ଆଜି କ’ଣ ନିରାଶ ହୋଇ ଫେରିଯିବି ପ୍ରଭୁ ? ଗୋଟିଏ ବି ଫଳ ବିକ୍ରି ହୋଇ ପାରିଲା ନାହିଁ: ପ୍ରଭୁ ଶ୍ରୀକୃଷ୍ଣ
ଭୁବନେଶ୍ବର(ଏସ.ଏମ.ପି):-ମଥୁରାରୁ ଫଳ ଫାଛିଆ ମୁଣ୍ଡରେ ଲଦି ଗୋପ ନଗରୀକୁ ନିତିଦିନ ଫଳ ବିକ୍ରି କରିବାକୁ ଆସେ ସୁଖିଆ ମାଳିନୀ। ନାମ ସୁଖିଆ, ହେଲେ ଆଜିବନ ଦୁଃଖିନୀଟିଏ। ଅଳ୍ପ ବୟସରୁ ବୈଧବ୍ଯ ଯନ୍ତ୍ରଣା ସହ ପିଲାମାନଙ୍କ ପାଳନ ପୋଷଣର ଭାର। ଗୋପ ଦାଣ୍ଡରେ ବୁଲି ବୁଲି ଫଳ ବିକ୍ରି କରି ମୁଲ୍ୟ ସ୍ବରୁପ ଧାନ, ଚାଉଳ, ଅର୍ଥ, ଯାହା ପାଏ ସେଥିରେ ତଥା ପିଲାମାନଙ୍କ ପେଟ ପୋଷେ। “ଏ …ଫଳ ନେବ ଫଳ, ମିଠା ସୁଆଦିଆ ଫଳ” ସୁଖିଆ ମାଳିନୀର ଏପରି ମଧୁର ଡାକ ଶୁଣି, ଗୋପ ଦାଣ୍ଡକୁ ପିଲାମାନେ ଦୌଡି ଆସନ୍ତି। ଫଳ ଖାଇବାକୁ ଗୋପୀମାନଙ୍କ ପାଖେ ପୁଅମାନେ ଅଳି କରନ୍ତି। ମାଳିନୀର ଫଳ ବିକ୍ରି ହୋଇଯାଏ, ପିଲାମାନଙ୍କ ମନ ଆନନ୍ଦ ଦେଖି ସୁଖିଆର ଦୁଃଖୀ ମନରେ ଆନନ୍ଦ ଖେଳିଯାଏ। ନିତି ପ୍ରତିଦିନ ଗୋପୀମାନେ ସୁଖିଆ ମାଳିନୀ ସହ ସୁଖଦୁଃଖ ବାର୍ତ୍ତାଳାପରେ ନନ୍ଦଯଶୋଦାଙ୍କ ଗେଲବସରିଆ ନଟକୁଟିଆ କାହ୍ନାର ମନମୋହକ ରୁପଶୃଙ୍ଗାର ବେଶ, ଠୁମକ ଠୁମକ ଚାଲି, ଚଞ୍ଚଳ ଚପଳ ସ୍ବଭାବ, ମୃଦୁ ମଧୁର ଶୀତଳ ବାଣୀ, ତଥା ଘରେ ଘରେ ପଶି ମାଖନଚୋରୀ ବୃତ୍ତାନ୍ତ ଏପରି ଶୁଣି ଶୁଣି ସୁଖିଆ ମାଳିନୀର ତନୁମନ ଗଦଗଦ ହୋଇଉଠେ। ଦର୍ଶନ କରିବାକୁ ମନରେ ତୀବ୍ର ସତତ ଅଭିଳାଷ ଜାଗ୍ରତ ହୁଏ । ହେଲେ କେବେ ସାହସ ଯୁଟାଇ ପାରେନା ନନ୍ଦବାବାଙ୍କ ଘର ଅଗଣା ଭିତରକୁ ଯାଇ ଟିକେ ନନ୍ଦଲାଲାଙ୍କୁ ଦେଖି ଆସିବ, ମିଠା ମିଠା ଫଳ ଦେଇ ଆସିବ। ଶୁଣିଛି ନା କି ଜନ୍ମର ମାତ୍ର ଚାରିଦିନରେ ପୁତନା ନାମକ ରାକ୍ଷସୀ ଆସି ସ୍ତନରେ କାଳକୁଟ ବିଷ ଭରି ଶିଶୁପୁତ୍ରଟିକୁ ମାରି ଦେବାକୁ ପ୍ରୟାସ କରିଥିଲା। ସେହିଦିନରୁ ଯଶୋଦା ରାଣୀ ଘର ଅଗଣାରେ ଅଚିହ୍ନା ଅଜଣା ବ୍ୟକ୍ତିଙ୍କ ପାଇଁ ପ୍ରବେଶ ମନା କରିଛନ୍ତି। ଏମିତି ଅନେକ କଥା ମନେ ମନେ ଗୁଣି ହୋଇ ଫେରିଯାଏ ମାଳିନୀ। କେବେ ଯଦି ମୋ ଫଳ ପାଛିଆରୁ ଫଳ ଚୋରାଇ ଖାଆନ୍ତା, ମୁଁ ବି ତା’ର ସେଇ ଚୋରୀ କରିବାର ନଟକୁଟିଆ ଢଙ୍ଗ, ମନୋହର ରୁପଶୃଙ୍ଗାର ଦେଖନ୍ତି, ଶୀତଳ ଚନ୍ଦନ ପ୍ରଲେପ ସମାନ ମୃଦୁ ମଧୁର ବାଣୀ ଶୁଣନ୍ତି। ଚକ୍ଷୁ କର୍ଣ୍ଣ ତୃପ୍ତ ପବିତ୍ର ହୋଇଯାନ୍ତା।
ଆଜି ପ୍ରବଳ ଖରା, ଟାଇଁ ଟାଇଁ ଖରାରେ ମୁଣ୍ଡ ଝାଇଁ ମାରି ଯାଉଛି। ଗୋପ ଦାଣ୍ଡରେ ବାରମ୍ବାର ବୁଲି ଡାକ ମାରି ମାରି ତଣ୍ଟି ଶୁଖି ଗଲାଣି। କେହି ଜଣେ ବି ଫଳ କିଣିବାକୁ ବାହାରକୁ ଆସୁନାହାନ୍ତି। ଆଜି କ’ଣ ନିରାଶ ହୋଇ ଫେରିଯିବି ପ୍ରଭୁ ? ଆଜି କ’ଣ ମୋ ପିଲାଛୁଆ ଭୋକ ଉପାସରେ ରହିବେ ପ୍ରଭୁ ? ହୋଉ, ତୋ ଇଛା। ପ୍ରାଣ ଅଧିର ହୋଇ ପଡିଲା, ଆଖିରୁ ଦୁଇଧାର ଲୁହ ଝରିପଡିଲା। ନନ୍ଦବାବାଙ୍କ ଅଗଣା ବାହାରେ ଏକ ଗଛ ଛାଇରେ ଥକ୍କା ମାରି ବସିପଡିଲା ସୁଖିଆ ମାଳିନୀ।
ପ୍ରେମର ରୀତି ବଡ ବିଚିତ୍ର। ପ୍ରେମୀ ଯେତେ ଉପେକ୍ଷା ଭାବ ଦେଖାଉ ନା କାହିଁକି, ପ୍ରେମୀ ପ୍ରତି ଅନୁରାଗ କ୍ଷୀଣ ନହୋଇ ଅଧିକରୁ ଅଧିକ ତୀବ୍ର ହେବାକୁ ଲାଗେ। ଉପେକ୍ଷା ବିଫଳତା ର ଫଳ କଷ୍ଟ, ବେଦନା ହୋଇପାରେ ସତ, କିନ୍ତୁ ଏହା ହିଁ ପ୍ରେମୀ ପାଖରେ ପହଞ୍ଚାଇ ଦିଏ।
ମାଳିନୀ ମନ ଆଉ ଫଳ ବିକ୍ରୟରେ ନାହିଁ, ମନରେ ବିଚାର କରୁଛି-
ହେ ଶ୍ୟାମସୁନ୍ଦର ! ହେ ନନ୍ଦଲାଲ !
ତୁ ମୋ ପ୍ରତି ଏତେ ନିଷ୍ଠୁର କାହିଁକି ରେ। ତୋ ଦର୍ଶନର ତୀବ୍ର ଅଭିଳାଷା ମୋତେ ତୋ ଦ୍ବାର ପର୍ଯ୍ୟନ୍ତ ଆକର୍ଷି ଆଣିଛି। ମୁଁ ଆଉ ଆଗକୁ ଯାଇପାରିବିନି। ସାମାଜିକ ବନ୍ଧନ (ଛୁତ ଅଛୁତ ଭେଦ) ମୋତେ ଆଉ ଆଗକୁ ବଢିବାକୁ ଦେଉନି। ଟିକେ ଦର୍ଶନ ଦେଇଯା ଆସିକି।
ପଥକ୍ଳାନ୍ତ ଶରୀର। ଭାରାକ୍ରାନ୍ତ ମନ। ଗଛ ଛାଇରେ ସୁଲୁସୁଲିଆ ମୃଦୁମନ୍ଦ ପବନ ବାଜି ଆଖି ଲାଗିଗଲା ମାଳିନୀର।
ହୃଦୟରୁ ସ୍ଫୁରିତ ଆର୍ତ୍ତ ସ୍ବର, ପ୍ରାର୍ଥନା କଦାପି ବିଫଳ ଯାଏନାହିଁ। ଯାହା ପ୍ରତି ପ୍ରାର୍ଥନା ସେ ତ ଦୀନବନ୍ଧୁ, ଆର୍ତ୍ତବନ୍ଧୁ, କରୁଣାସିନ୍ଧୁ। କେମିତି ବା ସହିଥାନ୍ତେ। ଅପେକ୍ଷା କରିଥିଲେ କେବଳ ଭକ୍ତର ନିର୍ମଳ ପ୍ରେମଭକ୍ତିଭରା ଆତ୍ମନିବେଦନକୁ। ଘରୁ ବାହାରି ପଡିଲେ ଧର୍ମ, ଅର୍ଥ, କାମ, ମୋକ୍ଷ ଚତୁଃବର୍ଗ ଫଳ ଦାନୀ ଫଳ କିଣିବାକୁ। ଧନ୍ୟ ଧନ୍ୟ ପ୍ରଭ
– ମୋତେ ଏ ଫଳ ଦେବ ମାଆ ?
– କେଡେ ସୁନ୍ଦର ମିଠା ମିଠା ଫଳ ଆଣିଛ।
– ମୋତେ କେତେ ଫଳ ଦେବ ??
– ସବୁତକ ଦେଇଦେବ ??
ଆହା, କି ମୃଦୁ ମଧୁର କଣ୍ଠ ସ୍ବର। ସ୍ବରରେ କେତେ ଆର୍ଦ୍ରତା ଆତ୍ମୀୟତା। ଆଖି ଖୋଲି ଚାହିଁଲା ସୁଖିଆ ମାଳିନୀ। ସେଇ ସୁନ୍ଦର ମନୋହର ରୁପବେଶ। ପଦ୍ମପଳାଶ ରଙ୍ଗକୁ ନିନ୍ଦା କରୁଛି କୋମଳ ରଙ୍ଗା ପାଦ ଦୁଇଟି, ତହିଁରେ ନୁପୁରର ରୁଣୁଝୁଣୁ ଶବ୍ଦ। ଉଜ୍ଜଳ ନୀଳ ମରକତ ମଣି ସମାନ ଦେହ, କଟି ଦେଶରେ ପୀତବସ୍ତ୍ର, ସତେ ଯେପରି ଆକାଶରେ ମେଘମାଳାରେ ବିଜୁଳି ଆଭା।ହସ୍ତରେ ରତ୍ନଖଚିତ କଙ୍କଣ, ବାଜୁବନ୍ଧ, ମୋହନ ମୁରଲୀ । ଗଳାରେ ରତ୍ନହାର, ମୋତି ମାଳା। କାନ୍ଧରେ ଆଜାନୁଲମ୍ବିତ ମଖମଲ ଉତ୍ତରୀୟ। ସୁନ୍ଦର ମଧୁର ନାଲି ଟୁକୁଟୁକୁ ଓଠ ଧାରରେ ଅଲିଭା ମଧୁର ସ୍ମିତହାସ୍ୟ। କର୍ଣ୍ଣରେ ମକରାକୃତି କୁଣ୍ଡଳ, ସୁନ୍ଦର କପାଳରେ ସୁନ୍ଦର ଗୋରଚନା ତିଳକ। କଜ୍ଜଳପୁରିତ ସୁନ୍ଦର ଚଞ୍ଚଳ ନେତ୍ର, ଧନୁରାକୂତି ସୁନ୍ଦର ଭୃଲତା। କଳା ଘନ ଘୁଙ୍ଘୁରାଲୀ କୁନ୍ତଳ। ଶିର ଉପରେ ରତ୍ନମୁକୁଟ ଉପରେ ମୟୁର ପଙ୍ଖା । ତ୍ରୀଭଙ୍ଗ ଭଙ୍ଗୀରେ ପାଦରେ ପାଦ ଛନ୍ଦି ଉଭା ହୋଇଛି ସିଏ, ଯାହାର ମନମୋହକ ରୁପଛଟାକୁ ଏତେ ଦିନ ଧରି ଗୋପୀଙ୍କ ତୁଣ୍ଡରୁ ଶୁଣି ଆସିଛି ସୁଖିନୀ ମାଳିନୀ।
ଆହା … ମନମୋହକ ଛବି ଦର୍ଶନ କରି ମାଳିନୀ ତନୁ ପ୍ରକମ୍ପିତ, ମନ ସମ୍ମୋହିତ, ପ୍ରାଣ ପୁଲକିତ, ଚକ୍ଷୁ ଆନନ୍ଦାଶ୍ରୁ ପ୍ଳାବିତ। କଣ୍ଠ ରୁଦ୍ଧ ଗଦଗଦ, ଭାଷା ସ୍ଫୁରୁ ନାହିଁ।
– ମୋତେ ଏ ଫଳ ଦେବ ମାଆ ?
ଆହା, ମାଆ ଡାକ କେଡେ ସୁଆଦିଆ ସତରେ। ପ୍ରତ୍ୟେକ ନାରୀ ଜୀବନରେ ସବୁଠୁ ମଧୁର, ସବୁଠୁ ଆର୍ଦ୍ର ଆତ୍ମୀୟତା ଭରା ସମ୍ବୋଧନ “ମାଆ” ଡାକ। ତନମନ ତଥା ପଞ୍ଚପ୍ରାଣକୁ ଝଙ୍କୃତ କରି ନାରିର ହୃଦୟକୁ ସ୍ନେହ, ପ୍ରେମ, କରୁଣାରେ ଭରିଦିଏ ଏହି “ମାଆ” ଡାକ। ଚିହିଁକି ଉଠିଲା ମାଳିନୀ। “ମାଆ” ? ଆଉ ଥରେ ଡାକ ବାବା। ମାଆ ବୋଲି ଆଉ ଥରେ ଡାକ।
ମାଆ ! ମୋତେ ଏ ଫଳ ଦେବ ମାଆ ?
ଆହା, କି ମଧୁର। ଘରେ କ’ଣ କେହି ନାହାନ୍ତି ଲାଲା ? ତୁମ ମାତାଙ୍କୁ ଡାକ, ଫଳ ରଖିବେ, ଖାଇବ।
ମାତା ତ ଯମୁନା ଯାଇଛନ୍ତି । ବାବା ଗାଆଁ କୁ ଯାଇଛନ୍ତି। ମୋତେ ଫଳ ଦେଇଦିଅ, ମୁଁ ନେଇଯିବି।
କେଉଁ ଫଳ ନେବ, କେତେ ଫଳ ନେବ ଲାଲା ?
ସବୁ ଦେଇଦିଅ ମାଆ। ସବୁତକ ଫଳ ନେବି।
ହଁ ଲାଲା। ସବୁ ଫଳ ନେବ ଯେ, ଫଳ ନେବାକୁ ହେଲେ ଫଳର ମୂଲ୍ଯ ଦେବାକୁ ହୁଏ।
ମୂଲ୍ୟ ? ତାହା କ’ଣ ମାଆ ??
ଅବୋଧ ଶିଶୁର ଅମାୟିକ ପ୍ରଶ୍ନ ଶୁଣି ମାଳିନୀ ବୁଝାଇ କହିଲା – ଲାଲା ! କୌଣସି ଦ୍ରବ୍ଯ ପାଇବାକୁ ହେଲେ, ତା’ ବିନିମୟରେ କିଛି ଧାନ ଅଥବା ଧନ ଦେବାକୁ ହୁଏ।
କିନ୍ତୁ ମାଆ ! ମୋ ମାତା ଯଶୋଦା ତ ମୋତେ କେତେ ଦ୍ରବ୍ଯ ଖୁଆନ୍ତି, କେତେ ସ୍ନେହ ପ୍ରେମ ଆଦର ଦିଅନ୍ତି। କେବେ ତ କିଛି ମୁଲ୍ୟ ଚାହାଁନ୍ତି ନାହିଁ। ତୁମେ ବି ତ ମୋ ମାଆ। ମୂଲ୍ୟ କାହିଁକି ??
ଏତକ କହି ବାଳକ କୃଷ୍ଣ ସୁଖିଆ ମାଳିନୀ କୋଳରେ ବସି ପଡିଲେ। ସୁଖିନୀ ମାଳିନୀ ହୃଦୟରେ ବାତ୍ସଲ୍ୟ ପ୍ରେମର ବନ୍ୟା ସତେ ଯେପରି ବନ୍ଧ ଭାଙ୍ଗି ଅବାରିତ ଅଶ୍ରୁଧାରା ହୋଇ ବହି ଯାଉଛି। କଣ୍ଠ ରୁଦ୍ଧ ଗଦଗଦ। ବାତ୍ସଲ୍ୟ ସ୍ନେହରେ ଯାବୁଡି ଧରିଲେ। ଫଳତକ ଏକ କପଡାରେ ବାନ୍ଧି ଟେକି ଦେଲେ ବାଳକୃଷ୍ଣଙ୍କୁ। ନେ, ଲାଲା। ଭଲ ହେଲା, ଏ ଫଳ ଭାର ତକ ବୋହି ଏ ବୃଦ୍ଧ କ୍ଳାନ୍ତ ଶରୀରରେ ପୁଣି ଫେରିବାକୁ ହୋଇଥାନ୍ତା। ଭାରା ହରଣ କରିଦେଲୁ।
ଫଳତକ ଧରି ବାଳକୃଷ୍ଣ କହିଲେ – ମାଆ! ଅପେକ୍ଷା କର। ଚାଲି ଯିବନି। ମୁଁ ଏବେ ତୁମ ଫଳର ମୂଲ୍ଯ ନେଇ ଆସୁଛି।
ଫଳ ତକ ଘରେ ରଖି ନିଜ କୁନିକୁନି ହାତ ଆଞ୍ଜୁଳିରେ କିଛି ଧାନ ଧରି ଆସୁଛନ୍ତି । ଧାନ ତକ ସବୁ ଆଞ୍ଜୁଳିରୁ ତଳେ ପଡି ପଡି ଆସୁଛି। ନିଅ ମାଆ! ଏଇ ତୁମ ଫଳର ମୂଲ୍ଯ।
ସୁଖିଆ ମାଳିନୀ ଦେଖୁଛି ଲାଲା ହାତରେ ହାତଗଣତି କେଇଟା ଧାନ। ବାଳକୃସ୍ଣଙ୍କ ବାଳସ୍ବଭାବ ଅକପଟ ଅମାୟିକ ଗୁଣ ଦେଖି ସୁଖିଆର ମନ ଆନନ୍ଦରେ ଭରିଗଲା। କ’ଣ ଆଜି ନ ପାଇଛି। ବହୁ ଅପେକ୍ଷା ପରେ ଆଜି ମନମୋହକ ଛବି ଦର୍ଶନ କରିବାକୁ ପାଇଲି। ମାଆ ଡାକ ଶୁଣିଲି, କୋଳରେ ବସେଇ ବାତ୍ସଲ୍ୟ ସ୍ନେହ ପ୍ରେମର ସାର୍ଥକତା ଅନୁଭବ କଲି। ଏ ଫଳ ବିନିମୟରେ ବହୁତ ଅମୂଲ ମୂଲ ପାଇଗଲି। ବହୁତ ଅମୁଲ୍ୟ, ବହୁତ ବହୁତ ଅମୁଲ୍ୟ। ମନେ ମନେ ଗୁଣି ହୋଇ, ସେ ସବୁ ମୁହୁର୍ତ୍ତକୁ ରୋମନ୍ଥନ କରି ଚାଲିଛି ସୁଖିଆ ମାଳିନୀ। ଘରେ ପହଞ୍ଚି ବାଳକୃଷ୍ଣ ଅର୍ପିତ ମୂଲ୍ୟ ସ୍ବରୁପ ଧାନତକ ସ୍ମୃତିସ୍ବରୂପ ସାଇତି ରଖିବ ଭାବି ପାଛିଆରେ କପଡା ବାନ୍ଧି ରଖିଥିବା ଧାନ ତକ ଦେଖେ ତ – ଏ କ’ଣ ? ଧାନ କାହିଁ ? ଏ ଯେ ହୀରା, ନୀଳା, ମୋତି, ମାଣିକ୍ୟ ପାଲଟି ଯାଇଛି। ହତବାକ୍ ମାଳିନୀ। ନିସ୍ତରିଲି ପ୍ରଭୁ। ମୋର ଭୌତିକ ଓ ଆଧ୍ୟାତ୍ମିକ ଦରିଦ୍ରତାକୁ ଏକାଥରେ ଦୁରେଇ ଦେଲ। ଅହୋଭାଗ୍ୟ।
ଆଜି ସୁଖିଆ ମାଳିନୀର ଜୀବନ ଧନ୍ଯ ହୋଇଗଲା । ଲୌକିକ ଫଳ ସମର୍ପିତ କରି ଅଲୌକିକ ଦିବ୍ୟପ୍ରେମ, କୃଷ୍ଣଭକ୍ତି ପ୍ରାପ୍ତ ହେଲା। ଶ୍ରୀକୃଷ୍ଣଙ୍କ ଧ୍ୟାନ ସ୍ମରଣରେ ରହି, ଅନ୍ତଃକାଳରେ ଭଗବାନ ଶ୍ରୀକୃଷ୍ଣଙ୍କ ନିତ୍ୟଦାସୀ ଭାବେ ଗୋଲୋକବାସୀ ହୋଇଗଲେ।
କଥା ସାର :-
ଆଗରୁ ଅନେକ ଉପସ୍ଥାପନାରେ ମଧ୍ୟ ଉଲ୍ଲେଖ କରିଛି, ଆମର ସମସ୍ତ ଶାସ୍ତ୍ର ପୁରାଣ ଆଦିକୁ କେବଳ କାହାଣୀ ବା କଥାବସ୍ତୁ ଭାବରେ ପଢିନେଲେ ହେବ ନାହିଁ। କାହାଣୀ ପଛରେ ଭରପୁର ତତ୍ତ୍ବ ରସ ରହିଛି। ତାହା ଜାଣିବା ଜରୁରୀ –
ମନୁଷ୍ଯ ନିଜର କର୍ମଫଳକୁ ଧର୍ମ ଧନ ଅର୍ଜନରେ ଲଗାଇ ପିତାମାତା, ପତ୍ନୀ, ପୁତ୍ରକନ୍ୟା, ବନ୍ଧୁସୋଦର ଇତ୍ୟାଦି ମଧ୍ୟରେ ସୀମିତ ରଖି ଫଳ ବାଣ୍ଟିଥାଏ। ଏହାକୁ କୁହାଯାଏ ଫଳ ବିକ୍ରି କରିବା। ଏହା ବଦଳରେ ସେହି ସବୁ ସମ୍ପର୍କରୁ ଯାହା ମିଳେ ତାହା ଉପଭୋଗ କରେ, ଯାହାକି ବନ୍ଧନର କାରଣ ହୋଇଥାଏ। କିନ୍ତୁ ଯେବେ କର୍ମଫଳକୁ ଭଗବାନଙ୍କ ଚରଣରେ ସମର୍ପିତ କରିଦିଏ, ଅଥବା ଶ୍ରୀକୃଷ୍ଣ ପ୍ରୀତ୍ୟର୍ଥେ, ଶ୍ରୀକୃଷ୍ଣାର୍ପଣ ଭାବ ରଖି ମନୁଷ୍ଯ କର୍ମ କରେ – ଦେଖନ୍ତୂ ,
ମନୁଷ୍ଯର ବୁଦ୍ଧି ମାଳିନୀର ସେହି ଫଳ ପାଛିଆ ସମାନ। ନାନାଦି ଫଳ ନାନାଦି କାମନା ସମାନ। ମନୁଷ୍ଯ ଯେବେ ସମସ୍ତ କାମନା, କର୍ମଫଳକୁ ଭଗବାନ ଶ୍ରୀକୃଷ୍ଣଙ୍କୁ ସମର୍ପିତ କରିଦିଏ, ଅନ୍ତଃକରଣ ଶୁଦ୍ଧ ଓ ଶୁନ୍ୟ ହୋଇଯାଏ, ଭଗବାନ ତା’ର ସେଇ ବୁଦ୍ଧି ରୁପକ ଶୁନ୍ୟ ପାଛିଆରେ ଦିବ୍ୟପ୍ରମ, ସ୍ବ-ଭକ୍ତି ରୁପକ ରତ୍ନ ଭରି ଦିଅନ୍ତି।
ସକାମ କର୍ମ ଉପାସନା ସ୍ବର୍ଗାଦି ଲୋକ, ତଥା ଧର୍ମ, ଅର୍ଥ, କାମାଦି ଫଳ ପ୍ରଦାନ କରିଥାଏ, କିନ୍ତୁ ନିଷ୍କାମ କର୍ମ ପ୍ରେମଭକ୍ତି ରତ୍ନ ପ୍ରଦାନ କରିଥାଏ।
ସକାମ ଉପାସକ କର୍ମଫଳକୁ ବିକ୍ରୟ କରେ। ପ୍ରତିବଦଳରେ ଫଳପ୍ରାପ୍ତି ହୁଏ। କ୍ରୟବିକ୍ରୟର ଚକ୍ର ବନ୍ଧନରେ ଛନ୍ଦି ହୋଇଯାଏ। ଏଣୁ କର୍ମଫଳର ମହତ୍ବ କମିଯାଏ। କିନ୍ତୁ ନିଷ୍କାମ ଉପାସକ କର୍ମଫଳକୁ ଭଗବାନଙ୍କ ଚରଣରେ ସମର୍ପିତ କରିଦେଇ, ଶୂନ୍ଯ ହୋଇଯାଏ, କର୍ମବନ୍ଧନରୁ ମୁକ୍ତି ହୋଇଯାଏ। ଆହୁରି ମଧ୍ଯ ଦିବ୍ୟ କୃଷ୍ଣଭକ୍ତିପ୍ରେମ ପ୍ରାପ୍ତ ହୁଏ, ଯାହା ତୁଳନାରେ ମୁକ୍ତି ବା ମୋକ୍ଷ ତୁଚ୍ଛ ଓ ନଗଣ୍ଯ। ଏପରି ଭକ୍ତ ଭଗବାନଙ୍କର ଅତି ପ୍ରିୟ ହୋଇଥାନ୍ତି।
ଲୀଳାକଥାର ନିଷ୍କର୍ଷ ଏହା ଯେ – ” ଯେନ କେନ ପ୍ରକାରେଣ ମନଃ କୃଷ୍ଣେ ନିବେଶୟେତ୍”। ଯେକୌଣସି ପ୍ରକାରେ ଆମର ମନ ଭଗବାନଙ୍କ ଶ୍ରୀଚରଣରେ ସମର୍ପିତ ହୋଇଯାଉ। କିଛି ଫରକ୍ ପଡେନା କେଉଁ ଗୁରୁ, କେତେ ବଡ ଗୁରୁଙ୍କ ଠାରୁ ଦୀକ୍ଷା ଗ୍ରହଣ କରିଛ ଅବା ନ କରିଛ। ବେଦଶାସ୍ତ୍ର ବିଦ୍ୟା ଜ୍ଞାନ ଆହରଣ କରିଛ କି ନ କରିଛ। ବାସ୍ ନୟନରେ ଭଗବାନଙ୍କ ଏକ ମନୋହର ଛବି ନିରନ୍ତର ଦୃଶ୍ୟ ହେଉଥାଉ। ନିରନ୍ତର ହୃଦୟରେ ଭଗବାନଙ୍କ ଏକ ନାମ ଜପ ହେଉଥାଉ। ପ୍ରଭୁ ମିଳନ ପାଇଁ ଉତ୍କଟ ଅନୁରାଗ, ଅଭିଳାଷ ରହୁ। ଭଗବଦାର୍ପିତ ମନବୁଦ୍ଧିରେ କର୍ମ ଚାଲିଥାଉ। ଏହା ହିଁ ପରମ ପୁରୁଷାର୍ଥ। ଏହା ହିଁ ଅନ୍ତିମ ସାଧ୍ୟ। ଏହା ହିଁ ଦୁର୍ଲ୍ଲଭ ମନୁଷ୍ଯ ଜନ୍ମର ସର୍ବୋତ୍ତମ ଫଳ – ଭକ୍ତି, ଶୁଦ୍ଧ ଭକ୍ତି, ପ୍ରେମଭକ୍ତି ।
ଜୟ ଶ୍ରୀକୃଷ୍ଣ ଶରଣଂ
