୨୦୨୫ ମସିହା ବୋର୍ଡ ପରୀକ୍ଷା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ବିଭାଗର ପ୍ରସ୍ତୁତି ବୈଠକ
ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର) :- ସୋମବାର ବିଜେବି ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଖୋର୍ଦ୍ଧା ଶିକ୍ଷା ଜିଲ୍ଲାର ୨୦୨୫ ମସିହା ବୋର୍ଡ ପରୀକ୍ଷା ପ୍ରସ୍ତୁତି ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟଙ୍କ ସଭାପତିତ୍ବରେ ୧୩୬ ଜଣ ସେଣ୍ଟର ସୁପରିଟେଣ୍ଡେଣ୍ଟ ଓ ୧୩୬ ଜଣ ସେଣ୍ଟର ଅବଜରଭର, ୧୨ ଜଣ ନୋଡାଲ ଅଧିକାରୀମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ମଞ୍ଚାସୀନ ଅତିଥିରୂପେ ଅତିରିକ୍ତ ଜିଲ୍ଲାପାଳ ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ବେଉରା, ଖୋର୍ଦ୍ଧା ଶିକ୍ଷା ଜିଲ୍ଲା କାର୍ଯ୍ୟାଳୟର ଡିଏସସ ସରୋଜ କୁମାର ସିଂ, ବୋର୍ଡ ପ୍ରତିନିଧି ପ୍ରଭାସ କୁମାର ମହାନ୍ତି, ଅତିରିକ୍ତ ଏସପି ଖୋର୍ଦ୍ଧା ଓ ଅତିରିକ୍ତ ଡିସିପି ଭୁବନେଶ୍ୱର , ବିଜେବି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ ଏବଂ ସମସ୍ତ ବିଇଓମାନେ ଯୋଗ ଦେଇଥିଲେ। ବିଜେବି ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିଭୁପ୍ରସାଦ ସେନାପତି ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଆଇଆରସି ଭିଲେଜ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତୋଫାନ କୁମାର ରାଉତରାୟଙ୍କ ସହଯୋଗ କ୍ରମେ ପ୍ରସ୍ତୁତି ବୈଠକ ସଫଳ ହୋଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ପରୀକ୍ଷା ପରିଚାଳନାର ସ୍ବଚ୍ଛତା , ଗୁରୁଦାୟିତ୍ଵ ଉପରେ ବିଶେଷ ଗୁରୁତ୍ବ ଦେଇ ନିଜର ମହାନ୍ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ପରାମର୍ଶ ଦେଇଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଶୁଭାଶିଷ ସମସ୍ତ କେନ୍ଦ୍ର ଅଧିକାରୀ ଓ ପରିଚାଳକମାନଙ୍କୁ ଉତ୍ସାହିତ କରିଥିଲା। ଅତିରିକ୍ତ ଜିଲ୍ଲାପାଳ ନିଜର ଅଭିଭାଷଣରେ ବୋର୍ଡ ପରୀକ୍ଷାର ସଂସ୍କାର ତଥା ତାହାର ସୁପରିଚାଳନା ଶିକ୍ଷକ ଶିକ୍ଷୟତ୍ରୀଙ୍କର ମହାନ ନୈତିକ କାର୍ଯ୍ୟ ବୋଲି ଅଭିମତ ରଖିଥିଲେ।ଦୁଇ ପୋଲିସ ଅଧିକାରୀ ସମସ୍ତ ପ୍ରକାର ଆଇନ ଶୃଙ୍ଖଳା ପାଇଁ ତତ୍ପର ଅଛନ୍ତି ବୋଲି ଆଶ୍ଵାସନା ଦେଇ ଥିଲେ। ଖୋର୍ଦ୍ଧା ଶିକ୍ଷା ଜିଲ୍ଲା କାର୍ଯ୍ୟାଳୟର ବିଜ୍ଞାନ ନିରୀକ୍ଷକ ବିଷଦ ଭାବରେ ପରୀକ୍ଷା ପରିଚାଳନାର ବିଭାଗ ଗୁଡ଼ିକର ତଥ୍ୟ ଉପସ୍ଥାପନା କରିଥିଲେ। ଶେଷରେ ଖୋର୍ଦ୍ଧା ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ଧ୍ୟାରଣୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।