତ୍ତରଖଣ୍ଡ, ଏକାମ୍ର ପୁରାଣ, ଏକାମ୍ର ଚନ୍ଦ୍ରିକା, ସ୍ଵର୍ଣ୍ଣାଦ୍ରି ମହୋଦୟ ଓ ଶିବ ଲୀଳାମୃତ ବର୍ଣ୍ଣନା ଅଟେ । ଦେବୀ ଚନ୍ଦ୍ରହାସିନୀ ଗୌରୀ କୁମାରୀ ନୁହଁନ୍ତି । ତାଙ୍କ ସ୍ଵରୂପ ତ ବିବାହିତା ପାର୍ବତୀଙ୍କ ସ୍ଵରୂପ । ଉର୍ଦ୍ଧ ହସ୍ତରେ ପାଶ ଅଙ୍କୁଶ ଓ ନିମ୍ନ ଦକ୍ଷିଣ ହସ୍ତରେ ସିନ୍ଦୁର ପିନ୍ଧିବା ଭଙ୍ଗୀ ଓ ବାମ ହସ୍ତରେ ଦର୍ପଣ ଧାରଣ କରିଛନ୍ତି । ଏକାମ୍ରର ସର୍ବଶ୍ରେଷ୍ଠ ସୁନ୍ଦରୀ ଦେବୀ ହେଲେ ଏହି ଦେବୀ ଗୌରୀ । 

*#କେଦାରେଶ୍ଵର ।।

ଏବେ ଆସିବା କେଦାରେଶ୍ଵରଙ୍କ ନିକଟକୁ। କେଦାରେଶ୍ଵର ହିମାଳୟ ରାଜାଙ୍କ ଦ୍ଵାରା ସ୍ଥାପିତ ହୋଇଥିଲେ । ଦେବଙ୍କ ବିଗ୍ରହ ଲିଙ୍ଗ ସ୍ୱରୂପ ହିଁ ଅଟେ। ଏହା କପିଳ ସଂହିତା ଓ ଏକାମ୍ର ପୁରାଣ ଆଦିର ବର୍ଣ୍ଣନା । କେଦାରେଶ୍ଵର ଦକ୍ଷିଣାମୂର୍ତ୍ତି ଶିବ ଅଟନ୍ତି ଓ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଅଷ୍ଟରୁଦ୍ରଙ୍କ ମଧ୍ୟରୁ ଅନ୍ୟତମ ଅଟନ୍ତି । ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାରେ ଗୌରୀ ସମେତ ଅଷ୍ଟ ଶକ୍ତିଙ୍କ ନିମନ୍ତେ ୨୨ ଦିବସରେ ପ୍ରତ୍ୟହ ଅଷ୍ଟବାର ଭଉଁରୀ ଅନୁଷ୍ଟିତ ହୋଇଥାଏ । 

 ” ବିଶେଷ ଦ୍ରଷ୍ଟବ୍ୟ : ଏକାମ୍ରରେ ଯେଉଁ ଦେବାଦେବୀ ସିଦ୍ଧ ପୁରୁଷ ମାନେ ଲିଙ୍ଗ ସ୍ଥାପନା କରି ଆରାଧନା କରିଥିଲେ ସେ ସମସ୍ତେ ସେହି ଲିଙ୍ଗରେ ପରଂବ୍ରହ୍ମ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ହିଁ ଆରାଧନା କରିଥିଲେ ।” ତେଣୁ ସେହି ସମସ୍ତ ଲିଙ୍ଗ ଯେପରି କେଦାରେଶ୍ଵର , ପର୍ଶୁରାମେଶ୍ଵର, ରାମେଶ୍ଵର, ଭୀମେଶ୍ଵର ଆଦି ସମସ୍ତେ ପରମେଶ୍ଵର ଶିବ ହିଁ ଅଟନ୍ତି । 

#ମହାପ୍ରଭୁଙ୍କ_ବିବାହ_ଓ_ଦେବୀ_ପାର୍ବତୀ। *

ଏବେ ଆସିବା ମହାପ୍ରଭୁଙ୍କ ବିବାହ ଉତ୍ସବକୁ !

ଲିଙ୍ଗରାଜ ମହାପ୍ରଭୁଙ୍କ ମା ପାର୍ବତୀଙ୍କ ସହ କେଦାରଗୌରୀ ପୀଠରେ ବିବାହ ହୁଏ । ମହାପ୍ରଭୁଙ୍କ ବିବାହ ପୂର୍ବଦିନ ଅନୁଷ୍ଠିତ ହୁଏ ମଙ୍ଗଳ ପାକ ଓ ଦେବ ନିମନ୍ତ୍ରଣ ।ସନ୍ଧ୍ୟାଧୂପରେ କୋଠଭୋଗ ଭିନ୍ନ ଅଧିକ କୁଡୁଆ ମାନ ମହାପ୍ରଭୁଙ୍କ ଶ୍ରୀଛାମୁ ନିକଟରେ ନିବେଦିତ ହୁଏ । ସେହି ମହାପ୍ରସାଦ କୁଡୁଆମାନ ଅଷ୍ଟରୁଦ୍ର ଓ ଅନ୍ୟନ୍ୟ ଦେବତାଙ୍କୁ ଦେଉଳ ଭିତରେ ସମର୍ପଣ ହେଉଥିବା ବେଳେ ଅଧିକ ୧୧ କୁଡୁଆ ବନଦେବୀ, ଆଖଡାଚଣ୍ଡୀ, ଉତ୍ତରେଶ୍ବରଙ୍କ ବେଢ଼ାରେ ବିଜେ ମଙ୍ଗଳା ସମେତ ମୁଖ୍ୟତଃ ଅଷ୍ଟଚଣ୍ଡୀଙ୍କୁ ସମର୍ପିତ ହୋଇ ତାଙ୍କୁ ଦେବ ବିବାହ ନିମନ୍ତେ ନିମନ୍ତ୍ରଣ କରାଯାଇଥାଏ । ଏବେ ଗୋଟିଏ ପ୍ରଶ୍ନ ଦେବୀ ଗୌରୀଙ୍କୁ ମଙ୍ଗନ ଦିନ ଲିଙ୍ଗରାଜ ପାର୍ବତୀଙ୍କ ବିବାହ ନିମନ୍ତେ ନିମନ୍ତ୍ରଣ କରାଗଲା । ତେବେ ଯଦି ଚନ୍ଦ୍ରହାସିନୀ ଗୌରୀ ବିବାହ କରନ୍ତି ତାଙ୍କୁ ନିମନ୍ତ୍ରଣ କାହିଁକି କରାଯିବ ? ଯିଏ ବାହା ହୁଏ ତାକୁ ନିମନ୍ତ୍ରଣ କରାଯାଏ କି ? ? ? 

ବିବାହ ଦିନ ମୂଳ ପୀଠାଧିଶ ଲିଙ୍ଗରାଜ ମହାପ୍ରଭୁ ବିବାହ ନିମନ୍ତେ ନବବସ୍ତ୍ର ପରିଧାନ ପୂର୍ବକ ତ୍ରିପୁଣ୍ଡ୍ରଚନ୍ଦ୍ର ବେଶ ହୁଅନ୍ତି। ସମାନ ଭାବେ ଦେବୀ ଭୁବନେଶ୍ବରୀ ଓ ଦେବୀ ପାର୍ବତୀ ମଧ୍ଯ ନବବସ୍ତ୍ର ଧାରଣ କରନ୍ତି । ମହାପ୍ରଭୁ ଓ ମହାଦେବୀଙ୍କ ପ୍ରତିନିଧି ସ୍ବରୂପରେ ସାକାର ମୂର୍ତ୍ତୀ ଲିଙ୍ଗରାଜ ଓ ଦେବୀ ପାର୍ବତୀ ବିବାହ ନିମନ୍ତେ ବିଜେ କରିଥାନ୍ତି । ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ,ଦେବୀ ପାର୍ବତୀ, ପ୍ରାଣବନ୍ଧୁ ବାସୁଦେବଙ୍କ ସହ କେଦାରଗୌରୀ ତୀର୍ଥ ବିଜେ କରନ୍ତି । ବରଯାତ୍ରୀ ପଟୁଆର କେଦାରଗୌରୀ ଠାରେ ପହଁଞ୍ଚିଲେ ମା ପାର୍ବତୀ ଗୁପ୍ତରେ ଗୌରୀଙ୍କ ନିକଟକୁ ଯାଆନ୍ତି । ସେଠାରେ ଦେବୀ ପାର୍ବତୀଙ୍କ କନ୍ୟା ନିମନ୍ତେ ଯଥାବିଧି କର୍ମ ସମ୍ପାଦନ ହୁଏ । ଗୌରୀ ଦେବୀ ପାର୍ବତୀଙ୍କ ସଖୀ ଅଟନ୍ତି ତେଣୁ ତାଙ୍କ ନିକଟକୁ ମହାଦେବୀ ବିଜେ କରନ୍ତି । ଗୌରୀ ପାର୍ବତୀଙ୍କ ହିଁ ସ୍ଵରୂପ । ସମାନ ଭାବେ ଅନ୍ୟ ସପ୍ତଚଣ୍ଡୀ ମା ପାର୍ବତୀଙ୍କ ମଧ୍ଯ ସ୍ଵରୂପ । ହେଲେ ମୂଳ ଶକ୍ତି ହେଲେ ଗୋପାଳୁଣୀ ପାର୍ବତୀ । ଏଠାରେ ମଧ୍ଯ ଆଉ ମନେରଖିବା କଥା ଏକାମ୍ରାଧିଶ୍ବରୀ ମା ପାର୍ବତୀ ସ୍ଵର୍ଣ୍ଣାଚଳ ବେଢା ମଧ୍ୟରେ ଦୁଇ ସ୍ବରୂପରେ ବିରାଜିତା । ଦେବୀ ଗୋପାଳୁଣୀ ଭୁବନେଶ୍ବରୀ ଓ ଅନ୍ନପୂର୍ଣ୍ଣା ଗିରିଜା । ଦୁହିଁଙ୍କ ନାମ ରୂପ ଭିନ୍ନ ଲାଗୁଥିଲେ ମଧ୍ୟ ଦୁହେଁ ନିର୍ଦ୍ଵନ୍ଦରେ ଏକ ପାର୍ବତୀ ହିଁ ଅଟନ୍ତି । ସେ ହିଁ ପାର୍ବତୀ, ସେ ହିଁ ଗୋପାଳୁଣୀ, ସେ ହିଁ ଦୁର୍ଗା, ସେ ହିଁ କୀର୍ତ୍ତିମତି ତ୍ରିଭୁବନେଶ୍ବରୀ, ସେ ହିଁ ବ୍ରହ୍ମ କୈବଲ୍ୟ ପ୍ରଦାୟିନୀ ଅନ୍ନପୂର୍ଣ୍ଣା । ସେ ହିଁ ଏକାମ୍ର କ୍ଷେତ୍ରର ମୂଳଶକ୍ତି ଅଟନ୍ତି । ଅଷ୍ଟଶକ୍ତି କିମ୍ବା ସମସ୍ତ ଦେବୀ ସ୍ବରୂପରେ ତାଙ୍କ ଶକ୍ତି ହିଁ ପ୍ରକାଶିତ ପ୍ରକାଶିତ ହୋଇଥାଏ । ସମାନ ଭାବେ ମୂଳ ଶିବ ହେଲେ ଲିଙ୍ଗରାଜ । ଅଷ୍ଟରୁଦ୍ର ଓ ସମସ୍ତ ଶିବଲିଙ୍ଗଙ୍କ ଠାରେ ପରଂବ୍ରହ୍ମ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଶକ୍ତି ହିଁ ପ୍ରକାଶିତ ହୁଏ । ତେଣୁ ମୂଳ ଲିଙ୍ଗରାଜ ଓ ଦେବୀ ପାର୍ବତୀଙ୍କ ବିବାହ ହୁଏ । ଏକାମ୍ରରେ ଲିଙ୍ଗରାଜ ପାର୍ବତୀଙ୍କ ଭିନ୍ନ ଅନ୍ୟ କୋଉଠି ଶିବ ପାର୍ବତୀଙ୍କ ବିବାହ ପରମ୍ପରା ନାହିଁ । ଯଦି ଚନ୍ଦ୍ରହାସିନୀ ଗୌରୀଙ୍କ ବିବାହ ମହାପ୍ରଭୁ ଲିଙ୍ଗରାଜଙ୍କ ସହ ହୁଏ ତେବେ ମହାପ୍ରଭୁଙ୍କ ସହ ବିଜେ ଦ୍ୱିଭୁଜା ପାର୍ବତୀ ଦେବୀ ଚନ୍ଦ୍ରହାସିନୀଙ୍କ ବିଜେ ପ୍ରତିମା କି ? ତେବେ ସିଏ କାହିଁକି ଅନ୍ନପୂର୍ଣ୍ଣା ପାର୍ବତୀ ନାମରେ ପ୍ରସିଦ୍ଧ ? 

ଯଦି ନାମରୂପ ଆଧାର ଦେଖିବା ଗୌରୀ ନାମ ଶିବ ପ୍ରଦତ୍ତ ଦେବୀ ପାର୍ବତୀଙ୍କ ହିଁ ନାମ । ଏବେ ବିଚାର କରନ୍ତୁ କିଏ ତାହେଲେ ବିବାହ କରନ୍ତି । ଅନେକ ଗବେଷକ ତଥ୍ଯକୁ ସଠିକ୍ ଭାବେ ପ୍ରକାଶିତ ନ କରି ଅନେକ ମନଗଢା କଥା ମାନ ପ୍ରକାଶ କରି ଚାଲିଛନ୍ତି । ଯେମିତି ରୁକୁଣା ଭଉଣୀ , କପିଳେଶ୍ଵର ଦେବୀ ପାର୍ବତୀଙ୍କ ଶଶୁର , ଗୋପାଳୁଣୀ ଆଉ ପାର୍ବତୀ ଭିନ୍ନ ଆଦି ଅନେକ ମିଥ୍ୟା ଓ ମନଗଢା କାହାଣୀ ପ୍ରଚାରିତ। ସେହିପରି ଚନ୍ଦ୍ରହାସିନୀ ଗୌରୀ ଲିଙ୍ଗରାଜ ମହାପ୍ରଭୁଙ୍କ ସହ ବିବାହର ମଧ୍ୟ କୌଣସି ସତ୍ୟତା ନାହିଁ । 

ଏପରି ଭ୍ରାନ୍ତ ଧାରଣା ମାନ ଠାରୁ ଦୁରେଇ ପ୍ରକୃତ ସତ୍ୟ ପ୍ରକାଶ କରିବା ଏହି ପୋଷ୍ଟ୍ ର ଉଦ୍ଦେଶ୍ୟ । ଏବେ ଆପଣ ବିଚାର କରନ୍ତୁ ! ମିଛ ମନଗଢା ଲୋକକଥାରେ ବଞ୍ଚିବେ ନା ଗର୍ବର ସହ ସତ୍ୟକୁ ଗ୍ରହଣ କରିବେ ।

You might also like
error: Content is protected !!