ପ୍ରବାସୀ ଭାରତ ଜାତୀୟ ଉତ୍ସବରେ ଦେଶବିଦେଶରୁ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ବୁଦ୍ଧିଜୀବୀଙ୍କ ଯୋଗଦାନ
ନୟାଗଡ଼(ପ୍ରଭାକର ଶିରୋମଣି):- ପ୍ରବାସୀ ଭାରତ ଜାତୀୟ ଉତ୍ସବରେ ଦେଶବିଦେଶରୁ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ବୁଦ୍ଧିଜୀବୀ ଯୋଗଦେଇଥିଲେ। ଏହି ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ଓରମାସ ପକ୍ଷରୁ ଏକ ସଂସ୍କୃତି ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଯେଉଁଥିରେ କଣ୍ଟିଲୋ କଂସାବାସନ ଏବଂ ନୀଳମାଧବ ସଂସ୍କୃତିର ପ୍ରଦର୍ଶନୀ ବିଦେଶୀ ଭାରତୀୟ ମାନଙ୍କୁ ବିଶେଷ ଆକୃଷ୍ଟ କରିଛି । ଏହି ପ୍ରଦର୍ଶନୀକୁ ଭ୍ରମଣରେ ଆସିଥିବା ଅତିଥି ମାନେ କାରିଗର ମାନଙ୍କର ନିଖୁଣ ଶୈଳୀ ଏବଂ ନୂତନତ୍ୱକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଭାରତର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ କଣ୍ଟିଲୋର କାରୁକାର୍ଯ୍ୟକୁ ଖୁବ୍ ପ୍ରଶଂସା କରିଥିଲେ। ଖଣ୍ଡପଡ଼ା ବିଧାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ ସ୍ବାଇଁ ଉପସ୍ଥିତ ରହି କଣ୍ଟିଲୋର କଂସାବାସନ କାରିଗରଙ୍କର ବିକାଶ ପାଇଁ ଅନେକ ପ୍ରସ୍ତାବ ରଖିଥିଲେ। ଭାରତ ସରକାରଙ୍କର ଅଧୀନରେ ପ୍ରତିଷ୍ଠିତ ତିରୁପତି କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ପ୍ରଫେସର ଡଃ. ଭାରତ ଭୂଷଣ ରଥ କଣ୍ଟିଲୋ ନୀଳମାଧବଙ୍କର ତତ୍ତ୍ବକୁ ମନ୍ତ୍ରୀଙ୍କୁ ବ୍ୟାଖ୍ୟାନ କରିବା ସହିତ ନୀଳମାଧବଙ୍କ ସଂସ୍କୃତି ସହିତ ଜଡିତ ପ୍ରାଚୀନ ପୌରାଣିକ ତତ୍ତ୍ବ ଏବଂ ମହାନଦୀର ବୈଭବକୁ ଆଲୋକପାତ କରିଥିଲେ। କଣ୍ଟିଲୋର ବରିଷ୍ଠ ନାଗରିକ ଅଖିଳ କୁମାର ମହାରଣା ଓ ବାପୁଜୀ କଂସା ପିତ୍ତଳ କାରିଗର ସଂଘ ସଭାପତି ଦଣ୍ଡାପାଣି ସାହୁ ବିବିଧ କାରୁକାର୍ଯ୍ୟର ବୈଶିଷ୍ଟ୍ୟକୁ ବର୍ଣ୍ଣନା କରିଥିଲେ। ଏହି ପରିଦର୍ଶନ ସମୟରେ କଣ୍ଟିଲୋର କେତେକ କଂସାବାସନ କାରିଗର ଉପସ୍ଥିତ ଥିଲେ।