ନବରଙ୍ଗପୁରର ଡାଳିମ୍ୱ ମାଳି, ସେବା ପାଇଁ ସମ୍ବର୍ଦ୍ଧିତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କଲା
ବ୍ରହ୍ମପୁର(ଭଗବାନ ଦାସ): ତାଙ୍କ ପାଇଁ ‘ସେବା ହିଁ ପରମ ଧର୍ମ, ମାନବ ସେବା ହିଁ ଈଶ୍ୱର ସେବା’ । ନା ଦିନ ନା ରାତି, ନା ଭୋକ ନା ଶୋଷ । କଷ୍ଟ ଓ କ୍ଲାନ୍ତି ଭୁଲି ଲୋକଙ୍କୁ ଯୋଗାଇ ଦିଅନ୍ତି ନିଃସ୍ବାର୍ଥପର ସେବା ଓ ସହଯୋଗ । ଗର୍ଭବତୀଙ୍କ ସୁରକ୍ଷିତ ପ୍ରସବ ହେଉ କିମ୍ବା ମ୍ୟାଲେରିଆ ନିରାକରଣ ପାଇଁ ସଚେତନତା, ମହିଳା ବନ୍ଧ୍ୟାକରଣ ହେଉ କିମ୍ବା ମାଆ ଓ ଶିଶୁଙ୍କୁ ଟିକାକରଣ କାର୍ଯ୍ୟକ୍ରମ । କୁଷ୍ଠ ହେଉ କିମ୍ବା ଯକ୍ଷ୍ମା ରୋଗୀଙ୍କ ସ୍ବାସ୍ଥ୍ୟ ସଚେତନତା, ସବୁ କ୍ଷେତ୍ରରେ ରହିଛି ତାଙ୍କର ବଡ଼ ଭୂମିକା । ତାଙ୍କ ନିଷ୍ଠାପର ସେବା ଆଗରେ ହାର୍ ମାନିଛି ପ୍ରତିବନ୍ଧକ । ସେ ହେଉଛନ୍ତି ନବରଙ୍ଗପୁରର ନାଇଟିଙ୍ଗଲ ବା ବୁଲବୁଲ, ଆଶାକର୍ମୀ ଡାଳିମ୍ୱ ମାଳି। ନିଷ୍ଠାପର ଭାବରେ କାର୍ଯ୍ୟ କଲେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ସ୍ବତପ୍ରବୃତ୍ତ ଭାବେ ଆସିଥାଏ । ଏଭଳି ଉକ୍ତିକୁ ପ୍ରମାଣିତ କରି ଦେଖାଇଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବୁଟିସର୍ଗି ଗ୍ରାମର ଆଶାକର୍ମୀ ଡାଳିମ୍ୱ ମାଳି । ନିଜର ସେବା ମାଧ୍ୟମରେ ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳଙ୍କଠାରୁ ପ୍ରଶଂସା ମଧ୍ୟ ସାଉଣ୍ଟିଛନ୍ତି । ନବରଙ୍ଗପୁରର ନାଇଟିଙ୍ଗଲ୍ ଭାବେ ପରିଚିତ ଡାଳିମ୍ୱ । ଗତ ୧୯ ବର୍ଷ ଧରୁି ଆଶାକର୍ମୀ ଭାବେ ନିସ୍ବାର୍ଥପର ସେବା ଯୋଗାଇ ଆସୁଥିବା ଡାଳିମ୍ବ ମାଳିଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ସମ୍ୱର୍ଦ୍ଧିତ କରାଯାଇଛି । ତାଙ୍କ କାମ ଏବଂ ସେବା ପାଇଁ ଉଚ୍ଚ ପ୍ରଶଂସା କରାଯାଇଛି ।