ଏକାଦଶ ଦିବସରେ ପଞ୍ଚ ଠାକୁରାଣୀ ଯାତ୍ରା , ଶ୍ରଦ୍ଧାଳୁଙ୍କ ଗହଣରେ ମା’ଙ୍କ ଘଟ ପରିକ୍ରମା , ୩ଟି ମେଢ ଲୋକାର୍ପିତ, ଭିଡ ଜମାଉଛି ମୀନାବଜାର

ଏକାଦଶ ଦିବସରେ ପଞ୍ଚ ଠାକୁରାଣୀ ଯାତ୍ରା , ଶ୍ରଦ୍ଧାଳୁଙ୍କ ଗହଣରେ ମା’ଙ୍କ ଘଟ ପରିକ୍ରମା , ୩ଟି ମେଢ ଲୋକାର୍ପିତ, ଭିଡ ଜମାଉଛି ମୀନାବଜାର

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଆଜି ଏକାଦଶ ଦିବସରେ ପହଞ୍ଚିଥିବା ବେଳେ ପାରମ୍ପରିକ ରୀତିନୀତି ପ୍ରକାରେ ମା’ଙ୍କ ପୂଜାର୍ଚ୍ଚନା ଏବଂ ଘଟ ସ୍ରସାଧକ ମିଟୁ ସାହୁଙ୍କ ଦ୍ବାରା ସୁମନ ସଜ୍ଜିତ ମା’ଙ୍କ ଘଟ ପରିକ୍ରମା କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ଯଥା ବିଧି ପୂର୍ବକ ପଞ୍ଚ ପୁରୋହିତ ମା’ଙ୍କ ପୂଜାର୍ଚ୍ଚନା ସମ୍ପାଦନ କରିଥିବା ବେଳେ ସଞ୍ଜୟ ପାତ୍ର ସସ୍ତ୍ରୀକ ହୋମକର୍ତ୍ତା ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ଏଥି ସହ ସନ୍ଧ୍ୟାରେ ୧୦୮ ଆଳତି ପରେ ଘଟ ପରିକ୍ରମାର ଶୁଭାରମ୍ଭ ହୋଇଥିଲା । ପଞ୍ଚ ମାନସିକଧାରୀ ମହିଳା ରଶ୍ମିତା ସାହୁ, ବୈଜୟନ୍ତୀମାଳା ପ୍ରଧାନ, ସସ୍ମିତା ଆପଟ, ଶିବାନୀ ପଟ୍ଟନାୟକ, ପିନାକିନୀ ସାମଲ ପ୍ରମୁଖ ପଞ୍ଚ ଠାକୁରାଣୀଙ୍କ ଘଟ ଧାରଣ କରି ଶ୍ରଦ୍ଧାଳୁଙ୍କ ଗହଣରେ ଯାଦବ ସାହି, ରେଞ୍ଜ ଅଫିସ୍, ପୋଲିସ କଲୋନୀ, ସବରେଜିଷ୍ଟର ଅଫିସ କଲୋନୀ, ମହାପାତ୍ର ସାହି, ଅନ୍ଧାରିଆ ସାହି, ନୂଆଁ ସାହି, ଧୋବା ସାହି, ହରିଜନ ସାହି, କୁମ୍ଭାର ସାହି, ପଥୁରିଆ ସାହି, ବଳଦେବ ମନ୍ଦିର ପଥ ଆଦି ପରିକ୍ରମା କରି ସ୍ବଆସ୍ଥାନକୁ ଫେରିଥିଲେ । ମା’ଙ୍କ ଭ୍ରମଣି ଯାତ୍ରା କାଳରେ ଘଣ୍ଟତାଳ, ଢୋଲ ବାଦ୍ୟରେ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା। ଅନ୍ୟପକ୍ଷରେ ଆଜି ପୋଲସରା ରୋଡ ସ୍ଥିତ “ବ୍ରହ୍ମା-ବିଷ୍ଣୁ-ମହେଶ୍ଵର” ମେଢ, ନୂଆସାହିର “କଳକୀ ଅବତାର” ମେଢ ଓ ପଥୁରିଆ ସାହିର “ରାମ ଅଭିଷେକ” ମେଢ ଆଦି ଲୋକାର୍ପିତ ହୋଇ ଜନତାଙ୍କ ଭିଡ ସାଉଁଟି ଥିଲା। ଯାତ୍ରା ଗହଳିକୁ ନିୟନ୍ତ୍ରଣ ପାଇଁ ବିଭିନ୍ନ ଛକରେ ପୋଲିସ ନିୟୋଜିତ ଥିଲେ ।

You might also like
error: Content is protected !!