ଯଶସ୍ଵୀ ସରକାରଙ୍କ ଦ୍ଵାରା ଵର୍ଣ୍ଣଵଧ ପ୍ରକାଶ ପାଇଛି : କାହିଁକି ଵର୍ଣ୍ଣଵଧ ?

ଖୋର୍ଦ୍ଧା (ସଞ୍ଜୀବ କୁମାର):-ଯଶସ୍ଵୀ ସରକାରଙ୍କ ଦ୍ଵାରା ଏକ ଵର୍ଣ୍ଣଵଧ ପ୍ରକାଶ ପାଇଛି । କାହିଁକି ଵର୍ଣ୍ଣଵଧ ? କାରଣ ଏ ବହିରେ ଅଵର୍ଗ୍ୟ ‘ଵ’ ଓ ଦ୍ଵିସ୍ଵର ‘ୱ’ ଅକ୍ଷର ହିଁ ନାହିଁ । ଵର୍ଗ୍ୟ ‘ବ’ ଓ ଅଵର୍ଗ୍ୟ ‘ଵ’ ପାଇଁ ଗୋଟିଏ ଅକ୍ଷର ‘ବ’ ହିଁ ଯୋଡ଼ା ହୋଇଛି(ଚିତ୍ର ଦ୍ରଷ୍ଟଵ୍ୟ— ପଫବଭମ ଓ ଯରଳଵ) । ସେହିପରି ଆଜିକାଲି ୱିକେଟ୍ ଓ ୱାଇଡ୍ ପରି ଅନେକ ଵୈଦେଶିକ ଶବ୍ଦ ଓଡ଼ିଆ ଭାଷାରେ ଵ୍ୟଵହୃତ ହେଲାବେଳେ ‘W’ ପାଇଁ ଦ୍ଵିସ୍ବର ‘ୱ ‘ ଲୋଡ଼ା ହେଉଛି । କିନ୍ତୁ ଯଶସ୍ଵୀ ସରକାରଙ୍କର ଵର୍ଣ୍ଣଵଧରେ ‘ୱ’ ହିଁ ନାହିଁ । ସାରା ଭାରତରେ କେଵଳ ଓଡ଼ିଆ ଏକମାତ୍ର ଲିପି ଯହିଁରେ ‘B’କୁ ‘ବ’,’V’କୁ ‘ଵ’ ଓ ‘W’କୁ ‘ୱ’ ରୂପେ ପ୍ରକାଶ କରାଯାଇପାରେ । ଦେଵନାଗରୀ,ବ୍ରାହ୍ମୀ,ତାମିଳ, ବଙ୍ଗାଳୀ ଇତ୍ୟାଦି ଇତ୍ୟାଦି କୌଣସି ଭାରତୀୟ ଲିପିରେ ‘W’କୁ ପ୍ରକାଶ କରିଵା ପାଇଁ ସ୍ଵତନ୍ତ୍ର ମୌଳିକ ଅକ୍ଷର ନାହିଁ । ଶହେ କୋଡ଼ିଏ ଵର୍ଷ ତଳେ ମଧୁସୂଦନ ରାଓଙ୍କ ସମୟର ବହିରେ ଛପାଯାଇନଥିଲା ବୋଲି ଏବେକାର ଛପା ହୋଇଥିଵା ବହିରେ ବି ଅଵର୍ଗ୍ୟ ‘ଵ’ଓ ଦ୍ବିସ୍ଵର ‘ୱ’କୁ ସ୍ଥାନ ନଦେଵା ଦ୍ଵାରା ଯଶସ୍ଵୀ ସରକାର ଓଡ଼ିଆ ଲିପିକୁ ଦେଵନାଗରୀ ଲିପିଠାରୁ ନ୍ୟୂନ କରିଦେଇଛନ୍ତି । ଶହେ ଵର୍ଷ ତଳର ବହିରେ ‘ଵ’ ଓ ‘ୱ’ ନଥିଲା ବୋଲି ଏବେକାର ପିଲା ତାକୁ ପଢ଼ିବେ ନାହିଁ କି ? କିଛି ଲୋକେ ଗାଲୁଆ ଯୁକ୍ତି କରୁଛନ୍ତି ଭକ୍ତକଵିଙ୍କ ମୂଳ ରଚନା ନବଦଳିଲେ ଭଲ ! ମୁଁ ବୁଝି ପାରୁନାହିଁ କୋଉ ଦୃଷ୍ଟିରୁ ସେମାନଙ୍କୁ ଵର୍ଣ୍ଣବୋଧ ଗୋଟାଏ କଵିତା କି କାଵ୍ୟ ଜଣାଯାଉଅଛି ? ଵର୍ଣ୍ଣବୋଧ ଏକ ପାଠ୍ୟ ପୁସ୍ତକ ଆଉ ପାଠ୍ୟପୁସ୍ତକ ଯୁଗ ସହିତ ପରିଵର୍ତ୍ତିତ ହୋଇ ହିଁ ଥାଏ । ଵେତାର ଯୁଗରେ ପ୍ରକାଶ ପାଇଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ବି ଦୂରଦର୍ଶନ ଶବ୍ଦର ଅର୍ଥ Television box ନୁହେଁ ଵରଂ ଦୂରଦୃଷ୍ଟି ଲେଖା ହୋଇଛି । ତାହେଲେ କାଲିକୁ ଯଦି କେହି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ନୂତନ ସଂକଳନ କରିଵ ସେଥିରେ ଦୂରଦର୍ଶନ ଶବ୍ଦର ନୂଆ ଅର୍ଥକୁ ଯୋଡ଼ିଵ ନାହିଁ କି ? କାଵ୍ୟ,କଵିତା,ଗଳ୍ପ ଓ ଉପନ୍ୟାସ ଆଉ ପାଠ୍ୟପୁସ୍ତକ ମଧ୍ୟରେ ଅନେକ ପ୍ରଭେଦ ଅଛି । ଆପଣା ଯୁଗକୁ ନେଇ ପିଲାଏ ପାଠ ପଢ଼ିଛନ୍ତି। ଅତି ପ୍ରାଚୀନ ଯୁଗରେ ପିଲାଏ ଵେଦ ପଢ଼ି ଶିକ୍ଷା ଲଭୁଥିଲେ । ତାପରେ ପୁରାଣ ଓ ଵେଦାଙ୍ଗର ଵି ରଚନା ହେଲା ଓ ପିଲାଏ ନୂତନ ଜ୍ଞାନ ଲଭିଲେ । ତହୁଁ ସହସ୍ରାଧିକ ଵର୍ଷ କାଳ ଧରି ଆହୁରି ଶହ ଶହ ଗ୍ରନ୍ଥ ରଚିତ ହେଲା । ଯଦି ଜ୍ଞାନ କେଵଳ ଵେଦ ମଧ୍ୟରେ ହିଁ ସୀମିତ ହୋଇ ରହିଯାଇଥାଆନ୍ତା ତେବେ ହୁଏତ ଆଉ ଅଗଣିତ ଗ୍ରନ୍ଥ ରଚିତ ହିଁ ହୋଇନଥାନ୍ତା । ଓଡ଼ିଆ ଲିପିରୁ ଅଵର୍ଗ୍ୟ ‘ଵ’ଓ ଦ୍ଵିସ୍ଵର ‘ୱ’କୁ କାଟି ତାକୁ ଅଵୈଜ୍ଞାନିକ ଲିପି କରିଦେଵାର ଯେଉଁ କୁଚେଷ୍ଟା କରାଯାଇଛି ତାହା ଆଦୌ ଗ୍ରହଣୀୟ ନୁହେଁ।

You might also like
error: Content is protected !!