ଆଜି କଣ୍ଟିଲୋ ଆସିବେ ରାଷ୍ଟ୍ରପତି

ନୟାଗଡ, (ପ୍ରଭାକର ଶିରୋମଣି):- ସରକାରୀ ଓ ବେ ସରକାରୀ ସ୍ତର ରେ ଦୀର୍ଘ ୨୦ ଦିନ ଧରି ଚାଲି ଆସିଥିବା ସମସ୍ତ ପ୍ରକ୍ରିୟା ଓ ପରିଶ୍ରମର ଆଜି ସୋମବାର ଅନ୍ତ ଘଟିଛି । ଆଜି ସୋମବାର ମହାମହିମ ରାଷ୍ଟ୍ରପତି କଣ୍ଟିଲୋ ଆସୁଛନ୍ତି । ସେଥିପାଇଁ ପବିତ୍ର ନୀଳମାଧଵ ମାଟି ଆହୁରି ପବିତ୍ର ହୋଇ ଯାଇଥିବାରୁ ଏ ଅଞ୍ଚଳରେ ଆନନ୍ଦର ଲହରୀ ଖେଳି ଯାଇଛି । ବିଶେଷତଃ ପୁଲିସ ବିଭାଗ ତରଫରୁ ଡେମୋ କରାଯିବା ସହିତ ପ୍ରସ୍ତୁତ ହୋଇଥିବା ୫ ଟି ହେଲି ପ୍ୟାଡ଼କୁ ବିଭାଗୀୟ କର୍ମଚାରୀଙ୍କ ଦ୍ୱାରା ତନଖି କରାଯାଇଛି । ପୁଲିସ ବିଭାଗ ଏଡିଜି ସଞ୍ଜୟ କୁମାର କଣ୍ଟିଲୋ ଆସି ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଅନୁଧ୍ୟାନ କରିଥିଲେ । ଏଥିପ୍ରତି ପୁଲିସ କୁକୁରଙ୍କ ସାହାଯ୍ୟ ନିଆଯାଇଛି । ଅଗ୍ନିଶମ ବିଭାଗ କର୍ମଚାରୀ ଓ ଓଡ୍ରାଫ୍ଟ ଦଳ ମନ୍ଦିର ଓ ମହାନଦୀର ଦକ୍ଷିଣ ପାର୍ଶ୍ୱ ମାଳବନ୍ଧ ଉପରେ ସଜାଗ ରହିଥିବା ଦେଖା ଯାଉଛି । ସରକାରୀ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋକୁ ଆକାଶ ପଥରେ ଆସି ଅପରାହ୍ନ ୨ଟା ୧୦ ମିନିଟ ରେ ଐତିହାସିକ ପଲଟନ ପଡିଆରେ ଅବତରଣ କରିବେ ।ସେଠାରୁ ୧୫୦ ମିଟର ଦୁର ରେ ଥିବା ପୂର୍ତ୍ତ ବିଭାଗ ସରକାରୀ ଡାକ ବଙ୍ଗଳାରେ କିଛି ସମୟ ବିଶ୍ରାମ ନେବେ ଓ ଅପରାହ୍ନ ୩ ଟା ୫ ମିନିଟ ରେ ତାଙ୍କ ଗାଡ଼ିରେ ଦେଢ଼ ଶହ ମିଟର ଦୂର ଶ୍ରୀ ନୀଳମାଧଵ ମନ୍ଦିର ଅଭିମୁଖେ ଯାତ୍ରା କରିବେ । ମନ୍ଦିର ମଧ୍ୟରେ ଶ୍ରୀ ଜୀଉଙ୍କୁ ପୂଜା ଓ ଦର୍ଶନ କରି ସାରି କଣ୍ଟିଲୋ ଠାରୁ ୫ କିଲୋ ମିଟର ଦୂର ବିଶ୍ୱାବସୁ ଶବରରାଜଙ୍କ ଜନ୍ମ ସ୍ଥାନ କାଳିଆପଲୀ ଅଭିମୁଖେ ଅପରାହ୍ନ ୩ଟା ୩୫ ମିନିଟ ସମୟରେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ସୂଚନା ଯୋଗ୍ୟ, ଏହି କାର୍ଯ୍ୟକ୍ରମରେ ଓଡିଶାର ମହାମାନ୍ୟ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭପତି, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ସାହା ଆକାଶ ମାର୍ଗରେ ଆସିବେ ।