ଆସିକାରେ ଅମାନବୀୟ ଦୃଶ୍ୟ! ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ, ଶବ ନେବାକୁ ମିଳିଲାନି ଆମ୍ବୁଲାନ୍ସ; ବାଇକ୍‌ରେ ବୁହା ହେଲା ମୃତଦେହ!

ଆସିକା | କୁମ୍ଭାର ସାହି | ଗଞ୍ଜାମ ଜ଼ିଲ୍ଲା | ନ୍ୟୁଜ୍ ନର୍ଭ | ଜଗନ୍ନାଥ ନାୟକ ||

ଗଞ୍ଜାମ ଜିଲ୍ଲାର ଆସିକା ସହରରେ ଘଟିଛି ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା। କୁମ୍ଭାର ସାହିର ସଞ୍ଜୟ ବେହେରା ନାମକ ଜଣେ ଯୁବକ ଋଷିକୁଲ୍ୟା ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିବା ଜଣାପଡ଼ିଛି। ଖବର ପାଇ ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲେ ମଧ୍ୟ ଉଦ୍ଧାରକାରୀ ଦଳ ବିଳମ୍ବରେ ପହଞ୍ଚିଥିବାରୁ ଯୁବକଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି।

ତେବେ ଏହି ଦୁଃଖଦ ଘଟଣାର ସବୁଠାରୁ ହୃଦୟବିଦାରକ ଦିଗ ହେଉଛି, ମୃତଦେହକୁ ମେଡିକାଲରୁ ଘରକୁ ନେବା ପାଇଁ ଆମ୍ବୁଲାନ୍ସ ମିଳିନଥିବା ଅଭିଯୋଗ ହୋଇଛି। ଶେଷରେ ବାଧ୍ୟ ହୋଇ ମୃତକଙ୍କ ସମ୍ପର୍କୀୟମାନେ ବାଇକ୍‌ରେ ମୃତଦେହକୁ ନେଇଥିବା ଜଣାପଡ଼ିଛି।

ଏହି ଘଟଣାକୁ ନେଇ ଆଇନଜୀବୀ ରାଘବ ଜୁଡୋ ଗଭୀର କ୍ଷୋଭ ପ୍ରକାଶ କରିବା ସହ ଆସିକା ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ବିପଦ ସମୟରେ ଉଦ୍ଧାରକାରୀ ଦଳର ବିଳମ୍ବ ଏବଂ ମୃତଦେହ ପରିବହନ ପାଇଁ ଆମ୍ବୁଲାନ୍ସ ନମିଳିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ ମତ ରଖିଛନ୍ତି।

ଆସିକା ଭଳି ଏକ ପ୍ରମୁଖ ସହରରେ ଏଭଳି ପରିସ୍ଥିତି କାହିଁକି ସୃଷ୍ଟି ହେଉଛି? ଜରୁରୀକାଳୀନ ସେବାରେ ଏତେ ଅବ୍ୟବସ୍ଥା କାହିଁକି? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଠିଛି।

ଏହି ଘଟଣାର ଉଚିତ ତଦନ୍ତ କରାଯାଇ ଦାୟିତ୍ୱରେ ଅବହେଳା ହୋଇଥିଲେ ସମ୍ପୃକ୍ତ ବିଭାଗ ଓ କର୍ମଚାରୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ଆସିକା ପ୍ରଶାସନ ଏହି ଘଟଣାରେ କେବେ ଉତ୍ତରଦାୟିତ୍ୱ ଗ୍ରହଣ କରିବ? ଏହା ଏବେ ବଡ଼ ପ୍ରଶ୍ନ।

Smart Computer Ad
You might also like
error: Content is protected !!