ସର୍ବଭାରତୀୟ ସ୍ତରରେ ପଦକ ଜିତିଲେ ଦାମୋଦର ପାଣିଗ୍ରାହୀ

ବୁଗୁଡା, ୧୩/୦୧(ସୋରେନ କୁମାର ପ୍ରଧାନ):ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ +୩ ଦ୍ବିତୀୟ ବର୍ଷ ଛାତ୍ର ଦାମୋଦର ପାଣିଗ୍ରାହୀ, ଉତ୍ତର ପୂର୍ବ ଜୋନର ବିଶ୍ବବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ସର୍ବଭାରତୀୟ ଭାର ଉତ୍ତୋଳନ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ପାଇ ବାଲିପଦର କଲେଜ ସମେତ ଓଡିଶା ପାଇଁ ଗୌରବ ଆଣିପାରିଛନ୍ତି। ଭାରତୀୟ ବିଶ୍ବବିଦ୍ୟାଳୟ ସଙ୍ଘ ଆନୁକୂଲ୍ୟରେ ପଞ୍ଜାବ ରାଜ୍ୟର ଲଭଲି ପ୍ରଫେସନାଲ ୟୁନିଭରସିଟି ରେ ଜାନୁଆରୀ ୧୧ ଓ ୧୨ ତାରିଖ ଦୁଇଦିନ ଧରି ଉତ୍ତର ଓ ପୂର୍ବ ଭାରତର ସମସ୍ତ ବିଶ୍ବବିଦ୍ୟାଳୟ ଗୁଡିକୁ ନେଇ ଏହି ଭାର ଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ସର୍ବଭାରତୀୟ ଭାର ଉତ୍ତୋଳନ ପ୍ରତିଯୋଗିତାରେ ବାଲିପଦରର ଆଞ୍ଚଳିକ ଡିଗ୍ରୀ କଲେଜର ଦ୍ବିତୀୟ ବର୍ଷ ଛାତ୍ର ଦାମୋଦର ପାଣିଗ୍ରାହୀ ସ୍ନାଚ ରେ ୧୧୬ କେ.ଜି. ଏବଂ କ୍ଳିନ ଅଣ୍ଡ ଜଙ୍କ ରେ ୧୫୦ କେ.ଜି. ଭାର ଉତ୍ତୋଳନ କରି ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଛନ୍ତି। ଶ୍ରୀ ପାଣିଗ୍ରାହୀ ଉତ୍ତର ଓ ପୂର୍ବ ଭାରତର ବିଶ୍ବବିଦ୍ୟାଳୟ ସମୂହର ଛାତ୍ରଙ୍କ ମଧ୍ୟରେ ସର୍ବଭାରତୀୟ ସ୍ତରରେ ରୌପ୍ୟ ପଦକ ପାଇ ବାଲିପଦର ଡିଗ୍ରୀ କଲେଜ ପାଇଁ ଗୌରବ ଆଣିବା ସହ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓ ଓଡିଶା ପାଇଁ ମଧ୍ଯ ଗୌରବ ଆଣିପାରିଥିବାରୁ କଲେଜର ପ୍ରିନ୍ସପାଲ ଗୋପୀନାଥ ମହାନ୍ତି, କ୍ରୀଡା ଅଧ୍ୟାପକ ଇଂଜକିଶୋର ଗୌଡ଼, ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦଙ୍କ ସମେତ ଅଞ୍ଚଳର କ୍ରୀଡ଼ାପ୍ରେମୀଙ୍କ ହୃଦୟରେ ଖୁସିର ଲହରୀ ଖେଳିଯାଇଛି।


You might also like
error: Content is protected !!