ଫୁଲଟାରେ ପୁଣି ବୋମାମାଡ଼

କୁକୁଡାଖଣ୍ଡି,(ଇ. ରଞ୍ଜନ) :-
କୁକୁଡାଖଣ୍ଡି ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗ୍ରାମ ପୁଣିଥରେ ଅଶାନ୍ତ ହୋଇ ଉଠିଛି। ଶୁକ୍ରବାର ରାତ୍ର ସେଠାରେ ଘନଘନ ବୋମାମାଡ ହୋଇଛି। ଏଥିରେ କେହି ଆହତ ହୋଇନଥିବା ବେଳେ ଗାଁ’ରେ ଆତଙ୍କରାଜ ଖେଳାଇଛନ୍ତି ଅପରାଧୀ ଗୋଷ୍ଟି। କାମରେ ଅସୁନି ଶାନ୍ତି କମିଟି। ଦୁଇ ଅପରାଧୀ ଗୋଷ୍ଟି ମଧ୍ୟରେ ବହୁବର୍ଷ ହେଲା ଚକପଞ୍ଜା ଲାଗିରହିଛି। ଗୋଟିଏ ପଟେ କୋଠ ହିସାବ ଓ ଅନ୍ୟପଟେ ପତିଆରାକୁ କେନ୍ଦ୍ର କରି ଗ୍ରାମର ପୂର୍ବ ସାହି ଓ ବେଣୁସାହି ଆଦି ଦୁଇ ସାହି ମଧ୍ୟରେ ଗୋଷ୍ଠୀ ବିବାଦ ଲାଗି ରଖିଛି । ଉଭୟଙ୍କ ଗୋଷ୍ଠୀର ସଦସ୍ୟମାନେ ଫୁଲଟା ଗ୍ରାମରେ ଏକାଥର ବୋମାମାଡ କରିଥିବା ବେଳେ ଶୁକ୍ରବାର ରାତି ୧୦ଟା ବେଳେ ଉକ୍ତ ଗ୍ରାମରେ ଘନଘନ ବୋମାମାଡ଼ ହୋଇଥିଲା। ଅଞ୍ଚଳରେ ଆତଙ୍କ ଖେଳାଇବା ପାଇଁ ଅପରାଧୀ ଗୋଷ୍ଟି ଏହି କାଣ୍ଡ ଘଟାଇଛନ୍ତି। ଆଗକୁ ଯେପରି ଗ୍ରାମରେ ଅପ୍ରିତିକର ପରିସ୍ଥିତି ନହୁଏ ସେଥିପାଇଁ ଗ୍ରାମରେ ଦୁଇ ପ୍ଲାଟୁନ ପୁଲିସ ମୁତୟନ ରହିଥିବା ଥାନା ଅଧିକାରୀ କୃଷ୍ଣ ସାହା ସୂଚନା ଦେଇଛନ୍ତି । ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସେ କହିଛନ୍ତି । ଘଟଣାରୁ ପ୍ରକାଶ ଯେ, ଫୁଲଟା ରେ ବୋମାମାଡ ହୋଇଥିବା ଖବର ପାଇ ପୋଲିସ ସେଠାରେ ପହଞ୍ଚିଥିଲା। ହେଲେ ଘଟଣାକୁ ନେଇ ଗ୍ରାମର କେହିବି ଲୋକ ମୁହଁ ଖୋଲୁନାହାନ୍ତି। ନିକଟରେ ଜାମିନରେ ଆସିଥିବା ଦୁଇ ଅପରାଧି ଗୋଷ୍ଟି କିଛିଦିନ ହେଲା ଗାଁ’ରେ ମୁହାଁମୁହିଁ ହେବା ଝଗଡା କରୁଥିଲେ। ହେଲେ କେହିବି ଏନେଇ ଥାନାରେ ଅଭିଯୋଗ କରୁନଥିଲେ। ଶୁକ୍ରବାର ରାତ୍ର ଏକ ନିର୍ଦିଷ୍ଟ ଗୋଷ୍ଟି ନିଜର ପତିଆରା ଜାହିର କରିବା ପାଇଁ ଏହି କାଣ୍ଡ ଘଟାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି। ତଦନ୍ତ ଚାଲିଛି। ଏଥିରେ ଯେହୁଁ ମାନଙ୍କର ସମ୍ପୃକ୍ତି ଥିବା ଜଣାପଡିବ ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।
