ଥଣ୍ଡା ପାନୀୟରେ ନିଶା ନେଇ କ୍ଯାମେରା ମ୍ଯାନଙ୍କଠୁ ଲୁଟ୍ ଅଭିଯୋଗ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ସିନେମା ହଲ ଛକଠାରେ ଫଟୋ ଷ୍ଟୁଡିଓ କରିଥିବା କୁଶପଲ୍ଲୀ ଗ୍ରାମର ଯୁବକ ସଙ୍ଗମ କୁମାର ବିଷୋୟୀ(୩୨)ଙ୍କୁ ଯୋଜନା କରି ଦୁଇ ଜଣ ଅଜଣା ବ୍ଯକ୍ତି ଥଣ୍ଡା ପାନୀୟରେ ନିଶା ଦେଇ ଅଚେତ ଅବସ୍ଥାରେ ତାଙ୍କଠାରୁ ଏକ ଦାମିକିଆ କ୍ଯାମେରା ସହ ସୁନା ମୁଦି ଓ ମନିପର୍ସ ଲୁଟି ନେଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏ ନେଇ ବୁଗୁଡା ଥାନାରେ ଅଭିଯୋଗ କ୍ରମେ ପୋଲିସ ପକ୍ଷରୁ କେସ୍ ନଂ ୧୬/୨୫ ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି । ପ୍ରକାଶ ଯେ, ଗତ ବୁଧବାର ଦିନ ସକାଳେ ସଙ୍ଗମ ନିଜ ଷ୍ଟୁଡିଓରେ ଥିବା ବେଳେ ଜଣେ ଲୋକ ଆସି କରଚୁଲି ହରିଜନ ସାହି ବିଦ୍ୟାଳୟରେ ଏକ ପ୍ରୋଗ୍ରାମ୍ ଅଛି କହି ସେଠାକୁ ଯିବା ପାଇଁ ୨୦୦ ଟଙ୍କା ଅଗ୍ରିମ ଦେଇଥିଲା। କିଛି ସମୟ ପରେ ସଙ୍ଗମ ସେହି ବ୍ଯକ୍ତିଙ୍କ ବାଇକରେ ବସି ଯାଉଥିବା ବେଳେ ବିରଞ୍ଚିପୁର-ମାଣିତରା ଛକଠାରେ ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ଏକ ଥଣ୍ଡା ପାନୀୟ ଦେଇ ସେହି ବାଇକରେ ବସିଥିଲେ। ତିନିହେଁ ବସି ବାଇକରେ ଯାଉଥିବା ବେଳେ ଶାଳବଣି ଗାଁ ପାଖରେ ପହଞ୍ଚିବା ବେଳକୁ ସଙ୍ଗମ ଅଚେତ ଅବସ୍ଥାକୁ ଚାଲି ଆସିଥିଲେ ଏବଂ ଏହା ପରେ ଆଉ କିଛି ଜାଣି ପାରିନଥିଲେ । ସନ୍ଧ୍ୟାରେ ତାଙ୍କର ଚେତା ଫେରିଥିଲା ବେଳକୁ ସେ ଉଦୟପୁର ଗ୍ରାମ ନିକଟରେ ନିର୍ମାଣାଧିନ ଏକ ପେଟ୍ରୋଲ ପମ୍ପଠାରେ ତଳେ ପଡିଥିଲେ । ସେ ଧରିଥିବା ୧,୫୩,୦୦୦ ଟଙ୍କାର ମୂଲ୍ୟବାନ କ୍ଯାମେରା , ୧୨,୫୦୦ ଟଙ୍କାର ଫ୍ଲାସ୍ ଲାଇଟ୍ , ୫୫୦୦ ଟଙ୍କାର ଏକ ବ୍ଯାଟେରୀ ସହିତ ୪ ଗ୍ରାମ ଓଜନର ଏକ ସୁନା ମୁଦି ଓ ମନିପର୍ସ ଆଉ ତାଙ୍କ ପାଖରେ ନଥିଲା । ଏ ଖବର ପାଇ ତାଙ୍କର ଘର ଲୋକେ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ ଏବଂ ନିଶାର ପ୍ରଭାବରୁ ସେ ସ୍ବଷ୍ଟ ଭାବେ କିଛି ଉଚ୍ଚାରଣ କରିପାରୁନଥିବାରୁ ତାଙ୍କୁ ଚିକିତ୍ସା ପାଇଁ ବୁଗୁଡା ମେଡିକାଲରେ ଭର୍ତ୍ତି କରିଥିଲେ। ସୁସ୍ଥ ହେବା ପରେ ସେ ଗୁରୁବାର ସକାଳେ ଏ ନେଇ ବୁଗୁଡା ଥାନାରେ ଅଭିଯୋଗ କରିଥିଲା ବେଳେ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।


You might also like
error: Content is protected !!