ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କ୍ଷମତା ଜିଲ୍ଲାପାଳଙ୍କର ନାହିଁ

ଖୋର୍ଦ୍ଧା( ସଞ୍ଜୀବ କୁମାର):-ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ ହୋଇଥିବା ଭିଏଲ୍ଡବ୍ଲ୍ୟୁଙ୍କୁ ନିଲମ୍ବନ କରିବା କ୍ଷମତା ଜିଲ୍ଲାପାଳଙ୍କର ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ଯେ ଭିଏଲ୍ଡବ୍ଲ୍ୟୁମାନେ ଗ୍ରାମ ପଞ୍ଚାୟତ ଅଧୀନରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ପଞ୍ଚାୟତ ପ୍ରତି ସେମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ବ ରହିଛି।ସେମାନଙ୍କ ଚାକିରି ଗ୍ରାମ ପଞ୍ଚାୟତ ନିୟନ୍ତ୍ରଣାଧୀନ। ସେମାନଙ୍କ ଦ୍ବାରା କୌଣସି ବିଶୃଙ୍ଖଳା ଓ ଅବହେଳା ପ୍ରସଙ୍ଗ ଗ୍ରାମ ପଞ୍ଚାୟତ ଶାସନାଧୀନ। ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ଗ୍ରାମ ପଞ୍ଚାୟତ ହାତରେ ରହିଛି। ଜିଲ୍ଲାପାଳଙ୍କ ଭଳି ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ନିକଟରେ ନାହିଁ।ନିଲମ୍ବନ ଆଦେଶ ଅନିର୍ଦ୍ଦିଷ୍ଟ କାଳ ପାଇଁ ହୋଇପାରିବ ନାହିଁ। ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ନିଶ୍ଚିତ ଭାବେ ନିର୍ଦ୍ଦିଷ୍ଟ ସମୟ ଭିତରେ ଶେଷ ହେବ। ବିନା ପୁନର୍ବିଚାରରେ ୯୦ ଦିନ ପରେ ଜାରି ରହିଥିବା ନିଲମ୍ବନ ଆଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି।

Smart Computer Ad
You might also like
error: Content is protected !!