ଗଜପତି ଜିଲ୍ଲା ଶିକ୍ଷା ବିଭାଗରେ କମୁନି ଡେପୁଟେସନ୍ ସଂଖ୍ୟା ।

ଆର.ଉଦୟଗିରି, (ମନୋଜ ପାଢୀ)-: ଗଜପତି ଜିଲ୍ଲା ଶିକ୍ଷା ବିଭାଗରେ ବ୍ୟାପକ ଡେପୁଟେସନ ଏବଂ ସରକାରଙ୍କ ବଦଳି ନୀତିକୁ ଅବମାନନା ହେଉଥିବାର ଅଭିଯୋଗ ହେଉଛି । ଜିଲ୍ଲାରେ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଡେପୁଟେସନ ରେ ନିଜ ନିଜ ସୁବିଧା ଅନୁଯାୟୀ ରହିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରି ଚୁପ୍ ବସିଥିବା ଦେଖିବାକୁ ମିଳୁଛି । ସେହିପରି କେତେକ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟତ୍ରୀ ମାନେ ମଧ୍ୟ ଗୋଟିଏ ବିଦ୍ୟାଳୟରେ ୫ ବର୍ଷରୁ ଉର୍ଦ୍ଧ ସମୟ ଧରି ଗୋଟିଏ ସ୍ଥାନରେ ଗାଦି ମାଡ଼ି ବସି ଥିବାର ଜଣାପଡିଛି । ହେଲେ ଜିଲ୍ଲା ଶିକ୍ଷାଧିକାରୀ ଏପରି ଏକ ଅନିୟମିତାକୁ ଅଣଦେଖା କରି ଜାଣିଶୁଣି ଚୁପ ରହୁଥିବା ଆଲୋଚନା ହେଉଛି । ତେବେ ସରକାରୀ ନିୟମ ମୁତାବକ ଜଣେ କିରାଣୀ ହେଉ କି ଶିକ୍ଷକ ହେଉ କେତେ ବର୍ଷ ପର୍ଯ୍ୟନ୍ତ ଗୋଟିଏ କାର୍ଯ୍ୟାଳୟରେ ରହିପାରିବେ ତାହା ଶିକ୍ଷା ଅଧିକାରୀ ନିଶ୍ଚିନ୍ତ ଅବଗତ ଥିବେ । ସେହିପରି ଜିଲ୍ଲାର ବିଭିନ୍ନ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ପ୍ରଭାବ ବିସ୍ଥାରକରି ଓ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ପ୍ରଭାବରେ ଏମାନେ ନିଜ ନିଜ ସୁବିଧା ଅନୁଯାୟୀ ତଥା ନିଜ ପରିବାର ରହିବା ସ୍ଥାନ ଠାରୁ କିଛି ମାତ୍ର ଦୂରତାରେ ଥିବା ବିଦ୍ୟାଳୟରେ ରାଜନୀତି ଚାପ ବା ପ୍ରଭାବ ଶାଳୀ ବ୍ୟକ୍ତି ମାନଙ୍କ ଚାପ ପକାଇ ଏମାନେ ନିଜ ମନମୁତାବକ ବିଦ୍ୟାଳୟରେ କାର୍ଯ୍ୟକରି ଆସୁଛନ୍ତି । ପିଲା ଓ ଶ୍ରେଣୀ ସଂଖ୍ୟା ର ଅନୁପାତରେ ଶିକ୍ଷକ ଶିକ୍ଷୟତ୍ରୀ ରହିବା ନିୟମ ରହିଥିବା ବେଳେ ଏଠାରେ ତାର ବ୍ୟତିକ୍ରମ ହୋଇ ବିଦ୍ୟାଳୟ ଗୁଡିକରେ କମ୍ ଛାତ୍ରଛାତ୍ରୀ ପଢୁଥିବା ବିଦ୍ୟାଳୟରେ ଅଧିକା ଶିକ୍ଷକ/ଶିକ୍ଷୟତ୍ରୀ ନିଯୁକ୍ତି ହୋଇଥିବା ଏବଂ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ପଢୁଥିବା ବିଦ୍ୟାଳୟ ଗୁଡିକରେ କମ୍ ଶିକ୍ଷକ/ଶିକ୍ଷୟତ୍ରୀ ରହିଥିବା ଏହି ଜିଲ୍ଲାର ବହୁମାତ୍ରା ବିଦ୍ୟାଳୟରେ ପରିଲିକ୍ଷିତ ହୋଇଛି । ଜିଲ୍ଲା ଶିକ୍ଷା ବିଭାଗରେ ଏପରି ଅନିୟମିତତା ଚାଲୁ ରହିଥିଲେ ମଧ୍ୟ ଏଠାକୁ ବଦଳି ହୋଇ ଆସୁଥିବା ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏଥି ପ୍ରତି ଦୃଷ୍ଟି ନ ଦେଇ ପୁଣି ବଦଳି ହୋଇ ଚାଲିଯାଉଛନ୍ତି । ହେଲେ ସରକାରଙ୍କ ଶିକ୍ଷା ବିଭାଗରେ ଥିବା ବଦଳି ନୀତି,ପିଲା ଓ ଶ୍ରେଣୀ ସଂଖ୍ୟାର ଅନୁପାତରେ ଶିକ୍ଷକ ନିଯୁକ୍ତି ଦେବା ଆଦି ନିୟମ ପ୍ରତି ଆଖିବୁଜି ଦେଉଛନ୍ତି । ଯାହାରି ଫଳରେ ଏହି ବିଭାଗରେ ଆଧିପତ୍ୟ ବିସ୍ଥାର କରିଥିବା କର୍ମଚାରୀମାନେ ନିଜ ନିଜର କାୟା ବିସ୍ଥାର କରି ବସିଛନ୍ତି। ବର୍ତ୍ତମାନ ଶିକ୍ଷା ବିଭାଗ ଏହିପରି କର୍ମଚାରୀ ମାନଙ୍କ ଯୋଗୁଁ ଶିକ୍ଷା ବିଭାଗରେ ବଦନାମ ହେବାରେ ଲାଗିଛି । ତେଣୁ ସରକାରଙ୍କ ଶିକ୍ଷା ବିଭାଗର ବଦଳି ନୀତିକୁ ସମୟାନୁସାରେ କାର୍ଯ୍ୟକାରୀ କରିଲେ ଶିକ୍ଷା ବିଭାଗରେ ବ୍ୟାପକ ସୁଧାର ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ତେବେ ଡେପୁଟେସନ ରେ ରହିଥିବା କିଛି କର୍ମଚାରୀ ମାନଙ୍କ ବିରୋଧରେ ମୋହନ ସରକାର କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବା ବାକିରହିଲା।

You might also like
error: Content is protected !!