ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ନିଷ୍କ୍ରମଣ ଉତ୍ସବ

ବୁଗୁଡ଼ା,୩୧/୦୧(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ନିଷ୍କ୍ରମଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତି ସଭାପତି ବ୍ରଜ କିଶୋର ପାଢ଼ୀଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିରଞ୍ଚିପୁର ଗ୍ରାମସ୍ଥ ରାଧାକୃଷ୍ଣ ହାଇସ୍କୁଲର ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ହୋତା , ସମ୍ମାନିତ ଅତିଥି ଭାବେ ସଦସ୍ୟା ସନ୍ତୋଷିନୀ ପାତ୍ର ଓ ନମିତା ବେହେରା ଯୋଗଦାନ କରି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏଥି ସହ ବିଦାୟୀ ଦଶମ ଶ୍ରେଣୀ ଷଷ୍ଠ ବ୍ଯାଚ୍ ଛାତ୍ରଛାତ୍ରୀମାନେ ସେମାନଙ୍କ ଅଧ୍ଯୟନ କାଳର ସ୍ମୃତି ଓ ଅନୁଭୂତି ଅବିସ୍ମରଣୀୟ ହୋଇ ରହିବ ବୋଲି ସ୍ବ ସ୍ବ ବକ୍ତବ୍ୟ କାଳରେ ପ୍ରକାଶ କରିଥିବା ବେଳେ ଗୁରୁଜୀ ଓ ଗୁରୁମାବୃନ୍ଦ ସେମାନଙ୍କୁ ଶୁଭାଶିଷ ପ୍ରଦାନ ପୂର୍ବକ ଆଗାମୀ ଫେବୃୟାରୀ ୨୧ ତାରିଖଠାରୁ ଆରମ୍ଭ ହେବାକୁ ଯାଉଥିବା ବୋର୍ଡ ପରୀକ୍ଷା ପାଇଁ ଚାପଗ୍ରସ୍ତ ନ ହୋଇ ସୁସ୍ଥ ମନରେ ଅଧ୍ଯୟନ ସାଙ୍ଗକୁ ଯୋଜନାବଦ୍ଧ ପ୍ରସ୍ତୁତି ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ବରିଷ୍ଠା ଗୁରୁମା ସୁମତି ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ନିଷ୍କ୍ରମଣ ଉତ୍ସବର ପ୍ରାରମ୍ଭରେ ପ୍ରଧାନାଚାର୍ଯ୍ଯ ଆଟଲ ଲିଙ୍ଗରାଜ ଅତିଥି ପରିଚୟ ପ୍ରଦାନ, ତତ୍ପରେ ଗୁରୁମା ହରପ୍ରିୟା ମିଶ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ ଏବଂ ଛାତ୍ରୀ ଶୁଭଲକ୍ଷ୍ମୀ ମିଶ୍ର ଅମୃତ ବଚନ ପ୍ରଦାନ କରିଥିବା ବେଳେ ପରିଶେଷରେ ସମ୍ପାଦକ ରମେଶ ଚନ୍ଦ୍ର ଆଲଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।


You might also like
error: Content is protected !!