ଏବେଠୁ ୩୬ଂ ଡେଇଁଲାଣି….

ଖୋର୍ଦ୍ଧା (ସଞ୍ଜୀବ କୁମାର)::-: ଫେବ୍ରୁଆରି ଆରମ୍ଭରୁ ଦିନର ତାପମାତ୍ରା ଉପରମୁହାଁ ହୋଇଛି। ଉପକୂଳରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ, ସବୁଠି ତାପମାତ୍ରା ୩୦ ଡିଗ୍ରି ଡେଇଁଯାଇଛି। ଯେଉଁ ସମୟରେ ଶୀତର ପ୍ରକୋପ ରହିବା କଥା ସେତେବେଳେ ରାଜ୍ୟବାସୀଙ୍କୁ ଟାଇଁଟାଇଁ ଖରାର ସାମନା କରିବାକୁ ପଡ଼ୁଛି। ଚଳିତବର୍ଷ ପ୍ରଥମ ଥର ପାଇଁ ଆଜି ବଲାଙ୍ଗୀରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୬.୭ ଡିଗ୍ରି ରେକର୍ଡ ହୋଇଛି।
ଏହାବ୍ୟତୀତ ଟିଟିଲାଗଡ଼ରେ ୩୬ ଡିଗ୍ରି, ପାରଳାଖେମୁଣ୍ଡିରେ ୩୫.୮, ଝାରସୁଗୁଡ଼ାରେ ୩୫.୬, ସମ୍ବଲପୁରରେ ୩୫.୧, ଭବାନୀପାଟଣାରେ ୩୫, ଭୁବନେଶ୍ବରରେ ୩୪.୯, ସୋନପୁରରେ ୩୪.୮, ଭଦ୍ରକରେ ୩୪.୫, ଅନୁଗୁଳରେ ୩୪.୧, ସୁନ୍ଦରଗଡ଼ରେ ୩୪.୧ ଡିଗ୍ରିରେ ପହଞ୍ଚିଛି। କେବଳ ଦିନ ନୁହେଁ, ରାତିର ତାପମାତ୍ରା ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି।

ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ବ୍ୟତୀତ ଅନ୍ୟ ସମସ୍ତ ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଉପରେ ରହିଥିଲା। ଉଭୟ ଦିନ ଓ ରାତିର ତାପମାତ୍ରା ଉପରମୁହାଁ ହୋଇଥିବାରୁ ରାଜ୍ୟରୁ ଶୀତ ପଳାଇ ଯାଇଥିବା କୁହାଯାଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତିର ପାରଦ ୨୨ରୁ ୨୫ ଡିଗ୍ରି ମଧ୍ୟରେ ପହଞ୍ଚିବ। ସର୍ବୋଚ୍ଚ ତାପମାତ୍ରା ଆହୁରି ବଢ଼ିବା ସହ ଫେବ୍ରୁଆରିରେ ୩୫ ଡିଗ୍ରି ଡେଇଁଯିବାର ଆଶଙ୍କା ରହିଛି। ଆସନ୍ତା ଦୁଇ ଦିନ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ କୁହୁଡ଼ିର ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରାଯାଇଛି।

You might also like
error: Content is protected !!